ବିଶାଳଦତ ତ୍ରିଲିଙ୍ଗ ଦେଶର ରାଜା ଥିଲେ, ସେ ଜଣେ ଦାନୀରାଜା ଥିଲେ । ତାଙ୍କ ମନ୍ତ୍ରୀ ଚାହୁଁ ନ ଥିଲେ ଯେ ରାଜା ରାଜ୍ୟର ଅର୍ଥସଂପଦକୁ ଦାନ କରି ଖର୍ଚ୍ଚ କରିଦିଅନ୍ତୁ । ତେଣୁ ସେ ସୁବିଧା ଦେଖି ରାଜାଙ୍କୁ ବୁଝାଇ ଦେବାକୁ ଚାହିଁଲେ ।
ଦିନେ ଜଣେ ସ୍ତ୍ରୀଲୋକ ରାଜସଭାକୁ ଆସି ବିଳାପ କରିକରି କହିଲା, “ମହାରାଜ, ମୋ ସ୍ୱାମୀ ବହୁଦିନରୁ ମୃତ । ମୋର ଏକମାତ୍ର ପୁତ୍ରର ଦେହ ଖରାପ । ଯଦି କିଛି ସାହାଯ୍ୟ ଦେଇ ପାରନ୍ତେ ତେବେ ବଡ ପୁଣ୍ୟ ହୁଅନ୍ତା ।”
ତା’ର ଏଭଳି କଥା ଶୁଣି ରାଜାଙ୍କ ହୃଦୟ ତରଳିଲା ସେ ସେହି ସ୍ତ୍ରୀଲୋକଙ୍କୁ ଶହେଟି ମୋହର ଦେବାକୁ ଆଦେଶ ଦେଲେ ।
ପରଦିନ ସିପାହୀମାନେ ପୂର୍ବୋକ୍ତ ସ୍ତ୍ରୀଲୋକଙ୍କୁ ବନ୍ଦୀ କରି ରାଜାଙ୍କ ପାଖରେ ଆଣି ହାଜର କଲେ, ରାଜା ଆଶ୍ଚର୍ଯ୍ୟ ହୋଇ କାରଣ ପଚାରନ୍ତେ ସିପାହୀମାନେ କହିଲେ, “ମହାରାଜ, ଏହାର ସ୍ୱାମୀ ଜୀବିତ, ଓ ପୁତ୍ର ସୁସ୍ଥ ସବଳ ହୋଇ ଅଛି । ସେ ଏତେଗୁଡାଏ କଥା ଛଳନା କରି କହି ଆପଣଙ୍କଠାରୁ ଟଙ୍କା ଠକି ନେଲା ।”
ମନ୍ତ୍ରୀ କହିଲେ, “ମହାରାଜ, ଏବେ ବୁଝିଲେ ତ? ଆପଣଙ୍କର ଦାନୀପଣିଆ ଉପରେ ସେମାନେ ଲାଭ ଉଠାଉଛନ୍ତି ଓ ଆପଣଙ୍କୁ ଅକାରଣରେ ଠକି ନେଇଛନ୍ତି ।”
ରାଜା କହିଲେ, “ମହାମନ୍ତ୍ରୀ, ତୁମ କଥା ଠିକ୍, ମଣିଷ ଦୁଃଖର ଆଗମନକୁ କଳ୍ପନା କରି କାନ୍ଦେ । କିନ୍ତୁ ଏହି ମହିଳାଟିର ତିଳେ ମାତ୍ର ଦୁଃଖ ନଥିବା ବେଳେ ସେ କିପରି ଦୁଃଖର ଚମତ୍କାର ଅଭିନୟ କରିପାରିଲା । ଅଭିନୟ ଏକ କଳା । ସେ ସେଥିରେ କୁଶଳୀ । ତା’ର ଏପ୍ରକାର କଳାକୌଶଳରେ ପୁରସ୍କାର ସ୍ୱରୂପ ଆଉ ଶହେ ମୋହର ଦେଇ ତାକୁ ଏଠାରୁ ବିଦାକର ।”