ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ କାହାର ଯୋଗ୍ୟତା ଅଛି ।
ଭଦ୍ରାଙ୍କର ଏ ଚିନ୍ତା ତାଙ୍କ ସ୍ୱାମୀ ଦଣ୍ଡପାଣି ଠିକ୍ ଜାଣିପାରିଲେ । ସେ ନିଜେ ତାଙ୍କ ମନ ମଧ୍ୟରେ କୌଣସି ଏକ ଉପାୟ ପାଂଚିଲେ । ସେ ଦିନେ ତାଙ୍କ ଚାରିବୋହୁଙ୍କୁ ଡାକି ପ୍ରତ୍ୟେକଙ୍କୁ ମୁଠିଏ ମୁଠିଏ ଧାନ ଦେଇ କହିଲେ, ଯେତେବେଳେ ସେ ଧାନ ମୁଠିକ ମାଗିବେ ସେତେବେଳେ ତାହା ତାଙ୍କୁ ଫେରାଇ ଦେବ ।
ଚାରିବୋହୁ ଧାନ ନେଇ ନିଜ ନିଜ କକ୍ଷକୁ ଚାଲିଗଲେ । ବଡବୋହୁ ଉଜିକା ଭାବିଲା, “ଏ ମୁଠାଏ ଧାନ ନେଇ ମୁଁ ପୁଣି କେଉଁଠି ସାଇତିବି? ଯେତେବେଳେ ଶ୍ୱଶୁର ସେ ଧାନ ମାଗିବେ ମୁଁ ଭଣ୍ଡାର ଘରୁ ଆଣି ଦେଇଦେବି ନାହିଁ?” ଏତିକି ଭାବି ଧାନ ମୁଠାକ ସେ ସିଧା ଝରକା ବାହାରକୁ ଫୋପାଡି ଦେଲା ।
ଦ୍ୱିତୀୟ ବୋହୁ ଭୋଗବତୀର ଭାବନା ମଧ୍ୟ ଠିକ୍ ବଡବୋହୁ ପରି । ସେ ଭାବିଲା, “ଦେଖ ତ ଆମ ଶ୍ୱଶୁରଙ୍କ ବୁଦ୍ଧି । ଧାନ ମୁଠାଏ ରଖିବାକୁ ଦେଇଛନ୍ତି । ମୁଠା ମୁଠା ଧାନ ଆମେ ତ ବାଣ୍ଟି ଦେଉଛୁ, କୁଆ କୋଇଲି ଖାଇ ଯାଉଛନ୍ତି, ଆଉ ମୁଁ କ’ଣ ଏହାକୁ ସାଇତି ରଖିବି?” ଏତିକି ଭାବି ଦି’ ଚାରିଟା ଧାନ ସେ ନିଜେ ଚୋବାଇ ଖାଇଦେଲା ଓ ଆଉ ସବୁ ସେ ଚଢେଇମାନଙ୍କୁ ଖୁଆଇଲା ।
ତୃତୀୟ ବୋହୁ ତ ସବୁକଥାରେ ଭାରି ସାବଧାନ୍ । ସେ ଧାନଗୁଡିକ ନେଇ ପାଟକନାରେ ବାନ୍ଧି ଗୋଟିଏ ବାକ୍ସରେ ରଖିଲା ।
ଚତୁର୍ଥ ବୋହୁ ରୋହିଣୀ ସଦା ସର୍ବଦା ଭବିଷ୍ୟତ କଥା ଭାବୁଥାଏ । ସେ ଭାବିଲା ଧାନଗୁଡିକ କ’ଣ ହେବ କାହିଁ ଶ୍ୱଶୁର ତ ତାହା କହିଲେ ନାହିଁ । ତେଣୁ ସେ ତା’ ମା’ ଘରକୁ ପଠାଇ ଦେଇ କହିଲା ଏହାକୁ ଯତ୍ନର ସହିତ ଏକ ସ୍ୱତନ୍ତ୍ର କ୍ଷେତରେ ବୁଣିବ । ସେମାନେ ସେହିଭଳି କଲେ । ବର୍ଷ ଶେଷରେ ବହୁତ ଧାନ ଅମଳ ହେଲା । ପୁଣି ସେଥିରୁ କିଛି ରଖି ସବୁଗୁଡିକ ବୁଣି ଦିଆଗଲା । ବର୍ଷ ଶେଷରେ ଅନେକ ଧାନ ଅମଳ ହେଲା । ଏହିପରି ଭାବେ ପାଞ୍ଚବର୍ଷ ଧରି ଅମଳ ଚାଲିଥାଏ ।