ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗଜ ମୂର୍ଖ

ଗୋଲିଆ କାଠ କାଟି ସେସବୁ ବିକ୍ରି କରି ସେଇଥିରେ ହିଁ ସେ ତା’ର କୁଟୁମ୍ବ ଚଳାଏ । ଦିନେ ବଣକୁ ଯିବା ବାଟରେ ସେ ଏକ ଚକଚକିଆ ଛୋଟ ପଥର ପରି କିଛି ପଡିଥିବାର ଦେଖିଲା । ତା’ପରେ ସେଇଟିକୁ ସେ ହାତରେ ଉଠାଇ ନେଇ ଏପଟ ସେପଟ କରି ଦେଖିଲା । ତାହା ଦେଖିବାକୁ ସୁନ୍ଦର ହୋଇଛି । ପୁଣି ସେଥିରେ ସୂର୍ଯ୍ୟକିରଣ ପଡିବାରୁ ଯେମିତି ଲାଗୁଛି ସେଥିରୁ ଆଲୁଅ ବାହାରୁଛି ।

                ଠିକ୍ ସେତିକିବେଳେ ସେଇ ବାଟରେ ବଣିଆଟିଏ ଯାଉଥିଲା ସେ କୌତୁହଳୀ ହୋଇ ଆସି ଉକ୍ତ ପଥରଟିକୁ ଦେଖିଲା ଏବଂ କହିଲା, “ମୁଁ ତତେ କୋଡିଏ ଟଙ୍କା ଦେବି ଏଇଟି ତୁ ମୋତେ ବିକ୍ରି କରି ଦେ ।”

                ତା’କଥା ଶୁଣି ଗୋଲିଆ କହିଲା, “ଏତେ କମ୍ ଦାମ୍ରେ ମୁଁ କେବେବି ଏହାକୁ ବିକିବି ନାହିଁ । ଆଉ ଦଶଟଙ୍କା ଅଧିକା ଯଦି ଅଧିକ ଦେବ, ତେବେ ମୁଁ ଏହାକୁ ତୁମକୁ ଦେବି ।”

                ବଣିଆ କହିଲା, “ହଉ ହେଲା ତୋ କଥା ରହୁ ମୋ କଥା ବି ରହୁ ମୁଁ ଆଉ ପାଂଚଟଙ୍କା ଅଧିକ ଦେବି । ସେତିକିରେ ଦେଲେ ଦେ ନହେଲେ ନାହିଁ ମୁଁ ଯାଉଛି ।”

                ଏଭଳି କଥା ଶୁଣି ଗୋଲିଆ ଅଳ୍ପ ହସି କହିଲା, “ହେଉ ଯାଅ ।”

                ବଣିଆ ଭାବିଲା, “ଏ ବଣରେ କିଏ ତାକୁ ପ୍ରକୃତ ମୂଲ୍ୟ ଦେବ – ଫେରିଆସେ ଦେଖିବା । ଖାଲିଟାରେ ପାଂଚଟଙ୍କା ଅଧିକ କିଏ ଦେବ ।”

                କିଛି ସମୟ ପରେ ବଣିଆ ସେଇବାଟରେ ଫେରିଲା । ସେତେବେଳକୁ ଗୋଲିଆ କାଠ କାଟିସାରି ବିଶ୍ରାମ ନେଉଥାଏ । ବଣିଆ କହିଲା, “ଏବେ ତ ତୁ ସେଇଟି ମତେ ଦେ ।”

                ଏକଥା ଶୁଣି ଗୋଲିଆ କହିଲା “ଆରେ ସେଇଟା ତ ଜଣେ ଶହେ ଟଙ୍କାରେ ନେଇଗଲା?”

                “କ’ଣ ହେଲା? ହଇରେ ତୁ ଏଡେ ମୂର୍ଖ? ଦଶହଜାର ଟଙ୍କାର ହୀରାକୁ ମାତ୍ର ଶହେ ଟଙ୍କାରେ ତୁ ବିକିଲୁ?” ଏତକ କହି ବଣିଆ ମୁଣ୍ଡରେ ହାତଦେଇ ବସିଲା ।

                ତହୁଁ ଗୋଲିଆ କହିଲା “ମୂର୍ଖ ମୁଁ ନା ତମେ?” ତମେ ପରା ପାଂଚଟଙ୍କା ଲୋଭରେ ସେଇଟା ଛାଡି ଯାଇଥିଲ? ମୁଁ ତ ହେଲେ ନିପଟ ମୂର୍ଖ ହୀରା ଚିହ୍ନିନି । ତମେ ଯାହା ଚିହ୍ନିସାରି ପାଂଚଟଙ୍କା ଲୋଭରେ ତାଙ୍କୁ ଛାଡିଦେଲ । ତେଣୁ ତୁମେ ଏକ ନିହାତି ଗଜ ମୂର୍ଖ ।”

                ଶେଷରେ ସେ ବଣିଆ ତା’ କାନମୁଣ୍ଡା ଆଉଁସି ଘରକୁ ଗଲା । ସେତେବେଳେ ମଧ୍ୟ ଗୋଲିଆ ପାଖରେ ସେ ପଥରଟି ଥାଏ । ଏସବୁ କଥା ଶୁଣି ଗୋଲିଆ ଖାଲି ହସୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ