କମଳା ତା’ପିଲାଦିନରୁ ମାତୃହୀନା । ପିତାଙ୍କର ବିଶେଷ ରୋଜଗାର ନ ଥିଲେ ମଧ୍ୟ ଅତି ଆଦରରେ ଝିଅ କମଳାକୁ ସେ ଉଭୟ ପିତାମାତାଙ୍କ ସ୍ନେହ ଦେଇ ଲାଳନ ପାଳନ କରିଥାନ୍ତି । ଭଗବାନ ଧନ ସମ୍ପତ୍ତି ନ ଦେଇଥିଲେ ମଧ୍ୟ କମଳାକୁ ଅଶେଷ ସୌନ୍ଦର୍ଯ୍ୟ ଧନରେ ଧନୀ କରିଥାନ୍ତି । ସମସ୍ତେ କମଳାଙ୍କର ସୁନ୍ଦର ରୂପର ଭୁରିଭୁରି ପ୍ରଶଂସା କରନ୍ତି । କମଳା ଧୀରେ ଧୀରେ ଜାଣିପାରିଲେ, ସେ ପ୍ରକୃତରେ ଅପୂର୍ବ ସୁନ୍ଦରୀ । ତେଣୁ ମନ ତାଙ୍କର ସ୍ୱପ୍ନଲୋକରେ ବିଚରଣ କରିବାରେ ଲାଗିଲା । କେଉଁ ଏକ ଜମିଦାର ବା ଧନୀକ ବ୍ୟକ୍ତି, ତାଙ୍କର ଏହି ସୁନ୍ଦର ରୂପ ପାଇଁ ତାଙ୍କୁ ବିବାହ କରିବେ ଓ ସେ ଖୁବ୍ ସମ୍ଭ୍ରାନ୍ତ ମହିଳା ଭାବେ ସୁଖୀ ଜୀବନ ବିତାଇବେ, ଏହି କଳ୍ପନାରେ ତାଙ୍କ ଦିନ କଟୁଥାଏ ।
କମଳାଙ୍କ ବିବାହ ପାଇଁ ଅନେକ ପ୍ରସ୍ତାବ ଆସିଲା । କିନ୍ତୁ ସବୁ ପ୍ରସ୍ତାବ ମଧ୍ୟବିତ୍ତ ପରିବାରରୁ ଆସୁଥାଏ । ତାହା ପୁଣି ଯୌତୁକ ଦାବୀ କାରଣରୁ ଭାଙ୍ଗି ଯାଉଥାଏ । ପିତାଙ୍କର ଯୌତୁକ ଦେବାର ଅସମର୍ଥତା ହେତୁ କୌଣସି ପ୍ରସ୍ତାବ ସ୍ଥିର ହୋଇ ପାରୁ ନ ଥାଏ ।
ଏପରି ପରିସ୍ଥିତିରେ, ସହରରେ ଚାକିରୀ କରୁଥିବା କିଶୋର କମଳାଙ୍କୁ ଦେଖି ଖୁବ୍ ପସନ୍ଦ କଲେ । ତାଙ୍କର ମଧ୍ୟ ପିଲାଦିନରୁ ପିତାମାତାଙ୍କର ଦେହାନ୍ତ ଘଟିଥିଲା । ବିନା ଯୌତୁକରେ ସେ କମଳାଙ୍କୁ ବିବାହ କରିବାକୁ ରାଜି ଥିଲେ । ଏସବୁ ଦେଖି ସମ୍ପର୍କୀୟମାନେ କମଳାଙ୍କ ଭାଗ୍ୟର ପ୍ରଶଂସା କଲେ । କିନ୍ତୁ କମଳା ନିରାଶ ହେଲେ । କାରଣ ତାଙ୍କର ଉଚ୍ଚାଭିଳାଷ ଓ ଏଇ ବିବାହ ମଧ୍ୟରେ ଆକାଶ-ପାତାଳ ପ୍ରଭେଦ ଥିଲା ।
ସହରରେ କିଶୋରଙ୍କର ନିଜ ଘର ଥାଏ । ବିବାହ ପରେ ସେ ଦୁହେଁ ସେଠାରେ ରହିବା ପାଇଁ ଆସିଲେ । କିଶୋର ତାଙ୍କ ପତ୍ନୀଙ୍କୁ ଖୁବ୍ ଭଲ ପାଉଥାନ୍ତି । ଖାଇବା ପିଇବା ସେ କେଉଁଥିରେ କିଛିବି ଅଭାବ କରନ୍ତି ନାହିଁ । କିନ୍ତୁ କମଳାଙ୍କର ମନ ସବୁବେଳେ ଉଦାସ ଥାଏ । ରେଶମୀ ଶାଢୀ, ବିଭିନ୍ନ ଦାମୀ ଗହଣାର ସ୍ୱପ୍ନ ତାଙ୍କୁ ଘାରୁଥାଏ ।
ଥରେ କିଶୋରଙ୍କର ଜଣେ ସମ୍ପର୍କୀୟ ଏକ ବିଭାଘର ନିମନ୍ତ୍ରଣ ଦେବାପାଇଁ ଆସିଲେ । ଏହି ବ୍ୟକ୍ତି ଅଭାବ ସମୟରେ କିଶୋରଙ୍କୁ ବହୁତ ସାହାଯ୍ୟ କରିଥିଲେ । ତେଣୁ କିଶୋର ତାଙ୍କ ନିମନ୍ତ୍ରଣ ସ୍ୱୀକାର କରି କମଳାଙ୍କୁ କହିଲେ, “ଆମେ ଏଇ ଉତ୍ସବରେ ଯୋଗ ଦେବାପାଇଁ ନିଶ୍ଚୟ ତାଙ୍କ ଗ୍ରାମକୁ ଯିବା ।” କମଳା କିନ୍ତୁ ଏଥିରେ ବିଶେଷ ଉତ୍ସାହ ଦେଖାଇଲେ ନାହିଁ ।
ସେ କହିଲେ, “କେଉଁ ମୁହଁରେ ମତେ ତାଙ୍କ ଘରକୁ ଯିବାପାଇଁ କହୁଛ? ମୋର ଗଳାରେ ସୁନାହାରଟିଏ ନାହିଁ । ପିନ୍ଧିବା ପାଇଁ ଭଲ ଶାଢୀ ଖଣ୍ଡେ ନାହିଁ । ସମସ୍ତେ ମୋତେ ଦେଖି ସେଠାରେ ଉପହାସ କରିବେ । ସମସ୍ତଙ୍କ ଆଗରେ ମୋର ମୁହଁ ତଳକୁ ହେବ । ତୁମର ଇଚ୍ଛା ଥିଲେ ଯାଅ । ହେଲେ ମୋ ଯିବାର ନାମ ଧର ନାହିଁ ।”
ଏଭଳି କଥା ଶୁଣି କିଶୋର ଆଉ କିଛିବି ନ କହି ଚୁପ୍ ରହିଲେ । ମାଲିକଙ୍କ ପାଖରୁ କିଛି ଟଙ୍କା କରଜ ଆଣି ଖଣ୍ଡେ ଭଲ ଶାଢୀ କିଣିଲେ । ନୀଳ ରଙ୍ଗର ସେହି ଚମତ୍କାର ଶାଢୀ ସହିତ ମଲ୍ଲୀଫୁଲର ମାଳାଟିଏ କିଣି ଘରକୁ ଫେରିଲେ ।
ସେ ସବୁ ପତ୍ନୀଙ୍କ ହାତରେ ଦେଇ ସେ ସ୍ନେହରେ କହିଲେ, “କମଳା, କୌଣସି ଆଭୂଷଣ, ତୁମର ସୌନ୍ଦର୍ଯ୍ୟର ସରି ହେବ ନାହିଁ । ହଁ ମୁଁ ମାନୁଛି, କୌଣସି ଶୁଭକାମରେ ବିନା ଆଭୂଷଣରେ ଯିବା ମଧ୍ୟ ଠିକ୍ ନୁହେଁ । ତୁମେ ଗୋଟିଏ କାମ କର । ଆମ ପଡୋଶୀ ଘର, ଭଉଣୀ ଚନ୍ଦ୍ରକାନ୍ତାଙ୍କର ଅନେକ ସୁନା ଗହଣା ରହିଛି । ଆମେ ତ ଦୁଇ ତିନିଦିନ ମଧ୍ୟରେ ସେଠାରୁ ଫେରି ଆସିବା । ତେଣୁ, ତୁମେ ତାଙ୍କଠାରୁ ସୁନାହାରଟିଏ ମାଗି ଆଣି ପିନ୍ଧିବ, ଆମେ ଆସିଲେ ତାଙ୍କୁ ତାଙ୍କ ଜିନିଷ ଫେରାଇଦେବା ।”