ଦିନେ ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଗୋଟିଏ ବିଷୟ ଉପରେ ଖୁବ୍ ଆଲୋଚନା ଚାଲିଥାଏ । ସେ ବିଷୟଟି ହେଉଛି ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୁଏ, କି ନାହିଁ । କେତେଜଣ ମତ ପ୍ରଦାନ କଲେ ଯେ ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ । ପୁଣି ଆଉ କେତେକ ମତ ପ୍ରଦାନ କଲେ, ମନୁଷ୍ୟର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯେମିତିକି କୁକୁରର ଲାଞ୍ଜ କଦାପି ସଳଖେ ନାହିଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାଜା କହିଲେ, “ଯଦି କୁକୁରର ଲାଞ୍ଜକୁ ସିଧା କରାଯାଇ ପାରିବ, ତା’ହେଲେ ମନୁଷ୍ୟର ସ୍ୱଭାବକୁ ମଧ୍ୟ ପରିବର୍ତ୍ତନ କରାଯାଇ ପାରିବ । ଯେଉଁ ସଜ୍ଜନମାନେ ଏହି ମତ ପୋଷଣ କରୁଥିଲେ, ସେମାନେ ମୋର ମତକୁ ଗ୍ରହଣ କରିବା ଉଚିତ୍ । ତା’ହେଲେ ଆମ୍ଭେମାନେ ଚେଷ୍ଟା କରିବା କୁକୁର ଲାଞ୍ଜ କିପରି ସିଧା ହେବ?” ଏହାକହି ରାଜା କହିଲେ, ଆପଣମାନେ ତା’ହେଲେ ଆଜିଠାରୁ ଚେଷ୍ଟା କରନ୍ତୁ କିପରି କୁକୁରର ଲାଂଜ ସିଧାହେବ ।
ଏଥିପାଇଁ ରାଜା ଦଶଟି କୁକୁର ଯୋଗାଡ କରିବା ସଂଗେ ସଂଗେ ଦଶଜଣ କର୍ମଚାରୀଙ୍କୁ ମଧ୍ୟ ଲାଞ୍ଜ ସିଧା କାର୍ଯ୍ୟରେ ନିୟୋଜିତ କଲେ । ଏମାନଙ୍କ ମଧ୍ୟରେ ତେନାଲୀରାମା ମଧ୍ୟ ଥିଲେ । ସମସ୍ତେ ଛ’ ମାସ ଏହି କାର୍ଯ୍ୟ ଅତ୍ୟନ୍ତ ନିଷ୍ଠାର ସହିତ କଲେ । ଜଣେ କୁକୁରର ଲାଞ୍ଜକୁ ଶେଷରେ ଜୋର୍ରେ ଚାପିଦେଲା କାଳେ ତା’ର ଲାଞ୍ଜଟି ସିଧା ହୋଇଯିବ । ଅନ୍ୟ ଜଣେ ଏକ ପିତଳର ନଳୀ କରି କୁକୁରର ଲାଞ୍ଜକୁ ସେଥିରେ ପୂରାଇ ଦେଲା । ଆଉଜଣେ ଲାଞ୍ଜ ସିଧା କରିବା ପାଇଁ ହରଦମ୍ ଲାଞ୍ଜରେ ତେଲ ମାଲିସ୍ କଲା । ଚତୁର୍ଥ ଜଣକ କୁକୁରକୁ ଔଷଧ ଆଣି ଖାଇବାକୁ ଦେଲେ । ପଂଚମ କର୍ମଚାରୀ ଜଣକ ଜଣେ ବ୍ରାହ୍ମଣଙ୍କୁ ଆଣି ତାଙ୍କୁ ନିଜ ଗୃହରେ ରଖି ପୂଜାପାଠ ଆରମ୍ଭ କଲା । କାଳେ ପୂଜାପାଠ ମାଧ୍ୟମରେ ଲାଞ୍ଜ ସିଧା ହୋଇଯିବ କି? ସେହିପରି ଷଷ୍ଠ କର୍ମଚାରୀ ଜଣକ ଜଣେ ତାନ୍ତ୍ରିକ ମାଧ୍ୟମରେ କୁକୁର ଲାଞ୍ଜ ସିଧା କରିବାକୁ ଚେଷ୍ଟା କଲା । ସପ୍ତମ କର୍ମଚାରୀ ଜଣକ ତାଙ୍କ କୁକୁର ଲାଞ୍ଜର ଶଲ୍ୟ ଚିକିତ୍ସା ମଧ୍ୟ କରାଇଲେ । ଅଷ୍ଟମ କର୍ମଚାରୀ ଜଣକ ପ୍ରତିଦିନ କୁକୁରକୁ ନିକଟରେ ବସାଇ ବୁଝାଇଲେ, ଲାଞ୍ଜ ସିଧା କରିବା ପାଇଁ । ନବମ ବ୍ୟକ୍ତି ଜଣକ କୌଣସି ଉପାୟ ନପାଇ, କୁକୁରକୁ ନାନାଦି ସୁଖାଦ୍ୟ ଆଣି ଦେଲେ, କାଳେ ସୁଖାଦ୍ୟ ଖାଇ କୁକୁରଟି ତା’ର ଲାଞ୍ଜ ସିଧା କରିଦେବ ।