କେତେଦିନ ପରେ ମହାରାଜ ବିକ୍ରମାଦିତ୍ୟ ନିଜ ରାଇଜକୁ ଫେରିଲେ । ଉଆସରେ ସମସ୍ତଙ୍କ ମୁହଁରେ କୁଜାର ପରଶଂସା ଶୁଣି ସେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏହି କୁଜାକୁ ଦେଖିଲେ ଉଆସ ଲୋକେ ମୁହଁରେ ଲୁଗାଦେଇ ବସୁଥିଲେ । ଟାହିଟାପରା ରଙ୍ଗ ରହସ୍ୟ କରି ତାହାକୁ ବାଟ ଚଲାଇ ଦେଉନଥିଲେ । ସେ ସବୁ କଥା କେମିତି ଓଲଟିଗଲା । ଏବେତ ତାହାକୁ ଭା’ରି ଆଦର, ଭା’ରି ସେନେହ, ଭା’ରି ମନମିଶାରେ ସମସ୍ତେ ଗୋଟାପଣେ ତା’କୁ ଆପଣାର କରି ନେଲେଣି । କଥା କ’ଣ! କିଛି ବି ଜାଣିହେଉ ନାହିଁ ।
ସେଦିନ ରାଜସଭାରେ ବି ସେହିକଥା ପଡିଲା । ରାଜା କହିଲେ “କିହୋ ମନ୍ତ୍ରୀ ମହାଶୟ, ୟେ କଣ ବିଚିତ୍ର ଓଲଟ ପାଲଟ ଦେଖାଯାଉଛି । କୁଜାର କ’ଣ ଖରାପ ବେଳ କଟିଗଲା? ତାହାର ଛାଇ ପଡିଲେ ତୁମମାନଙ୍କର ପରା ନାହି ଡେଉଁଥିଲା । ଏବେ କଣ ତାହାକୁ ଭା’ରି ଆଦର କରୁଛ । କଥା କ’ଣ?” ସବୁ ଶୁଣି ମନ୍ତ୍ରୀ କହିଲେ – “ମଣିମା, ସେହି କୁଜା, ବାଙ୍ଗର ଲୋକଟିର ପେଟରେ ଏତେ ଗୁଣ ଅଛି ବୋଲି ଆମକୁ ଜଣା ନଥିଲା । ସେ ଯେଉଁ ଭୟଙ୍କର ଦୁଃସାହସିକ କାମକରି ସମସ୍ତଙ୍କୁ ତାଟକା କରିଦେଲା, ତାହାକୁ ଜୀବନରେ କେବେବି ଭୁଲିହେବ ନାହିଁ ଛାମୁ । ମଣିମା ରାଇଜରେ ନଥିଲେ । ୟା ଭିତରେ ଦିନେ ଆମର ପଡୋଶୀ ରାଇଜ ଭଟ୍ଟିପାଳର ରାଜା ଅଚାନକ ଭାବରେ ଆମ ରାଇଜ ଉପରେ ଚଢାଉ କରିବ ବୋଲି ସୈନ୍ୟସାମନ୍ତ ଧରି ଭାରି ଆଡମ୍ବରରେ ଆସିଲା । ସେତେବେଳେ ତ ଆମେ କେହି ବି ଆଦୌ ପ୍ରସ୍ତୁତ ନଥିଲୁ । ମହାରାଜ ନାହାଁନ୍ତି । ଯୁଦ୍ଧ ଚାଳନା କରିବ କିଏ! ଏହି କୁଭାବନାରେ ସମସ୍ତେ ଗୋଡହାତ ବାନ୍ଧି ଦେଲା ପରି କିଛି ଉପାୟ ନ ପାଇ ବସିରହିଲୁ । ଏହି ସମୟରେ ସେ କୁଜା କେଉଁଠିଥିଲା କେଜାଣି, ଏହିସବୁ ଘଟଣା ସେ ଶୁଣିଲା । ତାପରେ ସେ କାହାକୁ କିଛି ନକହି ତା’ ଢୋଲକଟିକୁ କାନ୍ଧରେ ପକାଇ ଏକା ଏକା ଦଉଡିଲା ନଈ କୂଳକୁ । କାହିଁକିନା ନଈ ପାରି ହେଲେ ତ ଯାଇ ଶତ୍ରୁଥାଟ ଆମ ରାଇଜରେ ପଶିବେ ।