କାଶୀ ରାଜ୍ୟର ଗୋଟିଏ ଗ୍ରାମରେ ଜଣେ ଲୋକର ବଶିଷ୍ଠକ ନାମରେ ଏକମାତ୍ର ପୁତ୍ର ଥିଲା । ବଶିଷ୍ଠକ ତାହାର ପିତାମାତାଙ୍କୁ ପୋଷଣ କରୁଥିଲା । କିଛିକାଳ ପରେ ମାତା’ର ମୃତ୍ୟୁ ହେଲା ଓ ସେ ବିବାହ କଲା । ସେ ଏବେ ବୃଦ୍ଧ ପିତା ଓ ପତ୍ନୀକୁ ପୋଷଣ କଲା । ତା’ର ଗୋଟିଏ ପୁଅ ମଧ୍ୟ ହେଲା; କିନ୍ତୁ ପୂର୍ବପରି ତାହାର ଘରେ ଶାନ୍ତି ରହିଲାନାହିଁ । ପ୍ରତିଦିନ ସ୍ତ୍ରୀ ତାକୁ କହିବାକୁ ଲାଗିଲା, “ତୁମର ଏ ବୁଢାବାପ ଯୋଗୁଁ ମୁଁ ଏ ଘରେ ରହିପାରିବି ନାହିଁ । ମୁଁ ତା’ର ଯେତେ ସେବା କଲେହେଁ ସେ ସବୁବେଳେ ଅସନ୍ତୁଷ୍ଟ । ଉଠି ବସିବାକୁ ତା’ର ବଳ ନାହିଁ । ମୁଁ ଯାହା କିଛି କଲେ ସେଥିରେ ସେ ଦୋଷ ବାହାର କରୁଛି । ଏତେ ଦିନ ହେଲା ରୋଗରେ ସଢୁଛି ।”
ବଶିଷ୍ଠକ କହିଲା, “ବୁଢାଲୋକ, ରୋଗରେ ପଡି ପଡି ଚିଡା ହୋଇଥିବ । କଅଣ କରିବା? ବୁଢାକୁ କୌଣସିମତେ ଚଳାଇନିଅ ।”
ସ୍ତ୍ରୀ କହିଲା, “ମୋ କଥା ମାନିବ ତ ମୁଁ ଉପାୟ କହିବି ।”
ସ୍ତ୍ରୀ ପରାମର୍ଶ ଅନୁସାରେ କାର୍ଯ୍ୟ କରିବ ବୋଲି ବଶିଷ୍ଠକ ସ୍ୱୀକୃତ ହେଲା ।
ତହୁଁ ସେ କହିଲା, “ଦେଖୁଛ, ବୁଢା ଅଳ୍ପଦିନେ ମରିବ । କେଇଟା ଦିନ ପରେ ସେ ଆପେ ମରିବ, ସେ ଆଜି କି କାଲି ମଲେ କ୍ଷତି କଅଣ? ତୁମେ ଗୋଟିଏ କଥା କର । ବୁଢାକୁ ତୁମେ ମଶାଣିକୁ ନେଇଯାଅ । ସେଠାରେ ଗୋଟିଏ ଗାତ ଖୋଳି ସେଥିରେ ପୋତିଦେଇ ଆସ । ତାହା ହେଲେ ମୁଁ ଟିକିଏ ଶାନ୍ତିରେ ଘରର କାମଧନ୍ଦା କରିବି ।”
ଏହା ଶୁଣି ସ୍ୱାମୀ କହିଲା, “ଏ କି କଥା କହୁଛ? ଜିଅନ୍ତା ମଣିଷଟାକୁ ଗାତରେ ପୋତି ମାରିଦେବା କଅଣ ସହଜ କଥା? କେହି ଜାଣିଲେ ମୋ ଅବସ୍ଥା କଅଣ ହେବ?”