ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦସ୍ୟୁ ରାଜକୁମାର

ଅବଶେଷରେ ଛଦ୍ମବେଶୀ ରାଜା ଶାନ୍ତିଦେବ ବିଦ୍ରୋହୀମାନଙ୍କୁ ରକ୍ଷା କରିବାକୁ ଯାଇ ମୃତ୍ୟୁବରଣ କଲେ । କ୍ରୁଦ୍ଧ ବସନ୍ତର ଆକ୍ରମଣରେ ବୀରସିଂହର ସେନାପତି ଦୁଷ୍ଟଶିରୋମଣି କପାଳଚାନ୍ଦ ବି ମଲା ।ତା’ପରେ…

                ଦିନ ଗଡି ଚାଲିଥାଏ । କିନ୍ତୁ ନା ବୀରସିଂହ ସୁଖୀ ହୋଇ ପାରୁଥାଏ, ନା ସୁମେଧ ରାଜ୍ୟର ଲୋକେ ଶାନ୍ତିରେ ରହିପାରୁଥାନ୍ତି । ଆଖପାଖର ରାଜ୍ୟ ଆକ୍ରମଣ କଲାଭଳି ବଡ ସୈନ୍ୟବାହିନୀ ଗଠନ କରିବା ଦିଗରେ ବୀରସିଂହର ସ୍ୱପ୍ନ ସ୍ୱପ୍ନରେହିଁ ରହିଗଲା । କାରଣ ସେ ଲୋକଙ୍କୁ ମନଇଚ୍ଛା ଶୋଷଣ କରିପାରୁ ନଥାଏ । ନିଜ ରାଜ୍ୟରୁ ଧାନଚାଉଳ ରପ୍ତାନୀ କରି ତା’ବଦଳରେ ଚନ୍ଦ୍ରହାଟରୁ ଅସ୍ତ୍ରଶସ୍ତ୍ର ଆମଦାନି କରିବା ନୋହିଲା ।

କିନ୍ତୁ ଚାଷୀମାନେ ଯେମିତି ସର୍ବଦା ଭୀତ ହୋଇ ରହିବା ଫଳରେ ଚାଷକାମରେ ସେମାନଙ୍କ ଆଗ୍ରହ ଆଉ ରହିଲା ନାହିଁ, ବଣିକମାନେ ବି ସେହିପରି ବେପାର ବଣିଜରେ ମନ ଦେଲେନାହିଁ । ଅନ୍ୟ ରାଜ୍ୟମାନଙ୍କରୁ ଯେଉଁ ବେପାରୀମାନେ ସୁମେଧ ଆସି ନାନାଦି ପଣ୍ୟଦ୍ରବ୍ୟ ଦେଇଯାଉଥାନ୍ତି ଓ ନିଜ ନିଜ ରାଜ୍ୟକୁ ନାନାଦି ପଣ୍ୟଦ୍ରବ୍ୟ ନେଇଯାଉଥାନ୍ତି, ସେମାନେ ଆଉ ଆସିଲେ ନାହିଁ । ଚୋର ତସ୍କରଙ୍କ କବଳରୁ ଲୋକଙ୍କୁ ରକ୍ଷା କରିବା ରାଜସରକାରର କାମ । ଯେଉଁଠି ରାଜସରକାର ନିଜେ ଲୁଣ୍ଠନ କରିବ, ସେଠି ପୁଣି କିଏ ବା ନିରାପଦ ରହିବ?

ସୁମେଧ ରାଜ୍ୟ ବ୍ୟାପି ତଥା ରାଜଧାନୀ ଶାନ୍ତିପୁର ବ୍ୟାପି ଅରାଜକତା ଘୋଟିଗଲା ।

ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ରାଜା ଶାନ୍ତିଦେବ ଗୋପନରେ ବସନ୍ତକୁ ଯାହା ବି ସବୁ କହିଥିଲେ, ସେହି ଅନୁସାରେ ସେ ବାଳକ ରାଜକୁମାରଙ୍କୁ ଠାବ କରି ପାରିଥିଲା । ରାଜାଙ୍କ ମୃତଦେହ ଝରଣା କୂଳରେ ରାଣୀଙ୍କ ସମାଧି ପାଖରେ ସମାଧିସ୍ଥ କରାଗଲା । ରାଜକୁମାର ସନ୍ଦୀପ ବାଳକ ଅବସ୍ଥାରୁ ଉତୀର୍ଣ୍ଣ ହୋଇ କ୍ରମେ ତରୁଣ ହେଲେ । ସେ ବୀର, ପ୍ରତ୍ୟତ୍ପନ୍ନମତି ବସନ୍ତକୁ ଅତ୍ୟନ୍ତ ଶ୍ରଦ୍ଧା କରୁଥାନ୍ତି । ବସନ୍ତର ଅନୁଚରମାନେ କିପରି ବାରମ୍ବାର ନିଜ ଜୀବନ ବିପନ୍ନ କରି ଜନସାଧାରଣଙ୍କୁ ରକ୍ଷା କରୁଥାନ୍ତି, ସେସବୁ ଘଟଣାର ପୁଙ୍ଖାନୁପୁଙ୍ଖ ବିବରଣୀ ସେ ଶୁଣୁଥାନ୍ତି । ସଙ୍ଗେ ସଙ୍ଗେ ନିଜେ ସେ ବିଦ୍ରୋହୀ ଯୁବକମାନଙ୍କ ସହ ମିଶି ବୀରସିଂହର ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଉତ୍ସାହ ଅନୁଭବ କରୁଥାନ୍ତି । କିନ୍ତୁ ସେଥିପାଇଁ ବସନ୍ତ ତାଙ୍କୁ ଅନୁମତି ଦେଉ ନଥାଏ । ବସନ୍ତ କେବଳ କହୁଥାଏ, “ରାଜକୁମାର! ଆପଣଙ୍କ ଜୀବନ ଆମପାଇଁ ଅତ୍ୟନ୍ତ ମୂଲ୍ୟବାନ । ଆମେ ଏତେ ସହଜରେ ତା’ ଉପରେ ଆଂଚ ଆସିବାକୁ ଦେବୁନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ