ଗୋଟିଏ ଗାଁରେ ଜଣେ ବ୍ରାହ୍ମଣ ଥିଲା । ସେ ଗରୀବ, କିନ୍ତୁ ଭଲ ମଣିଷ । ତାଙ୍କ ଘରକୁ ଲାଗି ଜଣେ କାଠୁରିଆ ରହୁଥିଲା । ସେ ବି ଗରୀବ । ଜୀବିକା ଅର୍ଜନ ପାଇଁ ସେ ପ୍ରତିଦିନ ବଣକୁ ଯାଏ ଓ କାଠ କାଟିଆଣି ତାକୁ ନେଇ ବିକ୍ରି କରେ । ଯେତିକି ପଇସା ମିଳେ, ସେଥିରେ ଡାଲି ଚାଉଳ କିଣି ସେ ତା’ ଘରେ ଯୋଗାଏ ।
କିନ୍ତୁ ହଠାତ୍ ଦେଖାଗଲା, ସେ ଆଉ ବଣକୁ ଯାଉନାହିଁ । ତାକୁ ଆଉ ପୂର୍ବଭଳି କାଠ ବୋଝ ମୁଣ୍ଡାଇ ବୁଲିବାର ବି କେହି ଦେଖିଲେ ନାହିଁ । ଖାଲି ସେତିକି ନୁହେଁ, ସେ ଗୋଟାଏ ନୂଆ ଘର ତିଆରି କଲା । ପୁଣି ସେ ଓ ତା’ ସ୍ତ୍ରୀ ଯେମିତି ଲୁଗାପଟା ପିନ୍ଧିଲେ, ସେତେ ଦାମିକା ଲୁଗାପଟା ସେ ଗାଁରେ ଆଉ କେହିବି ପିନ୍ଧିପାରୁ ନଥିଲେ । ସେ ପୁଣି ତା’ ଘରେ ଗୋଟାଏ ଚାକର ବି ରଖିଲା ।
ଦିନେ ବ୍ରାହ୍ମଣ ତା ସ୍ତ୍ରୀକୁ କହିଲା “ଆମ ପଡୋଶୀର ଭାଗ୍ୟ ଏମିତି କିପରି ବଦଳିଗଲା? ପଚାରିଲେ ସେ ଖାଲି ହସି ମୁଣ୍ଡ ଟୁଙ୍ଗାରି ଦିଏ; କିଛି ପ୍ରକଟ କରେ ନାହିଁ ।”
ବ୍ରାହ୍ମଣୀ କହିଲା “ଆଚ୍ଛା, ସେ ରହସ୍ୟ ମୁଁ ବୁଝିନେବି ।” କାଠୁରିଆର ସ୍ତ୍ରୀର ସହ ତାର ଗଭୀର ବନ୍ଧୁତା ଥିଲା । ସେ ଅଳ୍ପଦିନ ଭିତରେ ସବୁ ରହସ୍ୟ ଜାଣିଗଲା ଓ ସ୍ୱାମୀକୁ କହିଲା ।
ସେ ଆଶ୍ଚର୍ଯ୍ୟ ଘଟଣାଟି ଏମିତି:
ଥରେ ଲାଗ ଲାଗ ଦୁଇଦିନ ଧରି ଏମିତି ବର୍ଷା ହେଲା ଯେ କାଠୁରିଆ ମୋଟେ ବଣ ଭିତରକୁ ଯାଇ ପାରିଲା ନାହିଁ । ଫଳରେ କିଛି ଉପାର୍ଜନ ହେଲା ନାହିଁ । ଦୁଇଦିନ କାଳ ତା’ ପରିବାର ଭୋକ ଉପାସରେ ରହିଲେ ।
ଦ୍ୱିତୀୟ ଦିନ ରାତିରେ କାଠୁରିଆ ମୁଣ୍ଡକୁ ଗୋଟାଏ ବିଚିତ୍ର ଧାରଣା ଆସିଗଲା । ଗାଁ ପଛପଟେ ନଇ କୂଳରେ ଦେବମନ୍ଦିର ଥାଏ । ସେ ମନ୍ଦିରର ବିଗ୍ରହ କାଠରେ ତିଆରି । କାଠୁରିଆ କୌଶଳ କରି ମନ୍ଦିର ପଛ ଦୁଆର ଖୋଲି ଭିତରେ ପଶିଲା ଓ ବିଗ୍ରହକୁ ଚିରିବା ନିମନ୍ତେ କୁରାଢୀ ଉଠାଇଲା । ବିଗ୍ରହରୁ ଯେତିକି ଶୁଖିଲା କାଠ ମିଳିବ, ସେଥିରୁ ସେ କିଛି ହେଲେ ପଇସା ପାଇବ ବୋଲି ଆଶା କରୁଥିଲା ।
ହଠାତ୍ ସେ ଗୋଟାଏ ଗମ୍ଭୀର କଣ୍ଠ ଶୁଣିଲା । ସେ ସ୍ୱର କହିଲା “ରୁହ, ରୁହ!”
କାଠୁରିଆ ରହିଗଲା । କଣ୍ଠସ୍ୱର କହିଲା “ତୋର ପଇସା ଦରକାର ତ? କାଲି ସୋମବାର । ସୂର୍ଯ୍ୟୋଦୟ ବେଳେ ନଈରେ ବୁଡ ପକାଇବୁ । ଉଠିବା ବେଳକୁ ତୋ ହାତ ମୁଠାରେ ଖଣ୍ଡିଏ ସୁନା ଥିବ ।”