ଅନେକ ଦିନ ତଳର କଥା । ସାଗର ପାଟଣା ନାମକ ଗାଁରେ ଜଣେ ସାଧୁ ପ୍ରକୃତିର ଲୋକ ଥିଲେ । ତାଙ୍କ ନାମ ଜୟଦେବ ଆଚାର୍ଯ୍ୟ । ଲୋକେ ତାଙ୍କୁ ଆଚାର୍ଯ୍ୟ ମହାଶୟ ବୋଲି ଡାକୁଥିଲେ ।
ଆଚାର୍ଯ୍ୟଙ୍କର ଗୋଟିଏ ବିଶେଷ ଗୁଣ ଥିଲା । କେହି ତାଙ୍କୁ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ବେଳେ କିଛି ପ୍ରଶ୍ନ ପଚାରିଦେଲେ ସେ ତାଙ୍କ ପୂଜା କକ୍ଷକୁ ଯାଇ କିଛି ସମୟ ନିରବରେ ବସି ସେ ପ୍ରଶ୍ନର ଉତ୍ତର ଖଣ୍ଡିଏ କାଗଜରେ ଲେଖି ପ୍ରଶ୍ନକର୍ତ୍ତାକୁ ଆଣି ତାହା ଧରାଇ ଦେଉଥିଲେ । ସାଧାରଣତଃ ତାଙ୍କ ଉତ୍ତରରେ ଲୋକମାନଙ୍କର ବହୁତ ଉପକାର ହେଉଥିଲା । ଲୋକେ ଏଥିରେ ଖୁସି ହୋଇ ତାଙ୍କୁ ପୁରସ୍କାର ଦେଉଥିଲେ । ସେ ଯାହା ପାଉଥିଲେ, ତାକୁ ସତ୍ କାର୍ଯ୍ୟରେ ତଥା ଅନ୍ୟମାନଙ୍କ ସେବାରେ ସେ ଲଗାଉଥିଲେ ।
ଦିନେ ଶ୍ରୀଧର ଦାସ ନାମକ ଜଣେ ବିଶିଷ୍ଟ ବ୍ୟକ୍ତି ଆସି ଆଚାର୍ଯ୍ୟଙ୍କୁ କହିଲେ, “ମହାଶୟ, ମୋର କୌଣସି ପ୍ରଶ୍ନ ନାହିଁ । କିନ୍ତୁ ମୋତେ କିଛି ଉପଦେଶ ଦିଅନ୍ତୁ ।”
ଆଚାର୍ଯ୍ୟ ପୂଜା କକ୍ଷକୁ ଯାଇ ସେଠାରୁ ଖଣ୍ଡିଏ କାଗଜରେ ତିନୋଟି ଉପଦେଶ ଲେଖି ଆଣି ଶ୍ରୀଧର ଦାସଙ୍କୁ ତାହା ଦେଲେ । ଶ୍ରୀଧର ଦାସ ଖୁସି ହୋଇ ଆଚାର୍ଯ୍ୟଙ୍କୁ ତିନିଶହ ଟଙ୍କା ଦେଲେ ।
ଘରକୁ ଆସି ସେ ଉପଦେଶ ତିନୋଟି ପଢିଲେ: (୧) କୌଣସି କାର୍ଯ୍ୟ ଫଳବତୀ ହେବା ପୂର୍ବରୁ ଅତ୍ୟନ୍ତ ପ୍ରୟୋଜନ ନହେଲେ ସେ ବିଷୟରେ କାହାକୁବି କିଛି କହିବ ନାହିଁ । (୨) ଯଦି ଦୀର୍ଘ ବାଟ ଯାଉଥିବା ବେଳେ ବାଟରେ ବସି ଖାଇବା ଦରକାର ହେବ, ତେବେ ବାଟଠୁଁ ଟିକିଏ ଦୂରକୁ ଯାଇ ବସି ଖାଇବ । (୩) କାହାରି ସହିତ ହଠାତ୍ ବାଜି ମାରିବ ନାହିଁ ।