ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୋପୀର ଅନୁମାନ

ଏକଦା ଗୋପୀର ଟିକିଏ ମଥା ଖରାପ ହୋଇଯାଇଥିଲା । ତା’ର କାକା ପୁଅ ଭାଇ ସମୀର ତାକୁ ସହରକୁ ନେଇଯାଇ ଜଣେ ଭଲ ବୈଦ୍ୟଙ୍କ ପାଖରେ ଦେଖାଇଲା । ବୈଦ୍ୟ କିଛି ଦିନ ଧରି ତା’ର ଚିକିତ୍ସା କଲେ ଓ ତାକୁ ସମ୍ପୂର୍ଣ୍ଣ ଭଲ ହୋଇଯିବାର ପ୍ରତିଶୃତି ଦେଇ ଘରକୁ ପଠାଇ ଦେଲେ ।

                ଗୋପୀ ଘରକୁ ଫେରୁଥାଏ । ଗ୍ରାମ ପାଖ ହୋଇ ଆସିଲାଣି, ଦେଖିଲା ଗୋଟିଏ ତେନ୍ତୁଳିଗଛ ତଳେ ଜଣେ ଲୋକ ବସିଛି ଓ ସେ ତାକୁ ଆଖି ଡବଡବ କରି ଚାହିଁ ରହିଛି । ତାକୁ ଦେଖି ଗୋପୀକୁ ଲାଗିଲା କି ସେ ସେହି ଲୋକକୁ କେଉଁଠି ଗୋଟେ ଦେଖିଛି ।

                ଗୋପୀ ତା’ ପାଖକୁ ଆସି କହିଲା, “ମହାଶୟ, ମୁଁ ଆପଣଙ୍କୁ କେଉଁଠି ଦେଖିଛି । ମୋର ଯେତେଦୂର ମନେ ପଡୁଛି ଗତବର୍ଷ ନରିପୁରରେ ନାରାୟଣବାବୁଙ୍କ ପୁତ୍ରର ବିବାହ ଉତ୍ସବରେ ମୁଁ ଆପଣଙ୍କୁ ଦେଖିଛି । ନୁହେଁ?”

                ଭଦ୍ରଲୋକ କହିଲେ, “ନାହିଁ ତ? ସେପରି କିଛି ମୋର କାଇଁ ମନେ ପଡୁନାହିଁ । ତା’ପରେ ଗୋପୀ କହିଲା, “ହଁ, ହଁ, ମନେ ପଡିଲା, ବରାହପୁରରେ ପଶୁମାନଙ୍କ ହାଟରେ ମୁଁ ଆପଣଙ୍କୁ ଦେଖିଥିଲି । ନୁହେଁ କି?”

ଭଦ୍ରଲୋକ ଜଣକ ତାଙ୍କ ମୁହଁ ବିଷପିତା କରି କହିଲେ, “ନା ଆଦୌ ନୁହେଁ ।”

ଗୋପୀ କହିଲା “ତେବେ ଆଉ ଏକ ସମ୍ଭାବନା ଅଛି । ଠାକୁର ଜୟସିଂହଙ୍କ ନାତୁଣୀର ବିବାହରେ ଆମର ବୋଧେ ଦେଖା ହୋଇଥିଲା ।”

ଭଦ୍ରଲୋକ ବିରକ୍ତ ହୋଇ କହିଲେ, “ଓଃ ହେଲା, ବହୁତ ହେଲା, ଆଉ ବେଶି ଦରକାର ନାହିଁ । ମୁଁ ପରା ତୋ କାକା ପୁଅ ଭାଇ ସମୀର । ତୁ କାହିଁକି ସହରରୁ ପଳାଇ ଆସିଲୁ ଚାଲ୍ ଚାଲ୍ ମୋ ସହିତ ପୁଣି ସହରକୁ । ତୁ ଯାହା ଥିଲୁ ସେଇଆହିଁ ଅଛୁ ।” ଏତିକି କହି ସମୀର ତାକୁ ନେଇ ପୁଣି ସହରକୁ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ