ବୀରସିଂହର ଅମୃତପୁର ଅଭିଯାନ ବ୍ୟର୍ଥ ହେଲା । ଆକସ୍ମିକ ବନ୍ୟାରେ ସୈନ୍ୟଦଳ ଭାସିଗଲେ । ନୂଆ ସୈନ୍ୟବାହିନୀ ଗଠନ କରିବା ମାନସରେ ଓ ଚନ୍ଦ୍ରହାଟରୁ ଅସ୍ତ୍ରଶସ୍ତ୍ର କିଣିବା ନିମନ୍ତେ ସେ ନିଜ ରାଜ୍ୟରେ ଉତ୍ପାଦିତ ଧାନ ଚାଉଳ ବାହାରକୁ ରପ୍ତାନୀ କରିବାକୁ ଚେଷ୍ଟା କଲା । ବିଦ୍ରୋହୀ ଯୁବକ ଦଳ ସେଥିରେ ବାଧା ଦେଲେ । ତା’ପରେ..
ବସନ୍ତ ଋତୁରେ ସାରା ବଣ ସ୍ୱର୍ଗୋପମ ପୁଷ୍ପରାଜ୍ୟରେ ପରିଣତ ହେଉଥାଏ । ଗଛଲତା ଉପରେ ଢେଉ ଢେଉ ରଙ୍ଗ ଖେଳୁଥାନ୍ତି । କୋଇଲିମାନେ ଅବିଶ୍ରାନ୍ତ କୂଜନରେ ମାତିବା ବେଳକୁ ଅନ୍ୟ ପକ୍ଷୀମାନେ ବା କାହିଁକି ବାଦ୍ ପଡିବେ?
ଶିଶୁରାଜପୁତ୍ର ବଣକୁ ଆସିବା ଦିନରୁ ସେ ବଣର ଶୋଭା ବଢିଯାଇଥାଏ । ରାଜପୁତ୍ରଙ୍କୁ ଆସି ଛଅବର୍ଷ ହେଲାଣି । ସନ୍ନ୍ୟାସୀ ଜୟାନନ୍ଦ ତାଙ୍କ ନାମକରଣ ସନ୍ଦୀପ କରିଥାନ୍ତି । ବଣର ପଶୁପକ୍ଷୀଙ୍କ ଉପରେ ସନ୍ନ୍ୟାସୀଙ୍କର ଅସାଧାରଣ ପ୍ରଭାବ ଥିବା କଥା ତ ପାଠକମାନେ ଭଲଭାବେ ଜାଣନ୍ତି । ତାଙ୍କର ସେଭଳି ଶକ୍ତି ଥିବା କଥା ଖୁବ୍ କମ୍ ଲୋକ ଜାଣିଥିଲେ; ସନ୍ନ୍ୟାସୀ ମଧ୍ୟ ସେ ଶକ୍ତି ସେତିକି ଦରକାର ନହେଲେ ପ୍ରୟୋଗ କରୁ ନଥିଲେ । ବର୍ତ୍ତମାନ ସନ୍ନ୍ୟାସୀ ଧୀରେ ଧୀରେ ତାଙ୍କର ସେ ଶକ୍ତି ସନ୍ଦୀପଙ୍କୁ ଦେଇଦେଲେ । ସ୍ୱାଭାବିକ ଭାବରେ ବଣର ଜୀବଜନ୍ତୁଙ୍କ ସହ ସନ୍ଦୀପ ଏପରି ଆଚରଣ କରୁଥାନ୍ତି, ସତେ ଅବା ସେମାନେ ତାଙ୍କରି ଭଳି ମଣିଷ!
ଆଉ ପଶୁପକ୍ଷୀମାନେ ସନ୍ଦୀପଙ୍କୁ ଦେଖିଲେ ଖୁବ୍ ଖୁସି ହୋଇ ଯାଉଥିଲେ । ହରିଣମାନେ ଆସି ତାଙ୍କ ପାଖରେ ଗେହ୍ଲେଇ ହେଉଥିଲେ । ମୟୁରମାନେ ତାଙ୍କୁ ସେମାନଙ୍କ ନାଚ ଦେଖାଇବାକୁ ଭାରି ସୁଖ ପାଉଥିଲେ । ରାଜପୁତ୍ର ବି ସମସ୍ତଙ୍କୁ ସମାନ ସ୍ନେହପୂର୍ଣ୍ଣ ବ୍ୟବହାର ଦେଖାଉଥିଲେ ।
ବଣରେ ଭୋଳା ନାମରେ ସୁନ୍ଦର ହାତୀ ଥାଏ । ବଣ ମୂଲକର ସବୁ ହାତୀଙ୍କ ଉପରେ ସେ ସର୍ଦ୍ଦାର ହେଲା । ଭୋଳା ଆସି ପ୍ରତିଦିନ ଅନ୍ତତଃ ଥରେ ମାତ୍ର ସନ୍ଦୀପ ସହ ଦେଖା କରିବହିଁ କରିବ । ଯଦି ସନ୍ଦୀପଙ୍କର ହାତୀ ଚଢି ବୁଲିବାକୁ ମନ ହେବ, ତେବେ ସେ ନିଜ ହାତ ଦୁଇଟି ତୋଳି ଠିଆ ହେବ । ଭୋଳା ଧୀର ଭାବରେ ତା’ ଥୋଡ ପାହାଡ ସାହାଯ୍ୟରେ ତାଙ୍କୁ ଟେକିନେଇ ନିଜ ପିଠିରେ ବସାଇବ । ମଧ୍ୟେ ମଧ୍ୟେ ସୁଧାର ମାଙ୍କଡଟିଏ ରାଜପୁତ୍ର ପାଖରେ ବସି ତାଙ୍କୁ ତାଙ୍କ ଭାରସାମ୍ୟ ରକ୍ଷା କରିବାରେ ସହାୟତା ହେଉଥାଏ । ସନ୍ନ୍ୟାସୀଙ୍କ ଶୁଆ ମଲ୍ଲି ସେମାନଙ୍କ ମୁଣ୍ଡ ଉପରେ ସଦା ସର୍ବଦା ଉଡି ଚାଲିଥାଏ ।
ଭାଲ୍ଲୁକୀ ତ ପ୍ରଥମରୁହିଁ ରାଜପୁତ୍ରଙ୍କର ଅଭିଭାବକ ଭଳି ଆଚରଣ କରୁଥାଏ । ବଣ ଭିତରୁ କେତେ କିସମର ସୁସ୍ୱାଦୁ ଫଳ ତୋଳି ଓ ମୂଳମାନ ଖୋଳି ସେ ଆଣି ରାଜପୁତ୍ରଙ୍କୁ ପରଶି ଦେଉଥାଏ । କେବେ କେବେ ସେ ମଧୁର ଆଖୁମାନ ସଂଗ୍ରହ କରି ଆଣୁଥାଏ । ଆଉ ମାଙ୍କଡମାନେ ବଡ ବଡ ପାଚିଲା ପିଜୁଳି ଓ ଆମ୍ବ ଦୂରଦୂରାନ୍ତରରୁ ଆଣି ସନ୍ଦୀପଙ୍କୁ ସମର୍ପି ଦେଉଥାନ୍ତି ।
ସନ୍ଦୀପ ବାଘଛୁଆମାନଙ୍କ ସହ ଖେଳିବାକୁ ଖୁବ୍ ସୁଖ ପାଉଥାନ୍ତି । ବିଶେଷତଃ ଲୁଚକାଳି ଖେଳ । ସେମାନଙ୍କ ସହ କୁସ୍ତି କରି ସେ ଘାସରେ ଗଡିବାର ଦୃଶ୍ୟ ପ୍ରାୟ ଦେଖିବାକୁ ମିଳୁଥାଏ ।
ପ୍ରଭାତରେ ଝରଣାରେ ସ୍ନାନ ସମାପନ କରି ରାଜପୁତ୍ର ସନ୍ନ୍ୟାସୀଙ୍କ ପାଖରେ ବସି ଧ୍ୟାନ ଓ ପ୍ରାର୍ଥନା ଶିଖୁଥା’ନ୍ତି । ସନ୍ନ୍ୟାସୀ ତାଙ୍କୁ ଲେଖାପଢା ମଧ୍ୟ ଶିଖାଇଲେ । ବଣରେ ରାଜପୁତ୍ରଙ୍କ ହାତ ଧରି ତାଙ୍କୁ ବୁଲାଇ ବୁଲାଇ ଭିନ୍ନ ଭିନ୍ନ ଗଛଲତା ଓ ସେସବୁର ଗୁଣ ସହିତ ସନ୍ନ୍ୟାସୀ ତାଙ୍କ ପରିଚୟ କରାଇ ଦେଉଥା’ନ୍ତି ଓ କହୁଥାନ୍ତି, “ସୁନ୍ଦର ପ୍ରକୃତିକୁ ଆମେ ଶ୍ରଦ୍ଧା କରି ଶିଖିବା ଉଚିତ । ମଣିଷ ଆଗରୁ ପ୍ରକୃତିର ସୃଷ୍ଟି । ପ୍ରତି ମୁହୂର୍ତ୍ତରେ ଗଛମାନେ କେଡେ ଚମତ୍କାର ଯାଦୁ କରୁଥାନ୍ତି! ଚମ୍ପାଫୁଲ ଗୋଟାଏ ପ୍ରକାର ରଙ୍ଗ ଓ ବାସ୍ନା ପରିବେଷଣ କରୁଛି ତ ମଲ୍ଲିଫୁଲ ଆଉ ଏକ ପ୍ରକାର । ଅଥଚ ଉଭୟେ ସେହି ଏକା ମାଟି, ପାଣି, ସୂର୍ଯ୍ୟାଲୋକ ଓ ପବନ ଉପରେ ନିର୍ଭର କରୁଛନ୍ତି । ଏହା ଯଦି ଯାଦୁ ନୁହେଁ, ତେବେ ଯାଦୁ କ’ଣ? ଗୋଟାଏ ଗଛରେ ଆମ୍ବ ଫଳୁଛି ତ ଆଉ ଗୋଟାକରେ ପଣସ । ଅଥଚ ଉଭୟଙ୍କ ଭିତ୍ତି ଏକ ।”