ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ କି ଶୁଭ କାମନା ଜଣାନ୍ତି ନାହିଁ ।
ଦିନକର କଥା । ଜଣେ ଧନୀ ବଣିକ ଏକ ମୁଣିରେ ଚାରିଶହ ସୁନାମୋହର ଆଣି ମନ୍ଦିରର କିଛି କାର୍ଯ୍ୟରେ ଲଗାଇଦେବା ପାଇଁ ସାଧୁବାବାଙ୍କ ହାତରେ ଦେଇ ଗଲେ । ଏବେ ସାଧୁବାବା ତାକୁ ନେଇ ମନ୍ଦିରର ଏକ ଠଣାରେ ରଖିଦେଇ ତାଙ୍କ କାମରେ ଲାଗିଗଲେ । ଏତେଗୁଡିଏ ଟଙ୍କା ଦାନଦେବା ସତ୍ୱେ ବି ସାଧୁ ଦାତାଙ୍କୁ ଧନ୍ୟବାଦଟିଏ ଦେଲେ ନାହିଁ ଯାହା ଧନୀବଣିକ ଆଶା କରୁଥିଲେ । ସାଧୁବାବାଙ୍କ ଏଭଳି ଆଚରଣରେ ଧନୀ ବଣିକ ଅତ୍ୟନ୍ତ କ୍ଷୁବ୍ଧ ହୋଇଗଲେ । ଏହି କଥା ସେହି ମନ୍ଦିରରେ ଆଉ ଜଣେ ଭକ୍ତ ଆଗରେ ଅତି ଦୁଃଖର ସହିତ କହିଲେ । ଫଳରେ କଥାଟି ଆଉ ଲୁଚି ରହିଲା ନାହିଁ । ପରେ ଏହା ସାଧୁବାବାଙ୍କ କାନକୁ ବି ଗଲା ।
କିଛି ଦିନ ପରେ ସେଇ ଧନୀ ବଣିକଙ୍କ ସହିତ ସାଧୁବାବାଙ୍କର ଭେଟ ହେଲା । ସାଧୁବାବା ତାଙ୍କୁ ପଚାରିଲେ, “ସେଦିନ ଦାନ ଦେଲା ପରେ ମନ ଦୁଃଖ କରୁଥିଲେ କି?”
ଏବେ ଧନୀ ବଣିକ କହିଲେ, “ଆଜ୍ଞା, ଚାରିଶହ ସ୍ୱର୍ଣ୍ଣମୁଦ୍ରା କିଛି କମ୍ ନୁହେଁ । ଏତେଗୁଡିଏ ଟଙ୍କା ଦାନଦେଇ ଅନ୍ତତଃ ସାମାନ୍ୟ ଧନ୍ୟବାଦଟିଏ ଆଶା କରୁଥିଲି । ନ ପାଇବାରୁ ମୋର ମନ ଦୁଃଖ ହେଲା ।”