ଅତି ପ୍ରାଚୀନ କାଳର କଥା । କୌଣସି ଏକ ପ୍ରାଚୀନତମ ନଗରୀ ଥିଲା । ସେହି ନଗରୀରେ ବାସ କରୁଥିଲା ଦ୍ରୋଣ ନାମ ଏକ ଦରିଦ୍ର ବ୍ରାହ୍ମଣ । କେବଳ ଦାନ ଗ୍ରହଣ ପୂର୍ବକ, ସେ ତା’ର ସମସ୍ତ ଗୁଜୁରାଣ ମେଣ୍ଟାଉଥିଲା । ଏହା ବ୍ୟତୀତ ବ୍ରାହ୍ମଣ ଅନ୍ୟ କୌଣସି ଜୀବିକା ନଥିଲା । ଜରାଜୀର୍ଣ୍ଣ ଗୃହ ଖଣ୍ଡିକ ବ୍ୟତୀତ ତାଙ୍କ ପାଖରେ ଅନ୍ୟ କିଛି ନଥିଲା । ଅନ୍ୟ ଖାଦ୍ୟ ବସ୍ତ୍ର ତଥା ଅନ୍ୟ କୌଣସି ଭୋଗ୍ୟବସ୍ତୁ ସ୍ୱପ୍ନରେ ମଧ୍ୟ ସେ ଦେଖିବାକୁ ପାଇନଥିଲା । ଏ ସମସ୍ତ ଅଭାବରୁ ସେ ପାଲଟି ଯାଇଥିଲା କେବଳ ଅସ୍ତିମାର ମଣିଷ ଗୋଟିଏ । ସମସ୍ତ ଦୁଃଖରେ ହିଁ ବ୍ରାହ୍ମଣ ଅତି ଆପଣାର ଭାବରେ ତାହାକୁ ହିଁ ଜଗି ବସିଥିଲା ।
ଦିନକର କଥା ବ୍ରାହ୍ମଣର ଏପରି ଅବସ୍ଥାରେ ଜଣେ ଯଜମାନର ଦୃଷ୍ଟିରେ ଆସିବାରୁ ସେହି ଯଜମାନ ଜଣଙ୍କ ଦୟାପରବଶ ହୋଇ ଦରିଦ୍ର ବ୍ରାହ୍ମଣ ଦ୍ରୋଣକୁ ନିଜର ପାଖକୁ ଡାକିନେଇ ଦୁଇଗୋଟି ବାଛୁରୀକୁ ଦାନସ୍ୱରୂପରେ ପ୍ରଦାନ କଲା ।
ସଂସାର ମଧ୍ୟରେ ଯେଉଁ ବ୍ୟକ୍ତି ସଦା ଦରିଦ୍ରତାର କଷାଘାତରେ ବଞ୍ଚି ରହିଥିଲା ଅକସ୍ମାତ ଯେତେବେଳେ ଦୁଇଗୋଟି ଧନ ସ୍ୱରୂପ ବାଛୁରୀ ଦୁଇଟି ପାଇଲା ସେତେବେଳେ ସେ ସ୍ୱର୍ଗସମ ସୁଖ ଅନୁଭବ କରିବା ସହିତ ଯଜମାନଙ୍କୁ ପ୍ରାଣଭରି ଆଶୀର୍ବାଦ ଦେଲା ।
ଏହାପରେ ବ୍ରାହ୍ମଣଟି ବାଛୁରୀ ଦୁଇଗୋଟିକୁ ନିଜ ଗୃହକୁ ଆଣି ପ୍ରାଣପଣେ ସେମାନଙ୍କ ସେବାରେ ଲାଗିଗଲା । ସମସ୍ତ ଅଞ୍ଚଳରୁ ସଜତୃଣ ସଂଗ୍ରହକରି ବାଛୁରୀ ଯୋଡ଼ିକୁ ନିତ୍ୟ ଭୋଜନ କରିବାକୁ ଦିଅନ୍ତେ ଅଳ୍ପ ଦିନ ମଧ୍ୟରେ ବାଛୁରୀ ଯୋଡ଼ିକ ହୃଷ୍ଟପୁଷ୍ଟ ହୋଇଗଲେ । ସେମାନଙ୍କର ଏପରି ଚେହେରା ହୋଇଗଲେ ଯେ ରାସ୍ତା ଯିବା ଲୋକ ଘଣ୍ଟା ଘଣ୍ଟା ଧରି ଛଡ଼ାଯୋଡ଼ିକୁ ଦେଖିବାକୁ ଲାଗିଲେ । ଏଥି ସହିତ ଗୋପାଳର ପ୍ରକୃତ ଦକ୍ଷତାଲାଗି ବିପ୍ର ଦ୍ରୋଣକୁ ମଧ୍ୟ ପ୍ରଶଂସା କରିବାକୁ ଲାଗିଲେ ।