ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜ୍ୟୋତିଷ ଶୁକପକ୍ଷୀ

ମାଣ୍ଡବ ଦେଶର ରାଜା ତାଙ୍କ କନ୍ୟା ରାଜକୁମାରୀ ରତ୍ନମାଳାଙ୍କର ସ୍ୱୟମ୍ବର କରିବା ପାଇଁ ମନସ୍ଥ କରି ସମସ୍ତ ରାଜ୍ୟକୁ ନିମନ୍ତ୍ରଣ ଦେଲେ । ମାଣ୍ଡବ ରାଜ୍ୟର ପଡୋଶୀ ତ୍ରିଶାମ୍ବି ରାଜ୍ୟର ଯୁବରାଜ ସଂଦୀପ ତ ବହୁ ପୂର୍ବରୁ ରତ୍ନମାଳାଙ୍କର ସୌନ୍ଦର୍ଯ୍ୟ ଓ ଗୁଣ ବିଷୟରେ ଶୁଣିଥିଲେ । ସେ ମନସ୍ଥ କଲେ ସ୍ୱୟମ୍ବରକୁ ଯିବେ । କିନ୍ତୁ ସମସ୍ତେ ଏକଥା ଜାଣନ୍ତୁ ବୋଲି ସେ ଚାହୁଁ ନଥିଲେ । ତେଣୁ ସ୍ୱୟମ୍ବର ଆଗରୁ ସେ ଯାଇ ଅତିଥି ଭବନରେ ରହିଲେ ।

                ତାଙ୍କର ବିଶ୍ୱାସ ଥିଲା ରାଜକୁମାରୀ ଅବଶ୍ୟ ତାଙ୍କୁହିଁ ପସନ୍ଦ କରିବେ । ସ୍ୱୟମ୍ବର ପାଇଁ ବହୁତ ସମୟ ବାକି ଥିବାରୁ ସେ ଭାବିଲେ ଯେ ଦରବାରରେ ପ୍ରବେଶ କଲେ ଅନ୍ୟ ରାଜକୁମାରମାନେ ତାଙ୍କୁ ଦେଖିଦେବେ । ସେ ସେପରି ସମସ୍ତିଙ୍କ ମଧ୍ୟକୁ ଯିବା ପାଇଁ ପସନ୍ଦ କରୁ ନ ଥିଲେ । ତେଣୁ ଅଳ୍ପ ବିଶ୍ରାମ କରିବା ପରେ ସେ ନଗର ବୁଲିବା ପାଇଁ ଚାଲିଗଲେ । ଅନେକ ରାସ୍ତା, ବଜାର ସବୁ ବୁଲୁ ବୁଲୁ ସେ ଏକ ମନ୍ଦିର ନିକଟରେ ଯାଇ ପହଁଚିଲେ । ସେଠାରେ ଗୋଟିଏ ମନ୍ଦିରରେ ଲେଖା ହୋଇଛି, “ଜ୍ୟୋତିଷ ଶୁକପକ୍ଷୀ” । ସେ ବଡ କୌତୁହଳୀ ହୋଇ ସେଇଟି ପଢିଲେ । ଶୁକପକ୍ଷୀ ସହିତ ଦେଖା କରିବାକୁ ଗଲେ ମୁଦ୍ରାଟିଏ ଦେବାକୁ ହେବ । ସେ ମୁଦ୍ରାଟିଏ ଦେଇ ଭିତରକୁ ଗଲେ । ତାଙ୍କୁ ଦେଖିବାମାତ୍ରେ ପିଞ୍ଜରାରେ ଥିବା ଶୁକପକ୍ଷୀ କହିଲା, “ତ୍ରିଶାମ୍ବି ନଗରର ରାଜକୁମାରଙ୍କୁ ସ୍ୱାଗତ କରୁଛି । ସେ ଆମ ଦେଶର ରାଜକୁମାରୀଙ୍କ ସ୍ୱୟମ୍ବରକୁ ଆସିଛନ୍ତି । ଏବେ ଆପଣ ଆମ ଦେଶର ଅତିଥି । ଆପଣଙ୍କର କଲ୍ୟାଣ ହେଉ ।”

                ଶୁକପକ୍ଷୀର କଥା ଶୁଣି ସେ ବଡ ଆଶ୍ଚର୍ଯ୍ୟ ହେଲେ । ସେ ଭାବିଲେ “ଏହା କିପରି ସମ୍ଭବ? ମୁଁ କିଏ, ପୁଣି ମୁଁ କେଉଁ କାମରେ ଏଠାକୁ ଆସିଛି ଏସବୁ ପକ୍ଷୀଟାଏ ହୋଇ କଳ୍ପନା କରି ଅତି ଭଦ୍ର ଭାଷାରେ କହୁଛି? କଥା କ’ଣ? ଓହୋ ବୋଧହୁଏ ମୋ ପୋଷାକରୁ ବୁଦ୍ଧିମାନ ଶୁଆଟି ବୁଝିନେଉଛି ଯେ ମୁଁ ରାଜପୁତ୍ର । ବରଂ ମୁଁ ଅତିଥିଭବନକୁ ଲେଉଟି ଯାଇ ସେଠାରୁ ଛଦ୍ମବେଶରେ ପୁଣି ଆସି ଶୁକପକ୍ଷୀକୁ ଦେଖା କରିବି । ଦେଖାଯାଉ ତା’ର କ୍ଷମତା ଓ କଳ୍ପନା ଶକ୍ତି । ଏକଥା ଭାବି ସେ ଅତିଥିଭବନକୁ ଲେଉଟିଗଲେ ଏବଂ ଏକ ସାଧାରଣ ନାଗରିକ ବେଶରେ ପୁଣି ସେହି ମନ୍ଦିରକୁ ଆସିଲେ । ପୁଣି ମୁଦ୍ରାଟିଏ ଦେଇ ଶୁକପକ୍ଷୀ ପାଖକୁ ଗଲେ । ତାଙ୍କୁ ଦେଖିବା ମାତ୍ରେ ଶୁକପକ୍ଷୀ କହିଲା, “ତ୍ରିଶାମ୍ବି ରାଜକୁମାରଙ୍କୁ ଦ୍ୱିତୀୟ ବାର ସ୍ୱାଗତ କରୁଛି । ସେ ଆମ ରାଜକୁମାରୀଙ୍କ ସ୍ୱୟମ୍ବରକୁ ଆସିଛନ୍ତି, ଆପଣ ଆମର ବନ୍ଧୁ । ଆପଣଙ୍କର କଲ୍ୟାଣ ହେଉ ।” ଏଭଳି କଥା ଶୁଣି ସେ ସଂଦୀପ ଆହୁରି ବିସ୍ମିତ ହେଲେ । ପ୍ରଥମଥର ରାଜପୋଷାକ ପିନ୍ଧିଥିଲେ ବୋଲି ହୁଏତ ସେ ଚିହ୍ନିଲା । ଏଥର କିନ୍ତୁ ସେ ତାଙ୍କୁ କିମିତି ଚିହ୍ନିଲା । ସେ ଶୁକପକ୍ଷୀର ବୁଦ୍ଧି ପରୀକ୍ଷା କରି ଜ୍ୟୋତିଷଜ୍ଞାନ ଜାଣିବା ପାଇଁ ବଡ କୌତୁହଳୀ ହୋଇ ପଡିଲେ । ଏଣେ ରାଜକୁମାରୀଙ୍କ ସ୍ୱୟମ୍ବର କଥା ସେ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ । ସେ ମନରେ ଏକ ଉପାୟ ପାଂଚିଲେ । ଅତିଥି ଭବନକୁ ଫେରି ଆସି, ସେ ଲଣ୍ଡା ହୋଇ ବାବାଜୀ ବେଶ ଧରି ପୁଣି ମନ୍ଦିରରେ ଯାଇ ପହଁଚିଲେ । ସେଠାରେ ସେ ଗୋଟିଏ ମୁଦ୍ରା ଦେଇ ଶୁକପକ୍ଷୀ ପାଖକୁ ଗଲେ ।

                ତାଙ୍କୁ ଦେଖିବାମାତ୍ରେ ଶୁକପକ୍ଷୀ ଚିତ୍କାର କରି କହିଲା, “ତ୍ରିଶାମ୍ବି ରାଜ୍ୟର ରାଜକୁମାରଙ୍କୁ ତୃତୀୟବାର ସ୍ୱାଗତ କରୁଛି । ତାଙ୍କର ପୁନରାଗମନ ପାଇଁ ହାର୍ଦ୍ଧିକ ଧନ୍ୟବାଦ । ସେ ରାଜକୁମାରୀଙ୍କର ସ୍ୱୟମ୍ବରରେ ଯୋଗ ଦେବାକୁ ବହୁ କଷ୍ଟ ସ୍ୱୀକାର କରି ଏଠାକୁ ଆସିଥିଲେ । କିନ୍ତୁ ସ୍ୱୟମ୍ବରର ଶୁଭମୁହୂର୍ତ୍ତ ଶେଷ ହୋଇ ଯାଇଛି । ଆମ ରାଜକୁମାରୀ ବିଶାଳ ନଗରର ରାଜକୁମାରଙ୍କ ଗଳାରେ ବରଣମାଳା ଦେଲେ, ତାଙ୍କର ବିବାହ କାଲି ସମ୍ପନ୍ନ ହେବ । ଆପଣ ଯେଉଁ କାମ ପାଇଁ ଆସିଥିଲେ ତାହା ଭୁଲିଗଲେ । ମୋ ବିଷୟରେ ଆପଣଙ୍କର କୌତୁହଳ ହେବାରୁ ଆପଣ ମୂଳ ବିଷୟ ଭୁଲିଯାଇ ଅଯଥାରେ ଏତେ ଗୁଡାଏ ସମୟ ଯାହା ଖାଲି ନଷ୍ଟ କଲେ । ତେଣୁ ଆପଣଙ୍କ ପାଇଁ ମୋର ହୃଦୟରେ ଯଥେଷ୍ଟ ସହାନୁଭୂତି ରହିଛି । ମୋର କଥା ଶୁଣିବାକୁ ତିନିଥର ଏଠାକୁ ଆସିଲେ, ତେଣୁ ଆପଣଙ୍କୁ ମୋତରଫରୁ ଅଶେଷ ଅଶେଷ ଧନ୍ୟବାଦ । ଆପଣଙ୍କର କଲ୍ୟାଣ ହେଉ ।”

ଶୁକପକ୍ଷୀର କଥା ଶୁଣି ତାଙ୍କ ମନ ବଡ ଦୁଃଖ ହେଲା ଓ ସେ ନିଜକୁ ବହୁତ ଅପମାନିତ ବୋଧ କଲେ । ଭାବିଲେ “ଏକଥା ସମସ୍ତେ ଜାଣିଲେ ମୁଁ ବଡ ଉପହାସର ପାତ୍ର ହେବି । ବରଂ ଭଲ ହେବ ଯେ ମୁଁ ଏଠାରୁ ଯେତେ ଶୀଘ୍ର ପାରେ ପଳାଏ ।” ଏହାପରେ ସେ ଚୁପ୍ ଚାପ୍ ଅତିଥି ଭବନକୁ ଫେରି ଆସି ସାଧାରଣ ବେଶରେ ବଡ ବ୍ୟଥିତ ମନ ନେଇ ନିଜ ରାଜ୍ୟକୁ ଫେରି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ