ଯେଉଁ ଲୋକ ଅପର ପାଖରୁ ଜିନିଷ ପତ୍ର ଆଣି ନଦିଏ ତାହାକୁ କହନ୍ତି ଫାଙ୍କି ବାଜ ଓ ଦୁଆଳିଆ । ସେ ଲୋକକୁ କେହି ହେଲେ ମଧ୍ୟ ବିଶ୍ୱାସ କରି ଜିନିଷ ପତ୍ର କିମ୍ବା ଟଙ୍କା ପଇସା ଧାର ଉଧାର ଦିଅନ୍ତି ନାହିଁ । ଏହି ଫାଙ୍କି ବାଜ ଭିତରୁ ଗୋପାଳ ଥିଲେ ଜଣେ । ସେ ଯାହା ପାଖରୁ ଧାର ଉଧାର ଆଣେ ତାକୁ ଦେବାକୁ ମନ କରେନା । ଲୋକ ମାଗିଲେ ତାଙ୍କ ଉପରେ ଓଲଟ ପ୍ରଭୁତ୍ୱ ଦେଖାଇ ତାଙ୍କ ପାଖରେ ମିଛ ଆପତ୍ତି କରି ଭାଣ୍ଡାମି ବୁଦ୍ଧିରେ ତାକୁ ହଲାପଟା କରେ । ତେଣୁ ଗୋପାଳକୁ କେହି ଲୋକ ବିଶ୍ୱାସ କରି କେବେ କିଛି ଜିନିଷ ପତ୍ର ଦିଅନ୍ତି ନାହିଁ । କଥାରେ ଅଛି ସ୍ୱାମୀ ଅନୁଗତା ସ୍ତ୍ରୀ ସ୍ୱାମୀର ସହଧର୍ମିଣୀ । କିନ୍ତୁ ଗୋପାଳ ଭାଣ୍ଡର ସ୍ତ୍ରୀ ସ୍ୱଭାବ ଓଲଟା । ସେ ସହଧର୍ମିଣୀ ନାମ ପରିବର୍ତେ ନାମ ବହିଛି ସହଧର୍ମିଣୀ । ଗୋପାଳ ଭାଣ୍ଡ ହେଲେ, ସେ ଭାଣ୍ଡି । ଏ କଥାଟି ଆଖ ପାଖ ପାଂଚ, ପଚିଶ ଖଣ୍ଡ ଗ୍ରାମର ଲୋକେ ଜାଣନ୍ତି ।
ଆଉ ମଧ୍ୟ ସେତେ ବେଳେ ବଙ୍ଗ, ବିହାର ଓ ଓଡିଶାର ପ୍ରତି ଗ୍ରାମରେ ହାଟ ବଜାର ନଥିଲା । ତେଣୁ ଗରିବ ଲୋକ ମାନେ କିମ୍ବା ଚାଷୀ ମାନେ ପରିବା ପତ୍ର ନେଇ ପ୍ରତି ଗ୍ରାମରେ ବିକ୍ରୟ କରନ୍ତି । ସ୍ତ୍ରୀ ଛୁଆ ପିଲା ମାନେ ଧାନ, ଚାଉଳ, ଟଙ୍କା ପଇସା ଦେଇ କିଣି ରଖନ୍ତି । ଏହା ଆଦ୍ୟରୁ ଚଳି ଆସୁଛି ।
ଦିନେ ଜଣେ ବ୍ୟବସାୟୀ ବୋଝେ ପନି ପରିବା ମୁଣ୍ଡାଇ ଗୋପାଳ ଭାଣ୍ଡ ରହୁଥିବା ଗ୍ରାମରେ ଆସି ପହଁଚିଲା । ଲୋକଙ୍କ ସାହାଯ୍ୟରେ ବୋଝଟିକୁ ମୁଣ୍ଡରୁ ଓହ୍ଲାଇ ତଳେ ଥୋଇବା ମାତ୍ରେ ମନକୁ ଗଧ ବେଢିଲା ପରି ଗ୍ରାମ୍ୟ ସ୍ତ୍ରୀଏ ଆସି ବୋଝ ଚାରି ପାଖେ ଘେରି ଯେ ଯାହା ନେବାର କଥା ସେ ତାହା ବାଛି ଓଜନ କରି ପଇସା ଦେଇ ଚାଲି ଗଲେ । ସେଥି ମଧ୍ୟରେ ଭାଣ୍ଡର ସ୍ତ୍ରୀ ଆସି ଦୁଇ ସେର ବାଇଗଣ ଓଜନ କରି ତା ଜାଗାରେ ରଖି ବୋପାରୀକୁ କହିଲା – ଆମର ମୁରବୀ ଘରେ ନାହାଁନ୍ତି । ସେ ଆଉ ଘଂଟାକ ମଧ୍ୟରେ ଆସିବେ । ତୁମେ ଯାଅ, ଅନ୍ୟ ଜାଗାରେ ବିକ୍ରୀ କରି ଏ ବାଟେ ଫେରିଲେ ପଇସା ନେଇ ଯିବ । ଏ କଥା ଶୁଣି ବେପାରୀ ଜଣକ କହିଲା –
ମୋ ପାଖରେ ଧାର ବାକି ଚଳେନା ଭାଣ୍ଡ ବୋହୂ, ତୁମ ଭାଣ୍ଡକୁ ମୁଁ ଭଲ କରି ଚିହ୍ନେ । ଯାହା ନେବ ଦେବ ବୋଲି କହି ଦେବନି । ମାଗିଲେ ଓଲଟା ଅପମାନ । ସେଥି ଲାଗି କହୁଛି କାଦୁଅକୁ ପଶିବି ନାହିଁ କି ଗୋଡ ଧୋଇବି ନାହିଁ । ତୁମେ ଏ ହାତରେ ପଇସା ଦିଅ, ସେ ହାତରେ ବାଇଗଣ ନିଅ । ନୋହିଲେ ସିଧା ସିଧା ନିଜ ବାଟ ନିଜେ ଦେଖ ।