ଜଣେ ଶାସ୍ତ୍ରବିଦ୍ ପଣ୍ଡିତ ଥିଲେ । ତାଙ୍କ ନାମ ଲକ୍ଷ୍ମଣ ଆଚାର୍ଯ୍ୟ । ସେ ଆଚାର୍ଯ୍ୟଙ୍କର ତ ଅନେକ ଶିଷ୍ୟ ଥିଲେ । ଯେଉଁମାନେ ତାଙ୍କର ଶିଷ୍ୟ ନଥିଲେ, ସେମାନେ ବି ତାଙ୍କୁ ଗଭୀର ଶ୍ରଦ୍ଧା କରୁଥିଲେ । କାରଣ ଆଚାର୍ଯ୍ୟଙ୍କର ଯେପରି ଶାସ୍ତ୍ରଜ୍ଞାନ ଥିଲା, ସେହିପରି ଲୋକଙ୍କୁ ସରଳ ଭାବରେ ବୁଝାଇବାର ଶକ୍ତି ମଧ୍ୟ ତାଙ୍କର ଥିଲା । ଜଟିଳ ସମସ୍ୟା ସବୁର ସେ ଅତ୍ୟନ୍ତ ସରଳ ବ୍ୟାଖ୍ୟା ଦେଇପାରୁଥିଲେ ।
ସେ ଆଚାର୍ଯ୍ୟଙ୍କର ଚମ୍ପକ ଓ ସୁଶାନ୍ତ ନାମରେ ଦୁଇଜଣ ଚେଲା ଥିଲେ । ସମୟ ଆସିଲା ଯେତେବେଳେ ବାର୍ଦ୍ଧକ୍ୟ ଏବଂ ଅନ୍ୟ କେତେକ ସ୍ୱାସ୍ଥ୍ୟଗତ ଅସୁବିଧା ଯୋଗୁଁ ଆଚାର୍ଯ୍ୟ ଆଉ ଦୀର୍ଘ ସମୟ ଧରି ଭାଷଣ ଦେଇ ପାରିଲେ ନାହିଁ । ସେ ତେଣିକି ପାଂଚ ମିନିଟ୍ କହି ବସିଯା’ନ୍ତି । ତାଙ୍କ ନିର୍ଦ୍ଧେଶରେ ଚମ୍ପକ ଭାଷଣ ଦିଏ । ଚମ୍ପକର ଭାଷଣ ମଧ୍ୟ ବେଶ୍ ଚମତ୍କାର ହୁଏ । ତେଣୁ ଲୋକେ ତା’ର ଖୁବ୍ ତାରିଫ୍ କରନ୍ତି ।
ଚମ୍ପକ ଭାଷଣ ଦେବାକୁ ଆରମ୍ଭ କରିବା ପରେ ବର୍ଷଟିଏ ବିତିଗଲା । ଆଚାର୍ଯ୍ୟ ଥରେ ହେଲେ ବି ସୁଶାନ୍ତକୁ ଭାଷଣ ଦେବାକୁ କହିଲେ ନାହିଁ । ଏଣୁ ସୁଶାନ୍ତ ବଡ ଅଶ୍ୱସ୍ତି ଅନୁଭବ କରୁଥାଏ । ଦିନେ ସେ ଆଚାର୍ଯ୍ୟଙ୍କୁ ଏକୁଟିଆ ପାଇ ତାଙ୍କୁ କହିଲା, “ଗୁରୁଦେବ, ମୁଁ ଆପଣଙ୍କ ଶିଷ୍ୟ ହିସାବରେ ଅତି ଅଧମ!”
ଆଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏପରି ଭାବିବାର କାରଣ?”
ସୁଶାନ୍ତ କ୍ଷୋଭ ଫୁଟାଇ କହିଲା “ଗୁରୁଦେବ, ମୋର ଯୋଗ୍ୟତା ଥିଲେ କ’ଣ ଆପଣ ସବୁଥର ଚମ୍ପକକୁ ଭାଷଣ ଦେବାକୁ କହନ୍ତେ, ମୋତେ ଥରେ ବି କହନ୍ତେ ନାହିଁ?”
“ଓଃ, ସେକଥା କହୁଛୁ! ଶୁଣ ବାବୁ, ତୋ ଶାସ୍ତ୍ର ଜ୍ଞାନ ଚମ୍ପକଠୁଁ କମ୍ ହେବା ତ ଦୂରର କଥା, ବରଂ ବେଶି । ଏକଥା ଚମ୍ପକ ନିଜେ ବାରମ୍ବାର ସ୍ୱୀକାର କରେ । ତେବେ ସର୍ବସାଧାରଣରେ ଭାଷଣ ଦେବା କଥା ଯେ କହୁଛୁ, ସେଇଟା ଭିନ୍ନ ବ୍ୟାପାର । ଖାଲି ଜ୍ଞାନ ଦ୍ୱାରା ତାହା ତ ଆଉ ହୁଏ ନାହିଁ । ସେଥିପାଇଁ ମଣିଷଙ୍କ ମନ ବୁଝିବା ଓ ବ୍ୟବହାର କୁଶଳତା ଦରକାର । ତୁ ପ୍ରକୃତରେ ପଣ୍ଡିତ, କିନ୍ତୁ ସେ ଧରଣର ବକ୍ତୃତା ତୋ ଧର୍ମ ନୁହେଁ ।”
ସୁଶାନ୍ତ ଅଭିମାନ କରି କହିଲା “ଆପଣ ତ ଥରେ ହେଲେ ବି ମୋତେ ଭାଷଣ ଦେବାର ସୁଯୋଗ ଦେଇ ନାହାଁନ୍ତି, ମୁଁ ପାରିବି କି ନାହିଁ ବୋଲି ଆପଣ କିପରି ଜାଣିଲେ?”
ଆଚାର୍ଯ୍ୟ କହିଲେ “ଆଚ୍ଛା, ଆଗାମୀ କାଲି ପରମପୁର ମନ୍ଦିର ପ୍ରାଙ୍ଗଣରେ ଆମର ନିମନ୍ତ୍ରଣ ଅଛି । ତୁ ସେଠାରେ ଭାଷଣ ଦେବୁ ।”
ପରଦିନ ପରମପୁରରେ ଭଲ ଜନସମାଗମ ହୋଇଥାଏ । ଆଚାର୍ଯ୍ୟ ପାଂଚଛଅ ମିନିଟ୍ ମାତ୍ର କହି ସୁଶାନ୍ତକୁ କହିବାକୁ ନିର୍ଦ୍ଧେଶ ଦେଇ ବସିଗଲେ । ସୁଶାନ୍ତ କହିବାକୁ ଆରମ୍ଭ କରିବା ପରେ ପରେ ସେ ସେଠାରୁ ଉଠିଗଲେ । ସୁଶାନ୍ତ ତେଣିକି ନିଃସଙ୍କୋଚରେ ଭାଷଣ ଦେଇ ଚାଲିଲା । ସେଦିନ ତା’ର ବକ୍ତୃତାର ବିଷୟବସ୍ତୁ ଥାଏ “ସୁଖ କ’ଣ ।” ଲୋକେ ଟଙ୍କାକୁହିଁ ସୁଖ ବୋଲି ଭାବନ୍ତି ଏବଂ ଟଙ୍କା ପଛରେ ଦୌଡନ୍ତି । ସେ କହିଲା, “ଯେଉଁ ଟଙ୍କା ଦ୍ୱାରା ସୁଖ ମିଳିବ, ତାହା କାଗଜ ବା ତମ୍ବା ଅଥବା ରୂପାରେ ତିଆରି ନୁହେଁ । ତାହା ଭିନ୍ନ ଚିଜରେ ତିଆରି ।” କିଛି ସମୟ ପରେ ସେ ପୁଣି କହିଲା, “ଯେଉଁମାନେ ଭାବନ୍ତି ଟଙ୍କା ଦ୍ୱାରା ସବୁ ହୋଇଯିବ, ସେମାନେ ଭୁଲ୍ କରନ୍ତି । ମୁଁ ଯଦି ତମକୁ ଶହେଟଙ୍କା ଦେଇ ତମ ବାପାଙ୍କୁ ଗାଳିଗୁଲଜ କରି କହିବି, ତମେ ତାହା କେବେବି କରିବ କି?”
ସେ ଆହୁରି ମଧ୍ୟ କହିଲା, “ଅସଲ ଟଙ୍କାର ସନ୍ଧାନ କେହି ବି ଜାଣନ୍ତି ନାହିଁ ।”
ସଭା ଶେଷ ହେଲା । ସଙ୍ଗେ ସଙ୍ଗେ କିଛି ଲୋକ ସୁଶାନ୍ତ ଆଡକୁ ଭିଡି ଆସିଲେ । ଜଣେ ତାକୁ ଗୋଟାଏ କୋଠରୀ ଭିତରକୁ ଟାଣି ନେଇ ପଚାରିଲା, “ବାବୁ, ଭଲ ଟଙ୍କା କାଗଜରେ ବା ତମ୍ବାରେ ବା ରୂପାରେ ହୋଇପାରୁ ନାହିଁ । କିନ୍ତୁ ଆଜିକାଲି ସୁନା ଟଙ୍କା ମିଳୁଛି ଆଉ କେଉଁଠି?”
ଆଉ ଜଣେ ତାକୁ ଅନ୍ୟ ଦିଗକୁ ଭିଡିନେଇ ପଚାରିଲା, “ବାବୁ, ତମେ କହିଲ ଅସଲ ଟଙ୍କାର ସନ୍ଧାନ କେହି ବି ଜାଣନ୍ତି ନାହିଁ । କହିଲ, କେଉଁଠି ଅଛି! ମୁଁ କାହାକୁ କହିବି ନାହିଁ । ଯେତେ ବିପଦ ଥିଲେ ବି ଯାଇ ଖୋଳି ବାହାର କରିବି ।”
ତୃତୀୟ ଜଣକ ତାକୁ ଟାଣି ନେଇଯାଇ ଗୋପନରେ କହିଲା, “ବାପାକୁ ଗାଳିଗୁଲଜ କରିବା ଅସୁବିଧା । ବାପା ଭାରି ରାଗୀ ଓ ବଳୁଆ ମଧ୍ୟ । ମୁଁ ମୋ ମା’ଙ୍କୁ ଗାଳିଗୁଲଜ କଲେ କେତେ ଟଙ୍କା ଦେବ ବାବୁ? ମୋତେ ଦିଅ । ମୁଁ ଆଜି ଯାଇ ଗାଳିଗୁଲଜ କରିବି ।”
ସୁଶାନ୍ତ ଚିତ୍କାର କରି କହିଲା “ଯାଅ, ତମେମାନେ ଦୂର ହୁଅ!” ତା’ପରେ ସେମାନେ ଚାଲିଗଲେ । ଆଚାର୍ଯ୍ୟ ଆସି ସୁଶାନ୍ତର ପିଠି ଥାପୁଡେଇ ଦେଇ କହିଲେ, “ବିରକ୍ତ କାହିଁକି ହେଉଛୁ? ତୋ ଭାଷଣର ସଂଗତି ସେମାନେ ବୁଝିପାରି ନାହାଁନ୍ତି । କି ଧରଣର ଜନତା ଆଗରେ ଭାଷଣ ଦେଉଛୁ, ତୁ ବି ତାହା ବୁଝିନାହୁଁ ।”
ତେଣିକି ସୁଶାନ୍ତ ଆଉ ଭାଷଣ ଦେବାକୁ ମନ ବଳାଇ ନାହିଁ; ଆଚାର୍ଯ୍ୟଙ୍କ ନିର୍ଦ୍ଧେଶରେ ପୋଥିପତ୍ର ସମ୍ପାଦନା କାମରେ ସେ ଯଶ ଅର୍ଜିଲା ।