ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁ-ସଙ୍ଗରୁ ବୁଦ୍ଧି ନାଶ

ଏକଦା ଶୁଦ୍ରାରଣ୍ୟରେ କର୍ପୂର ତିଳକ ନାମକ ଏକ ହାତୀ ବାସ କରୁଥିଲା । ତା’ର ବିଶାଳ ଶରୀର ଦେଖି ଶୃଗାଳମାନେ ବିଚାର କଲେ ଯଦି କୌଣସି ଉପାୟରେ ଏହି ହାତୀକୁ ମରାଯାଇ ପାରନ୍ତା ତେବେ ଏହାର ମାଂସକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇ ବଂଚି ପାରନ୍ତେ । ତା’ଛଡା କ୍ଷୁଧା ନିବାରଣ ପାଇଁ ଆଉ ଖାଦ୍ୟ ଖୋଜିବାକୁ ପଡନ୍ତା ନାହିଁ । ସେହି ଶୃଗାଳ ମାନଙ୍କ ମଧ୍ୟରୁ ଗୋଟିଏ ବୃଦ୍ଧ ଶୃଗାଳ ପ୍ରତିଜ୍ଞା କରି କହିଲା – ମୁଁ ମୋର ବୁଦ୍ଧି ବଳରେ ନିଶ୍ଚୟ ହାତୀକୁ ମାରି ପାରିବି ।

        ଏହାପରେ ବୃଦ୍ଧ ଶୃଗାଳଟି କର୍ପୂର ତିଳକ ନିକଟକୁ ଯାଇ ବିନୀତ ଭାବରେ କହିଲା-ହେ ମହାତ୍ମା! ଦୟାକରି ମୋତେ ଚାହାଁନ୍ତୁ । କର୍ପୂର ତିଳକ ହାତୀଟି ବିଲୁଆର ପରିଚୟ ମାଗିଲା ଓ ତା’ ଠାରେ ତା’ର କି କାର୍ଯ୍ୟ ଅଛି ବୋଲି ପଚାରିବାରୁ ଚତୁର ଶୃଗାଳଟି କହିଲା – ମୁଁ ଗୋଟିଏ ଶୃଗାଳ, ଏ ଜଙ୍ଗଲର ସମସ୍ତ ଶୃଗାଳ ମିଶି ମୋତେ ଆପଣଙ୍କ ନିକଟକୁ ପଠାଇଛନ୍ତି, ଆପଣଙ୍କୁ ଆମେ ଆମର ଖାଲି ବନ୍ଧୁ ଭାବରେ ଗ୍ରହଣ କରିନାହୁଁ, ତା’ଠାରୁ ଅଧିକ କିଛି ଦେବାକୁ ଚାହୁଁଛୁ । ରାଜା ବିନା ରାଜ୍ୟ ଚଳି ପାରେନା । ରାଜା ଯୋଗ୍ୟ ହେବା ପାଇଁ ଯେଉଁସବୁ ଗୁଣ ଆବଶ୍ୟକ ତାହା ଆପଣଙ୍କ ପାଖରେ ଅଛି ବୋଲି ଆମେ ଜାଣିପାରୁଛୁ । ଯିଏ କୁଳାଚାର ତଥା ଲୋକାଚାରରେ ଶୁଦ୍ଧ, ପ୍ରତାପଶାଳୀ, ଧାର୍ମିକ ଓ ନୀତିବାନ୍ ତଥା ସେବା ପରାୟଣ ସେଇ ହିଁ ଏକମାତ୍ର ରାଜା ହେବାକୁ ଯୋଗ୍ୟ । ଆପଣଙ୍କଠାରେ ଏସବୁ ଗୁଣ ଥିବା ଯୋଗୁଁ ରାଜ ପଦରେ ଅଧିଷ୍ଠିତ ହେବା ପାଇଁ ଯୋଗ୍ୟ । ଆମ ଜାତିଭାଇ ଜ୍ଞାନୀ ଜ୍ୟୋତିଷମାନେ ମଧ୍ୟ ଜାଣିପାରିଛନ୍ତି ଯେ କେବଳ ଆପଣ ହିଁ ଆମ ରାଜା ହେବାକୁ ଯୋଗ୍ୟ । ମୁଁ ମଧ୍ୟ ଗଣନାକରି ଜାଣି ପାରୁଛି ଏଭଳି ସମୟରେ ଆପଣ ଆମ ରାଜା ହେଲେ ଆମ ଜଙ୍ଗଲ ଓ ଜୀବ ସମାଜ ପାଇଁ କଲ୍ୟାଣକାରୀ ହେବ ।

        କର୍ପୂର ତିଳକକୁ ଛଳନାରେ ଭୁଲାଇ ଦେଇ ଶୃଗାଳ କହିଲା – ଆପଣ ଶୀଘ୍ର ଶୀଘ୍ର ଆସନ୍ତୁ, ନହେଲେ ରାଜ ପଦରେ ଅଧିଷ୍ଠିତ ହେବାର ଶୁଭଲଗ୍ନ ଗଡିଯିବ । ଛଳନା ପୂର୍ଣ୍ଣ ମିତ୍ରତା ତଥା ରାଜା ହେବା ଲୋଭର ବଶବର୍ତ୍ତୀ ହୋଇ ଆଗପଛ, ଭଲମନ୍ଦ କଥା ବିଚାର ନକରି କର୍ପୂର ତିଳକ ଶୃଗାଳର ପଛେ ପଛେ ଚାଲିଲା । ଆଗେ ଆଗେ ଶୃଗାଳ ଓ ପଛେ ପଛେ ହାତୀଟି ଚାଲିଥାଏ । ଏମିତି କିଛିବାଟ ଯିବା ପରେ ହାତୀଟି ଗୋଟିଏ ଗଭୀର ପଙ୍କ ମଧ୍ୟରେ ପଶିଗଲା । ହାତୀଟି ବହୁତ ଚେଷ୍ଟା କରି ମଧ୍ୟ ଉଠି ପାରିଲା ନାହିଁ । ସେ ଯେତେ ଚେଷ୍ଟା କରୁଥାଏ ଉଠିବା ପାଇଁ ସେତେସେତେ ଗଭୀର ପଙ୍କ ମଧ୍ୟକୁ ପଶି ଯାଉଥାଏ । ହାତୀଟି ମୁକ୍ତି ପାଇବାର ବାଟ ନପାଇ କପଟୀ ଶୃଗାଳକୁ ଡାକ ପକାଇ କହିଲା – ବନ୍ଧୁ! ଗଭୀର ପଙ୍କରୁ ମୁଁ ଆଉ ଉଠି ପାରୁ ନାହିଁ, ମୋତେ ଉଦ୍ଧାରର ବାଟ କହିଦିଅ ।

        ଧୂର୍ତ୍ତ ଶୃଗାଳଟି ତାତ୍ସଲ୍ୟର ହସ ହସି କହିଲା – ପ୍ରଭୁ! ମୋର ଲାଙ୍ଗୁଳର ଅଗ୍ରଭାଗକୁ ଶୁଣ୍ଢରେ ଧରି ଉଠି ଆସନ୍ତୁ । ରାଜା ହେବା ଲୋଭର ଫଳ ହାତୀ ଭୋଗ କଲା । ସେ ସେହି ଗଭୀର ପଙ୍କ ମଧ୍ୟରେ ପଡି ଛଟ ପଟ ହୋଇ ପ୍ରାଣ ତ୍ୟାଗ କଲା । ସାଥୀ ଶୃଗାଳମାନେ ବୃଦ୍ଧ ଶୃଗାଳର ଚତୁର ବୁଦ୍ଧିକୁ ବେଶ୍ ପ୍ରଶଂସା  କରିବା ସହିତ ମହା ପଙ୍କରେ ପଡିଥିବା ହାତୀକୁ ଆନନ୍ଦରେ ଭକ୍ଷଣ କରିବାକୁ ଲାଗିଲେ । ଏଠାରେ ମନେ ରଖିବାର କଥାଯେ, ବୁଦ୍ଧି ବଳରେ ଅସମ୍ଭବ ସମ୍ଭବ ହୋଇଥାଏ, ଖାଲି ଶରୀର ବଳ ଶ୍ରେଷ୍ଠ ବଳ ନୁହେଁ । ତେଣୁ କଥାରେ ଅଛି-“ବୁଦ୍ଧି ବିଚାରୀ କାର୍ଯ୍ୟ କଲେ, ବିପଦ ନପଡଇ ଭଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ