ଗୋଟିଏ ରାଜ୍ୟରେ ‘ଚନ୍ଦ୍ରଦେବ’ ନାମକ ରାଜାଥିଲେ । ତାଙ୍କର ପୁତ୍ର ଉପବନରେ ଦଳେ ମାଙ୍କଡ ରଖିଥିଲେ । ରାଜକୁମାର ପ୍ରତିଦିନ ସେହି ମାଙ୍କଡ ମାନଙ୍କୁ ଖାଇବାକୁ ଦେଇ ପୋଷା ମନାଇ ଥାଆନ୍ତି । ସମୟ ପାଇଲେ ଉପବନରେ ସେମାନଙ୍କ ସହିତ ନାନାଦି ଖେଳ ଖେଳନ୍ତି । ମାଙ୍କଡ ମାନଙ୍କ ବ୍ୟତୀତ ରାଜକୁମାର କେତେଗୁଡିଏ ମେଣ୍ଢାଙ୍କୁ ମଧ୍ୟ ପାଳିଥାଆନ୍ତି । ମେଣ୍ଢାପଲ ମଧ୍ୟରେ ଗୋଟିଏ ଦୁଷ୍ଟ ମେଣ୍ଢା ଥାଏ । ସେ ପ୍ରତିଦିନ ରାଜାଙ୍କର ରୋଷେଇ ଶାଳରେ ପଶି ଯାହା ରନ୍ଧା ହୋଇଥାଏ, ସେଥିରେ ମୁହଁ ମାରେ । ରାଜାଙ୍କ ରୋଷେଇୟାମାନେ ମେଣ୍ଢାକୁ ଦେଖିବା ମାତ୍ରକେ କାଠ, ଚଟୁ ଯାହା ପାଆନ୍ତି ତାହା ଧରି ଘଉଡାଆନ୍ତି । ପୂଜାରୀ ମାନଙ୍କୁ ଦେଖିବା ମାତ୍ରକେ ମେଣ୍ଢାଟି ମେଣ୍ଢାଶାଳ ଆଡକୁ ଦୌଡେ ।
ମେଣ୍ଢାଟି ଏହିପରି ଦୌଡି ଦୌଡି ଯିବା ସମୟରେ ମାଙ୍କଡ ମାନଙ୍କର ଦଳପତି ଗଛ ଉପରେ ବସି ଏହି ଦୃଶ୍ୟ ଦେଖନ୍ତି । ଏହା ଦେଖି ସେ ଚିନ୍ତା କଲେ ଦିନେ ଏଇ ମେଣ୍ଢାମାନଙ୍କ ପାଇଁ ମାଙ୍କଡ ମାନଙ୍କର ପ୍ରାଣଯିବ । ଏହାଭାବି ଦଳପତି ତାଙ୍କ ଦଳର ସବୁ ମାଙ୍କଡକୁ ଏକଥା କହିଲେ । ମାଙ୍କଡ ମାନଙ୍କର ଦଳପତି କହିଲେ, ମେଣ୍ଢାଟି ପ୍ରତିଦିନ ରାଜାଙ୍କ ରୋଷେଇ ଶାଳରେ ପଶୁଛି । ତାକୁ ଦେଖି ପୂଜାରୀମାନେ କାଠ ଧରି ଗୋଡାଉଛନ୍ତି । ଯଦି ଦୁର୍ଭାଗ୍ୟବଶତଃ ମେଣ୍ଢାଟି ପୋଡିଯାଏ ଏବଂ ସଂଗେ ସଂଗେ ସେ ଘୋଡା ଶାଳ ବାଟ ଦେଇ ଯିବା ସମୟରେ ସେଠାରେ ଥିବା ଶୁଖିଲା ଘାସ, ପତ୍ରରେ ନିଆଁ ଲାଗିଲେ ଘୋଡାମାନେ ପୋଡିଯିବେ । ଭାଇମାନେ ତୁମେ ଜାଣିନକି ଘୋଡା ମାନଙ୍କ ଚମଡା ପୋଡିଗଲେ ତାହା କେବଳ ମାଙ୍କଡ ଚର୍ବି ଦ୍ୱାରା ଭଲ ହୋଇଥାଏ । ତେଣୁ ଘୋଡା ମାନଙ୍କୁ ବଂଚାଇବାପାଇଁ ରାଜା ଆମ୍ଭମାନଙ୍କୁ ମାରିବାପାଇଁ ଆଦେଶ ଦେବେ । ଏତେ କଥା ହେବା ଆଗରୁ ଆମେ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବା ଭଲ ହେବ ।