ଏକଦା ଅଯୋଧ୍ୟା ନଗରୀରେ ଜଣେ ଶୁଦ୍ର ବ୍ୟକ୍ତି ବସବାସ କରୁଥିଲେ । ସେ ଅଯୋଧ୍ୟା ନଗରୀରେ ଜନ୍ମ ଗ୍ରହଣ କରିଥିବା ହେତୁ ନିଜକୁ ଜଣେ ପୁଣ୍ୟବାନ ବ୍ୟକ୍ତି ରୂପେ ଚିନ୍ତା କରି ଆସୁଥିଲେ । ଦିନେ ସେ ଅବନ୍ତୀକା ପୁରକୁ ଚାଲି ଚାଲି ଯାଇ ସେଠାରେ ଥିବା କୃପା ବାରିଧି ନାମକ ଜନୈକ ଶିବ ଭକ୍ତଙ୍କୁ ନିଜର ଗୁରୁ ରୂପେ ଗ୍ରହଣ କରିନେଲେ । ଏହାପରେ ସେ ତାଙ୍କ ଗୁରୁଙ୍କ ନିର୍ଦେଶରେ ଶିବ ପଂଚାକ୍ଷର ନାମ ଜପ କରିବାକୁ ଲାଗିଲେ । ହେଲେ ସେ ଗୁରୁଙ୍କ ଶତ ଉପଦେଶ ଶୁଣିବା ପରେ ମଧ୍ୟ ତାଙ୍କ ଭିତରେ ଥିବା ସେହି ଅହଂଭାବକୁ ଆଦୌ ଭୁଲି ପାରିଲେ ନାହିଁ ।
ଦିନେ ସେ ମନ୍ଦିରରେ ବସି ପଂଚାକ୍ଷର ମନ୍ତ୍ର ଜପ କରୁଥବା ସମୟରେ ଗୁରୁ କୃପା ବାରିଧି ଯାଇ ସେଠାରେ ପହଁଚିଲେ । ମାତ୍ର ଗୁରୁଙ୍କୁ ଦେଖି ମଧ୍ୟ ଶିଷ୍ୟ ସମ୍ମାନ ନ ଜଣାଇ ପୂର୍ବବତ୍ ନାମ ଜପରେ ମଗ୍ନ ରହିଲେ । ଏହାଦ୍ୱାରା ଶିଷ୍ୟର ଅହମିକା ଭାବ ଥିବା ବିଷୟ ଗୁରୁ ବେଶ୍ ଭଲ ଭାବରେ ଜାଣି ପାରିଲେ । କିନ୍ତୁ, ‘ସ୍ୱୟଂ ମହାଦେବ ଏଥିରେ ରୁଷ୍ଟ ହୋଇଗଲେ ।’ ଏତିକି ବେଳେ ଶୂନ୍ୟବାଣୀ ହେଲା, ‘ରେ ଅଧମ ! ତୁ ଯେହେତୁ ତୋର ଗୁରୁଙ୍କୁ ସମ୍ମାନ ଦେଇନାହୁଁ, ସେଥିପାଇଁ ତୁ ଶହେଥର ଏମିତି ଜନ୍ମ ଗ୍ରହଣ କରି ଏ ସଂସାର ଦୁଃଖରେ ଘାଂଟି ହେବୁ ।’ ଶୂନ୍ୟବାଣୀ ଶୁଣି ମଧ୍ୟ ଶିଷ୍ୟ ନୀରବରେ ବସି ରହିଥିବା ବେଳେ ଅପାର ମହିମାମୟ ଗୁରୁ କୃପାବାରିଧିଙ୍କୁ ଶିବଙ୍କର ଏପରି ଅଭିଶାପଟା ଖୁବ୍ ବାଧିଲା ।
ଶିବଭକ୍ତ ଗୁରୁ କୃପାବାରିଧି ନିଜର ଶିଷ୍ୟ ପାଇଁ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରାର୍ଥନା କଲେ । ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଶିବ ସେଠାରେ ଉପସ୍ଥିତ ହୋଇ କହିଲେ, ‘ତୁମ ପ୍ରାର୍ଥନାରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ । ହେଲେ ମୋର କହିବା ଅନୁସାରେ ତୁମର ଶିଷ୍ୟ ଶହେଥର ଜନ୍ମ ନେବ ସତ, ହେଲେ ତୁମରି କୃପାରୁ ସେ ଏହି ଜନ୍ମମୃତ୍ୟୁର ଆବର୍ତ୍ତନ ଚକ୍ରରେ କଷ୍ଟହୀନ ଭାବରେ ଘୂରି ବୁଲିବ ।