ସୋମଶାସ୍ତ୍ରୀ ନାମକ ଜଣେ ପୁରୋହିତ ଥିଲେ । ସଦାବେଳେ ସେ ଟିକିଏ ଟିକିଏ କଥାରେ ଖାଲି ବିବ୍ରତ ହୋଇ ପଡନ୍ତି । ତାଙ୍କର ଅଭ୍ୟାସ ହେଲା ତରବରରେ ସେ ସବୁ କାମ କରି ପକାଇବେ ।
ଥରେ ପାଖ ଗ୍ରାମରେ ଗୋଟିଏ ବିବାହ ଉତ୍ସବ ହେବାର ଥାଏ । ତାଙ୍କୁ ସେଥିରେ ପୌରାହିତ୍ୟ କରିବା ପାଇଁ ଡକାଗଲା । ଏହି କାରଣରୁ ସେ ବି ବହୁତ ଖୁସି ଥିଲେ । ତେଣୁ ସେ ପ୍ରଭାତରୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ଘରୁ ବାହାରି ପଡିଲେ । ଯିବା ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ କହିଗଲେ, “ମୁଁ ଯାଉଛି । କବାଟ ବନ୍ଦ କରିଦିଅ । ଚୋର ପଶିପାରେ । ତେଣୁ ତମେ ଟିକେ ସାବଧାନ୍ ହୋଇ ଥିବ ।” ଏକଥା ଶୁଣି ତାଙ୍କ ସ୍ତ୍ରୀ ନିଦରୁ ଉଠି କବାଟ ବନ୍ଦ କରି ପୁଣି ଶୋଇବାକୁ ଗଲେ ।
ଚୋରମାନେ ଘର ପଛପଟେ ରହି ଏସବୁ ଘଟଣା ଦେଖୁଥିଲେ ଓ ଶୁଣୁଥିଲେ ମଧ୍ୟ; ସେମାନେ ରାତି ଶେଷରେ ଏହି ଘରେ ଚୋରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇଲେ । ଏଠାରେ କେବଳ ସ୍ତ୍ରୀ ଲୋକଟି ଶୋଇଛି । ସମ୍ପୂର୍ଣ୍ଣ ଭାବରେ ଦିନର ଆଲୋକ ଦେଖା ଦେଇ ନାହିଁ । ସେମାନେ ଭାବିଲେ ଏହି ସୋମଶାସ୍ତ୍ରୀଙ୍କ ଘରେ ପଶିବା । କିଛି ନମିଳିଲେ ବି କମ୍ସେ କମ୍ ଆମକୁ ଚାଉଳ ଗଣ୍ଡାଏ ତ ମିଳିବ!
ଏହାପରେ ସେ ଚୋରମାନେ ପଣ୍ଡିତଙ୍କ ଘରେ ପଶିଲେ । ସେମାନେ ଦେଖିଲେ ଚାରିଆଡ ଅନ୍ଧାର । ତା’ପରେ ସେମାନେ ତାଙ୍କ ନିଜ କାମରେ ଲାଗିଗଲେ । ପଣ୍ଡିତଙ୍କ ସ୍ତ୍ରୀ ତ ଅନ୍ଧାରରେ କିଏ ବୋଲି ତାଙ୍କୁ ଦେଖିପାରୁ ନଥିଲେ ।
ଇତିମଧ୍ୟରେ ସୋମଶାସ୍ତ୍ରୀ ତରବରରେ ଫେରିଆସି କବାଟ ବାଡେଇଲେ । ତାଙ୍କ ସ୍ତ୍ରୀ ଦରଜା ଖୋଲିଲେ । ସେ କହିଲେ, “ଶାଲ୍ ନେବାକୁ ଭୁଲିଗଲି ।” ତା’ପରେ ସେ ତାଙ୍କ ଶାଲ୍ଟି କାନ୍ଧ ଉପରେ ରଖି ପୁଣି ଶୀଘ୍ର ସେଠାରୁ ଚାଲିଗଲେ । ପଣ୍ଡିତଙ୍କ ସ୍ତ୍ରୀ କବାଟ କିଳି ପୁଣି ଶୋଇଗଲେ । ସେମାନେ ଟିକିଏ ଅପେକ୍ଷା କଲେ । ସେ ଭଲ କରି ଶୋଇବା ପରେ କିଛି ନପାଇ ଶେଷରେ ଚାଉଳ ତକ ପାତ୍ରଟିରୁ ଢାଳି ନେଇ ଯିବାକୁ ଚେଷ୍ଟାକଲେ । ସେଥିପାଇଁ ସେମାନେ ତଳେ ଚଦର ବିଛାଇଲେ ।