ଶ୍ରୀକୃଷ୍ଣ ଓ ବଳରାମଙ୍କ ପରାମର୍ଶ କ୍ରମେ ଗୋକୂଳ-ନିବାସୀମାନେ ସମସ୍ତେ ନିଜ ନିଜ ସ୍ଥାନ ଛାଡି କିଛି ଦୂରବର୍ତ୍ତୀ ସ୍ଥାନ ଅଭିମୁଖେ ଚାଲିଲେ । ସେ ନୂତନ ସ୍ଥାନ ଥିଲା ଅତ୍ୟନ୍ତ ମନୋରମ । ଯମୁନା ନଦୀ କୂଳରେ ଅସଂଖ୍ୟ ଫଳ ପୁଷ୍ପମୟ ବୃକ୍ଷଲତାରେ ସେ ସ୍ଥାନ ଶୋଭା ପାଉଥିଲା । ସେଠାରେ ଛଅଟିଯାକ ଋତୁ ନିଜ ନିଜ ବିଶେଷତ୍ୱ ପ୍ରଦର୍ଶନ କରୁଥିଲେ । ପକ୍ଷୀମାନଙ୍କ କୁଜନରେ ସେ ସ୍ଥାନ ସର୍ବଦା ମୁଖରିତ ହେଉଥିଲା । ବିଶେଷତଃ ବସନ୍ତ କାଳରେ ସେ ସ୍ଥାନର ଶୋଭା ଅବର୍ଣ୍ଣନୀୟ ହେଉଥିଲା । ସେ ସ୍ଥାନ ନିର୍ବାଚନ କରିଥିବା ହେତୁ କୃଷ୍ଣ ବଳରାମ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେଲେ । ସେ ସ୍ଥାନର ନାମ ହେଲା ବୃନ୍ଦାବନ ।
ପ୍ରଥମେ ପ୍ରଥମେ ତ କେହି କେହି ନିଜ ନିଜର ପୁରୁଣା ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ଆସିବା ନିମନ୍ତେ ବିଶେଷ ଆଗ୍ରହୀ ନଥିଲେ । ଜନ୍ମ ଗାଁର ମୋହ ଛାଡିବା କ’ଣ ଏତେ ସହଜ? କିନ୍ତୁ ସମସ୍ତେ ଯେତେବେଳେ ଆସିବାକୁ ପ୍ରସ୍ତୁତ ହେଲେ, ସେମାନେ ବା ସେଠାରେ ଆଉ କରିବେ କ’ଣ? ବିଶେଷତଃ ନନ୍ଦ ରାଜା ଯେପରି ବିବେକୀ, ସେହିପରି ଦୂରଦର୍ଶୀ । ସେ ଯେତେବେଳେ ସମସ୍ତଙ୍କୁ ସ୍ଥାନ ଛାଡି ନୂଆ ଅଂଚଳକୁ ଉଠିଯିବାକୁ ନିର୍ଦ୍ଧେଶ ଦେଲେ, ସେତେବେଳେ ସେମାନେ ଆଉ ଆପତ୍ତି କଲେ ନାହିଁ । ତେବେ ନୂଆ ସ୍ଥାନରେ କିପରି ଚଳିବେ, ସେ ବିଷୟରେ ସେମାନଙ୍କ ମନରେ ସନ୍ଦେହ ରହିଥିଲା । ବର୍ତ୍ତମାନ ସେ ସନ୍ଦେହ ଯେ ଖାଲି ଦୂର ହେଲା, ତାହା ନୁହେଁ, ବରଂ ସେଠାରେ ସେମାନେ ଆନନ୍ଦରେ ଆତ୍ମହରା ହୋଇ ରହିଲେ । ବାରମ୍ବାର ନନ୍ଦ ରାଜାଙ୍କୁ ଧନ୍ୟବାଦ ଜଣାଇଲେ ।