ଦାମ ନିଜେ ଦରିଦ୍ର ହେଲେ ମଧ୍ୟ ଧନୀ ବଂଶରେ ତା’ର ଜନ୍ମ । ତା’ ବାପା କୌଣସି ବ୍ୟବସାୟରେ ସବୁ ସମ୍ପତ୍ତି ଉଡାଇ ଦେଲେ ଅଥଚ ସେ ଲାଭବାନ୍ ହୋଇ ପାରିଲେ ନାହିଁ । ଚିନ୍ତାଗ୍ରସ୍ତ ହୋଇ ହୃଦୟ ଦୌର୍ବଲ୍ୟ ଦେଖାଦେଲା ଓ ତାଙ୍କର ମୃତ୍ୟୁ ହେଲା । ସେତେବେଳେ ଦାମର ଚାରିଟି ପିଲା ।
ହଠାତ୍ ଏତେ ଟଙ୍କା କେଉଁଠୁ ଆସିବ? ଭାବିଲା, ଚାକିରୀ କରିବ । ନିଜ ଗ୍ରାମରେ ତ ଅସମ୍ଭବ । ତେଣୁ ସେ ଦୂର ଗ୍ରାମକୁ ଚାକିରୀ ଖୋଜି ଖୋଜି ଗଲା । ତା’ସ୍ତ୍ରୀପିଲା ମଧ୍ୟ ତା’ ସହିତ ଗଲେ । ସମସ୍ତେ ମିଶି କାମ କଲେ ମଧ୍ୟ ଯେତିକି ମଜୁରୀ ମିଳେ, ତାହା ପରିବାର ପୋଷଣ ପାଇଁ ଯଥେଷ୍ଟ ନୁହେଁ ।
ସେ ଗ୍ରାମର ଲୋକମାନଙ୍କଠାରୁ କିଛିକିଛି ଟଙ୍କା କରଜ ମଧ୍ୟ କରିଥିଲା । ସେସବୁ ଶୁଝି ପାରିଲା ନାହିଁ ବୋଲି ଗ୍ରାମବାସୀ ଆଉ କରଜ ମଧ୍ୟ ଦେଲେ ନାହିଁ । ପିଲାମାନେ ଭୋକରେ ଛଟପଟ ହୁଅନ୍ତି, ଖାଇବାକୁ କିଛି ନଥାଏ । ଦାମର ମନ ବଡ କଷ୍ଟ ହୁଏ । ଦିନେ ସେ ଜଣେ ଧନୀ ଲୋକ ଘର ଆଗରେ ବୁଲୁଥାଏ । ତାଙ୍କ ଘରେ ବିବାହ ଉତ୍ସବ ଚାଲିଥାଏ । ଚାରିଆଡ ରଙ୍ଗୀନ ଆଲୋକରେ ସଜା ହୋଇଥାଏ । ମନଛୁଆଁ ଗୀତର ରେକର୍ଡ ସବୁ ବାଜୁଥାଏ । ଅନେକ ଲୋକ ଯିବା ଆସିବା କରୁଥା’ନ୍ତି । ନାନାପ୍ରକାର ଖାଦ୍ୟସବୁ ତିଆରି ହେଉଥାଏ ଓ ଲୋକ ସେସବୁକୁ ଖାଉଥା’ନ୍ତି । ସେ ଦେଖିଲା ରୋଷେଇ ଘର ଆଡକୁ ଯାଇ ଥରେ ଚେଷ୍ଟା କରିବ, ଯଦି କିଛି ମିଳେ । ପୁଣି ଦେଖିଲା ତା’ର ପୋଷାକ ଅତି ମଇଳା ଓ ଛିଣ୍ଡା । ଯିଏ ଏଭଳି ଚକମକିଆ ବିଭାଘରରେ ତାକୁ ଦେଖିବ ସେ ସନ୍ଦେହ କରିବ । ଯାହାହେଉ କଷ୍ଟକରି ରୋଷେଇ ଘର ପର୍ଯ୍ୟନ୍ତ ସେ ଗଲା । ଅନ୍ୟମାନେ ଏତେ କାର୍ଯ୍ୟବସ୍ତ ଯେ କେହି କାହାକୁ ଦେଖିବାକୁ ମଧ୍ୟ ସମୟ ନାହିଁ । ମିଠାଟିଏ ଧରି ଖାଇବାକୁ ଯାଉଛି ଦେଖିଲା ଜଣେ ସ୍ତ୍ରୀ ଲୋକ ଅନ୍ୟପଟରୁ ଆସିଲା । ତେଣୁ ଦାମ ଏକ ବଡ ହଣ୍ଡାର ପଛପଟେ ଯାଇ ଲୁଚିଗଲା । ଲୁଚିଲୁଚି ଦେଖିଲା ସ୍ତ୍ରୀଲୋକଟି ଗୋଟିଏ ସୁନା ହାର ନିଜ ଲୁଗାଭିତରୁ ବାହାର କରି କେଉଁଠି ରଖିବ ତାହା ଭାବୁଛି; ଠିକ୍ ସେହି ସମୟରେ ଅନ୍ୟପଟରୁ କିଏ ଡାକିଲା, “କାନ୍ତା, ବାଇଗଣ ଭଜା ନେଇ ଆସ” । ସ୍ତ୍ରୀ ଲୋକଟି ତରବରରେ ଚୁଲି ଉପରେ ଥିବା ବଡ କ୍ଷିରୀ ହଣ୍ଡା ଭିତରେ ହାରଟି ପକାଇ ଦେଲା । ଏସବୁ ଦାମ ଦେଖିଲା । କିନ୍ତୁ ଏଣେ ଭୋକରେ ତା’ ପେଟ ପୋଡି ଯାଉଛି ।