ଗୋଟିଏ ରାଜ୍ୟରେ ତିନିଜଣ ଯୁବକ ସାଙ୍ଗ ଥିଲେ । ସେ ତିନି ଜଣଙ୍କ ମଧ୍ୟରେ ବହୁତ ଘନିଷ୍ଠ ବନ୍ଧୁତା ଥିଲା । ସାଧୁ ଲୋକଙ୍କର ସାଧୁ ଲୋକ ସହିତ ଓ ଚୋର ଲୋକର ଚୋର ଲୋକ ସହିତ ବେଶ୍ ବନ୍ଧୁତା ଜମି ଯାଇଥାଏ । ଏହି ତିନିଜଣଙ୍କ ମଧ୍ୟରେ ପ୍ରଗାଢ ବନ୍ଧୁତା ଥିଲା । ସେହି ତିନିବନ୍ଧୁ ମିଶି ଲୋକମାନଙ୍କୁ ଠକି ଜୀବନ ନିର୍ବାହ କରୁଥିଲେ । ସେମାନେ ଲୋକମାନଙ୍କୁ ଠକିବାପାଇଁ ପ୍ରତି ଦିନ ନୂଆ ନୂଆ ଉପାୟ ଚିନ୍ତା କରୁଥିଲେ ।
ଶୀତଋତୁରେ ଦିନେ ଖରାବେଳେ ତିନିବନ୍ଧୁ ରାସ୍ତାରେ ଯାଉଥିଲେ । ଗୋଟିଏ ବ୍ରାହ୍ମଣ କାନ୍ଧ ଉପରେ ଛେଳିଟିଏ ନେଇ ଯାଉଥିବାର ତିନିବନ୍ଧୁ ଦେଖିଲେ । ବ୍ରାହ୍ମଣକୁ ଦେଖି ଜଣେ ଠକ ତା’ର ଆଉ ଠକ ଦୁଇବନ୍ଧୁଙ୍କୁ କହିଲା, “ହେଇ ଦେଖୁଛ? ଏ ବ୍ରାହ୍ମଣ ତା’ର ଯଜମାନ ମୁଣ୍ଡରେ ହାତ ବୁଲାଇ ଗୋଟିଏ ଛେଳି ଧରି ଯାଉଛି । ଆମ ବୁଦ୍ଧି ବ୍ରାହ୍ମଣବୁଦ୍ଧିଠାରୁ ଉନ୍ନତ । ଆମକୁ କିଛି କରିବାକୁ ହେବ ।”
ପ୍ରଥମ ଠକ କଥା ଶୁଣି ଦ୍ୱିତୀୟ ଠକ କହିଲା, “ ହେ ଭାଇ, ବ୍ରାହ୍ମଣର ବୁଦ୍ଧି କାହିଁ? ସେ କେବଳ ଓଁ ହ୍ଳୀଂ, ଶ୍ଳୀଂ ସ୍ୱାହା କହିପାରେ । ମୁଣ୍ଡରେ ଟିକିଏ ବି ବୁଦ୍ଧି ନାହିଁ । ”
ତୃତୀୟ ଠକ ଏସବୁ ଶୁଣିସାରି କହିଲା, “ ଆରେ ସାଙ୍ଗ, ଏଇ କେତେ ଦିନ ହେଲା ଶୀତଟା ଖୁବ୍ ଜୋର୍ରେ ପଡିଛି, ଖାସିମାଂସ ତରକାରିଟା ଖୁବ୍ କାମ ଦେବ, ଦେହଟା ବି ବହୁତ ଗରମ ହେବ ।”