ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ ଅନେକ ପୋଷ୍ଟଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ ସେ କରି ଆସିଲେଣି । ଆଜିକୁ ଦଶବର୍ଷ ହେଲା କଟକ ସଦର ପୋଷ୍ଟଅଫିସରେ ବରାବର ରହି ସେ କର୍ମ କରୁଛନ୍ତି । ଭଲରୂପେ କର୍ମ କରିବାରୁ ସେ ପ୍ରମୋସନ ମଧ୍ୟ ପାଇଲେଣି । ବର୍ତ୍ତମାନ ସେ ହେଡ୍ପିଅନ, ଦରମା ମାସକୁ ତାଙ୍କର ନଅ ଟଙ୍କା । କଟକ ସହରରେ ତ ସବୁ ଜିନିଷ କିଣା । ନିଆଁ ଟିକକ ପାଇଁ ଦିଆସିଲିଟା ମଧ୍ୟ ନ କିଣିଲେ ନଚଳେ । ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ ପାଂଚଟଙ୍କାରୁ ଊଣା ଖରଚ ପଡେ ନାହିଁ । କୌଣସିରୂପେ ଘରକୁ ଚାରି ଟଙ୍କା ନ ପଠାଇଲେ ନଚଳେ । ଘରେ ତାଙ୍କର ସ୍ତ୍ରୀ ଆଉ ଆଠ ବରଷର ପୁଅ ଗୋପାଳ । ମଫସଲ ଜାଗା । ଚାରିଟଙ୍କାରେ କୌଣସିରୂପେ ଟାଣଟୁଣ ହୋଇ ସେମାନେ ଚଳିଯାନ୍ତି । ସେଥିରୁ ପଇସାଏ ଊଣା ହେଲେ ଭାରି ଅଚଳ । ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢେ । ସ୍କୁଲରେ ତା’ର ମାସକୁ ଦରମା ଦୁଇଅଣା । ସ୍କୁଲ ଦରମା ଛଡା ଆଜି ବହି ଖଣ୍ଡେ କାଲି ସ୍ଲେଟ୍ କାଗଜ ଏ ସବୁ ଜିନିଷ କିଣିବାକୁ କେବେ କେବେ କିଛି ବେଶି ଖରଚ ପଡେ । ଏପରି ଉପୁରି ଖରଚ ପଡିଗଲେ ସେ ମାସରେ ଭାରି କଷ୍ଟ । ଏହି କାରଣରୁ ଦିନେ ଦିନେ ସେ ବୁଢାକୁ ଉପାସ ମଧ୍ୟ ରହିଯିବାକୁ ହୁଏ । ବାପାଙ୍କ ମନରେ ଥାଏ ଉପାସ ହେଉ ପଛେ ମାତ୍ର ମୋ ଗୋପାଳଟି ପଢୁ ।
ଦିନେ ପୋଷ୍ଟମାଷ୍ଟର ସର୍ଭିସ୍ ବୁକ୍ ଦେଖି କହିଲେ, “ହରି ସିଂହ, ତୁମକୁ ପଂଚାବନ ବର୍ଷ ବୟସ ହୋଇଗଲା, ଏଥର ତୁମକୁ ପେନ୍ସନ୍ ନେବାକୁ ହେବ, ତେଣୁ ତୁମେ ଆଉ ଚାକିରି କରିପାରିବ ନାହିଁ ।” ଏକଥା ଶୁଣି ସେ ସିଂହଙ୍କ ମୁଣ୍ଡରେ ତ ସତେ ଯେମିତି ବଜ୍ର ଭାଙ୍ଗିପଡିଲା । କଣ କରିବେ ସେ, ସଂସାର ତାଙ୍କର ଚଳିବ କିପରି? ସଂସାର ପଛକେ ଯାହାହେଉ ଗୋପାଳର ଯେ ପଢା ବନ୍ଦ! ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି – ଗୋପାଳ ମଫସଲ ପୋଷ୍ଟଅଫିସରେ ସବ୍ପୋଷ୍ଟମାଷ୍ଟର ହେବ – ଅତି ନିକୁଛରେ ଭିଲେଜ ପୋଷ୍ଟମାଷ୍ଟରଟିଏ ତ ସେ ହେବ । ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ଏଡେ ବଡ ଚାକିରିଟା ମିଳିବା ଭାରି ମୁସ୍କିଲ । ମଫସଲରେ ତ କୌଣସି ସୁବିଧା ନାହିଁ, ତେଣୁ ଗୋପାଳକୁ କଟକ ଆଣି ଇଂରାଜୀ ପଢାଇବାକୁ ହେବ । ଚାକିରିଟା ଗଲେ କେଡେ ବଡ ଆଶାରୁ ଏକାବେଳକେ ନିରାଶ ହେବେ ସେ । ସବୁବେଳେ ସେହି କଥା ଭାବି ଭାବି ଦେହଟା ତାଙ୍କର କଳାକାଠ ପଡିଗଲାଣି । ଦିନେ ଦିନେ ରାତିରେ ବି ତାଙ୍କୁ ଆଦୌ ନିଦ ହୁଏ ନାହିଁ, ସେହି କଥାକୁ ସେହି କଥା ଭାବି ଭାବି ତାଙ୍କ ରାତି କେମିତି ପାହିଯାଏ ।