ବିଶ୍ୱନାଥ ତ ତାଙ୍କ ପିଲାକାଳରୁ ଅନେକ ମେହେନତ୍ କରି ସମ୍ପତ୍ତିବାଡି ସବୁ କରିଥିଲେ । ତାଙ୍କର ଜମିବାଡି ଥିଲା; ସେ ଟଙ୍କା ପଇସା ବି କରଜ ଲଗାଇ ସୁଧ ପାଉଥିଲେ; ତା’ଛଡା ତାଙ୍କର ଗୋଟାଏ ଦୋକାନ ବି ଥିଲା । ଏହିପରି ଭାବେ ତିନି ଦିଗରୁ ତାଙ୍କର ଭଲ ଆୟ ହେଉଥିଲା । ବିଶ୍ୱନାଥ କେବେ ବି କାହାରି ପ୍ରତି ଅନ୍ୟାୟ କରୁ ନଥିଲେ ।
ରାମନାଥ ବିଶ୍ୱନାଥଙ୍କର ଗୋଟିଏ ବୋଲି ପୁଅ ଯିଏକି ଯୁବା ବୟସରେ ମରି ଯାଇଥିଲେ । ତେବେ ସେ ରାମନାଥଙ୍କର ତିନୋଟି ପୁଅ ଥିଲେ । ବିଶ୍ୱନାଥ ସେମାନଙ୍କୁ ବହୁତ ସ୍ନେହ କରୁଥିଲେ । ସେମାନଙ୍କୁ ସେ ପାଠ ବି ପଢାଇଲେ । ସେମାନଙ୍କ ସବୁ ଆବ୍ଦାର ସେ ସହ୍ୟ କରୁଥିଲେ । ତାଙ୍କର ଆଶା ଥିଲା କି, ଭବିଷ୍ୟତରେ ଏହି ତିନି ନାତି ହିଁ ତାଙ୍କ ବେପାରର ତିନି ଶାଖା ପରିଚାଳନା କରିବେ ।
ଯଥା ସମୟରେ ସେ ବିଶ୍ୱନାଥ ତାଙ୍କ ବଡ ନାତିକୁ ଜମିଜମା ଦେଖିବା ଦାୟିତ୍ୱ ଦେଲେ; ମଝିଆଁ ନାତି ଉପରେ କରଜ ଦେବା ଓ ଅସୁଲ କରିବା କାର୍ଯ୍ୟ ନ୍ୟସ୍ତ କଲେ । ସବା ସାନ ନାତିକୁ ଦୋକାନ ଦେଖିବାକୁ ସେ କହିଲେ । ବିଶ୍ୱନାଥ ତାଙ୍କ ନାତିମାନଙ୍କୁ କହିଦେଲେ “ମୁଁ ତ ଆସି ବୁଢା ହେଲିଣି । ଆଉ ଏସବୁ ଦେଖାଶୁଣା କରିବା ମୋ ପକ୍ଷରେ ସମ୍ଭବପର ନୁହେଁ । ଯାହା କରିବାର ଏବେ ତୁମ୍ଭେମାନେ ହିଁ କର ।”
ଏକଥା ଶୁଣି ତାଙ୍କ ନାତିମାନେ କହିଲେ, “ହଁ, ହଁ, ଭଲ କଥା । ତମେ ଏ ବୟସରେ ଏସବୁ ଧନ୍ଦାକୁ ନେଇ ଖଟୁଥିବ, ଆମେ ବି ତାହା ଚାହୁଁନୁ । ତେଣୁ ତମେ ଏଣିକି ଆରାମ କର ।”
ସେମାନଙ୍କ କଥା ଶୁଣି ବିଶ୍ୱନାଥ ଖୁସି ହେଲେ । ବାସ୍ତବିକ ସେ କାମ ଦେଖାଶୁଣା କରିବା ବନ୍ଦ କଲେ । ତେବେ ସେ ଅଳସୁଆ ଭାବରେ ବସିବା ଲୋକ ନୁହଁନ୍ତି । ଘର ଚାରିପଟେ ସେ ଫଳ ଫୁଲ ଉପୁଜାଇବାରେ ମନ ଦେଲେ । ଚାହୁଁ ଚାହୁଁ ଗୋଟିଏ ସୁନ୍ଦର ଉଦ୍ୟାନ ଗଢି ଉଠିଲା ।
ତେଣେ ନାତିମାନେ ନିଜ ନିଜ ଦାୟିତ୍ୱ ତୁଲାଇବାରେ ମନ ଦେବା ତ ଦୂରର କଥା, ଜଣେ ମିତ୍ର ଘରେ ବସି ତାସ୍ ଖେଳିବାରେ ସେମାନଙ୍କର ସବୁ ସମୟ ଯାଏ । ଅନ୍ୟ ବେଳେ ସେମାନେ ଶୋଇଥାନ୍ତି । ଏତେ ନିଦ ସେମାନଙ୍କୁ କେଉଁଠୁ ଯେ ଆସେ, ସେକଥା ଆଜୀବନ ପରିଶ୍ରମ କରୁଥିବା ବିଶ୍ୱନାଥ ମୋଟେ ଠଉରାଇ ପାରନ୍ତି ନାହିଁ ।
ଜେଜେବାପା ନିଜେ କିଛି ଦେଖୁ ନଥିବାରୁ ସେମାନେ ଭାବୁଥିଲେ ସେ କିଛି ବି ବୁଝିପାରୁ ନାହାଁନ୍ତି । କିନ୍ତୁ ସେ ତାଙ୍କ ଅଭିଜ୍ଞତା ଓ ବିଚକ୍ଷଣତା ଦ୍ୱାରା ସବୁ ଦେଖୁଥିଲେ, କିନ୍ତୁ ସେ କାହାକୁ କିଛି ବି କହୁ ନଥିଲେ ।