ଥରେ ରାମ ଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ରାଜ ଦରବାରକୁ ଯାଇ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କଲେ । ରାଜା ଏଥିରେ ଖୁସି ହୋଇ ପୁରସ୍କାର ସ୍ୱରୂପ କିଛି ସୁନାରୂପା ତାଙ୍କୁ ଦେଲେ । ସେତକ ନେଇ ସେ ଖୁସିରେ ଘରକୁ ଫେରିଲେ । ବାଟରେ ତାଙ୍କ ବଡ ଭାଇ ଶଙ୍କର ଶାସ୍ତ୍ରୀଙ୍କ ଘରେ ସେଦିନଟି ସେ ଅଟକି ଗଲେ ।
ଶଙ୍କର ଶାସ୍ତ୍ରୀ ଦାରିଦ୍ର୍ୟ ମଧ୍ୟରେ ଦିନ କାଟୁଥା’ନ୍ତି । ଭାଇର ଏତେ ଧନ ଦେଖି ତାଙ୍କ ମନରେ ଭାରି ଇର୍ଷ୍ୟା ହେଲା । ରାତିରେ ସେ ଶୋଇଯିବା ପରେ ଶଙ୍କର ଶାସ୍ତ୍ରୀ ତାଙ୍କର ସୁନାରୂପା ପୂର୍ଣ୍ଣ ଥଳୀଟି ଉଠାଇ ନେଇ କେଉଁଠି ଲୁଚାଇ ଦେଲେ । ସକାଳୁ ରାମଶାସ୍ତ୍ରୀ ତାଙ୍କ ଥଳୀଟି ନପାଇ ବଡ ଭାଇଙ୍କୁ ସେ ଏ ବିଷୟରେ ପଚାରିଲେ ।
ଭାଇ କଥାରେ ମିଛ ସମବେଦନା ଜଣାଇ ଶଙ୍କର ଶାସ୍ତ୍ରୀ କହିଲେ “ଓହୋ, ଇଏ ତ ବଡ ଅନିଷ୍ଟ ହେଲା, ଏହା କୌଣସି ଚୋରର କାମ ହୋଇପାରେ ।”
ରାମଶାସ୍ତ୍ରୀ ଏବେ କ’ଣ କରିବେ ଭାବି ପାରିଲେ ନାହିଁ । କିନ୍ତୁ ବେଶ୍ ଜାଣିପାରିଲେ ଯେ ଏହା ତାଙ୍କ ବଡଭାଇଙ୍କର କୃତିତ୍ୱ । କିନ୍ତୁ ଚୋରୀର କଳଙ୍କ ତାଙ୍କୁ ଦେବାକୁ ସେ ଚାହୁଁ ନଥିଲେ । ତେଣୁ ସେ ବାଧ୍ୟ ହୋଇ ଗ୍ରାମର ମୁଖିଆଙ୍କ ପାଖକୁ ଯାଇ ତାଙ୍କୁ ସବୁକଥା ନିବେଦନ କଲେ । ମୁଖିଆ ବୁଦ୍ଧିମାନ୍ ଥିଲେ । ସେ କିଛି ସମୟ ଚିନ୍ତା କରିବା ପରେ ରାମଶାସ୍ତ୍ରୀଙ୍କ କାନରେ କିଛି କହିଲେ ।
ତା’ପରେ ସେ ତାଙ୍କ ଭାଇଙ୍କ ଘରକୁ ଫେରିଲେ । ଇତିମଧ୍ୟରେ ଦୁଇଜଣ ବ୍ୟକ୍ତି ମୁଖିଆଙ୍କ ପାଖରୁ ଆସି ରାମଶାସ୍ତ୍ରୀଙ୍କୁ ବାନ୍ଧି ନେଇ ଗଲେ । ବଡଭାଇ ବୁଝି ପାରିଲେ ନାହିଁ କି ରାମଶାସ୍ତ୍ରୀ କି ଅପରାଧ କରିଛି । ତେଣୁ ସେ ସାନଭାଇ ପଛେପଛେ ଯାଇ ମୁଖିଆଙ୍କ ପାଖରେ ପହଁଚିଲେ । ଶଙ୍କର ଶାସ୍ତ୍ରୀଙ୍କୁ ଦେଖିବା ମାତ୍ରେ ମୁଖିଆ କହିଲେ, “ଦେଖନ୍ତୁ ଶାସ୍ତ୍ରୀଜୀ, ଆପଣ ତ ଏଠାକାର ଜଣେ ଗଣ୍ୟମାନ୍ୟ ବ୍ୟକ୍ତି । ଆପଣଙ୍କ ସାନଭାଇଙ୍କ ନାମରେ ଯାହା କଳଙ୍କ ଉଠିଛି ମୋର ଅବଶ୍ୟ ବିଶ୍ୱାସ ହେଉନାହିଁ । ଏବେ ରାଜଧାନୀରୁ ଖବର ମିଳିଛି ଯେ ଆପଣଙ୍କ ସାନଭାଇ ରାଜାଙ୍କ ପାଖରୁ କିଛି ସୁନା ଓ ରୂପା ଚୋରାଇ ଆଣିଛନ୍ତି । ଆପଣଙ୍କ ଭାଇ ଯେ ଆପଣଙ୍କ ପାଖରେ ରହିଛନ୍ତି ଏକଥା କିଏ ରାଜାଙ୍କୁ କହିଦେଇଛି । ତେଣୁ ରାଜା ମୋ ପାଖକୁ ଖବର ପଠାଇଛନ୍ତି; ଚୋରୀ ଧନ ଖୋଜି ବାହାର କରିବାକୁ ଏବେ ଆପଣଙ୍କ ଘର ଖୋଜା ହେବ । ଏସବୁ କଥା କହିଲା ବେଳକୁ ମୋତେ ଭୀଷଣ ଖରାପ ଲାଗୁଛି, ହେଲେ ମୁଁ ନାଚାର । ମୁଁ ତ ପୁଣି ମୋର କର୍ତ୍ତବ୍ୟ କରିବି । ତାଛଡା ତୁମେ ତ ଭଲଭାବେ ଜାଣ ରାଜାଙ୍କ ଆଦେଶ କେବେବି ଏପଟ ସେପଟ ହେବନାହିଁ । ଏଥିରେ ଦୟାକରି ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ ।”
ଏଥିଉତାରେ ମୁଖିଆଙ୍କ ଲୋକମାନେ ଶଙ୍କର ଶାସ୍ତ୍ରୀଙ୍କ ଘର ଖୋଜିବାକୁ ଗଲେ । ଏଣେ ରାମଶାସ୍ତ୍ରୀ ମିଛରେ ବନ୍ଦୀ ହୋଇ ବସିଥା’ନ୍ତି । ସେମାନେ ଯାଇ ଦେଖିଲେ ଯେ, ରାମଶାସ୍ତ୍ରୀଙ୍କ ବିଛଣା ପାଖରେ ଥଳୀଟି ପଡିଛି । ଥଳୀ ଧରି ସେମାନେ ଲେଉଟି ଆସିଲେ ।
ଥଳୀଟି ଧରି ରାମଶାସ୍ତ୍ରୀ ଭାଇଙ୍କ ପାଖକୁ ଲେଉଟି ଆସି କହିଲେ, “ଏବେ ଖବର ମିଳିଲା ରାଜାଙ୍କର ଭୁଲ୍; ମୁଁ ନିର୍ଦ୍ଦୋଷ । ଏ ଥଳୀ ତ ସେ ନିଜ ହାତରେ ମୋତେ ପୁରସ୍କାର ଦେଇଛନ୍ତି । ଯାହା ହେଉ ଖାଲି ଖାଲିରେ ଝିଞ୍ଜଟ । ଏବେ ମୁଁ ଚାଲିଲି । ଏତିକି କହି ରାମଶାସ୍ତ୍ରୀ ନିଜ ଗ୍ରାମ ଆଡେ ଚାଲିଲେ । ଶଙ୍କର ଶାସ୍ତ୍ରୀ କାବା ହୋଇ ଭାଇର କଥା ଶୁଣୁଥିଲେ ଓ ଭାବୁଥିଲେ ନିଜେ କି ବୋକା ଓ ଭାଇ କି ଚାଲାକ୍ ।”