ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ କାଚୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
ତଥାପି ବି ରାଜା ବିକ୍ରମାର୍କ ତିଳେମାତ୍ର ଦ୍ୱିଧା ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ବୋଧ୍ହୁଏ ତମେ ନିଶ୍ଚୟ କାହାକୁ କଥା ଦେଇଛ ବୋଲି ଏଭଳି ଦୂର୍ଯୋଗପୂର୍ଣ୍ଣ ରାତିରେ ଏ ପରିଶ୍ରମ କରୁଛ । ଅର୍ଥାତ୍ ତମର ଦାୟିତ୍ୱ ଜ୍ଞାନ ଅପରିସୀମ । କିନ୍ତୁ ଦାୟିତ୍ୱଶୀଳତା କାହାକୁ କୁହାଯାଏ? ଥରେ ଥରେ ମୁନି ଋଷିମାନେ ଆମକୁ ଏ ପ୍ରଶ୍ନ ଉପରେ ବଡ ଅଡୁଆରେ ପକାଇ ଦିଅନ୍ତି । ସେଥିଲାଗି ଗୋଟାଏ ଦୃଷ୍ଟାନ୍ତ ଦେଉଛି; ମନଦେଇ ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ମନେ ହେବ ।”
ଏହାପରେ ସେ ବେତାଳ ଗପିଲା: ଅନେକ ପୁରା କାଳର କଥା । ପଦ୍ମପୁର ରାଜ୍ୟର ରାଜାଙ୍କର ଦୁଇ ଜଣ କନ୍ୟା ଥିଲେ, ସେମାନଙ୍କ ନାମ ସୁନୀତି ଓ ସୁରେଖା । ସେ ଦୁହେଁ ଦେଖିବାକୁ ଯେପରି ସୁନ୍ଦରୀ, ଠିକ୍ ସେହିପରି ବୁଦ୍ଧିମତୀ ମଧ୍ୟ । ତେବେ ବଡ ସୁନୀତି ସାନ ସୁରେଖା ତୁଳନାରେ ଅଧିକ ଧୀରସ୍ଥିର ଓ ନୀତିପରାୟଣା ବୋଲି ସମସ୍ତେ ଜାଣିଥିଲେ । ସୁରେଖା ସୁନୀତି ତୁଳନାରେ ଅଧିକ ସୁନ୍ଦରୀ, କିନ୍ତୁ ସ୍ୱଭାବରେ ସେ ଟିକିଏ ପିଲାଳିଆ । କୌଣସି ଦାୟିତ୍ୱପୂର୍ଣ୍ଣ କାମ ପଡିଲେ ରାଜା ତାଙ୍କ ବଡ ଝିଅକୁ ତାହା ତୁଲାଇବାକୁ କହୁଥିଲେ । ସାନ ଝିଅ ଖେଳି ବୁଲି ଗୀତ ଗାଇ ସମୟ କଟାଉଥିଲା ।
ଦିନେ ସୁନୀତି ଉଦ୍ୟାନରେ ବସିଛି, ଠିକ୍ ଏହି ସମୟରେ ହଠାତ୍ କିଏ ଜଣେ ତାକୁ ପଛରୁ ଡାକିଲା, “ସୁନ୍ଦରୀ!”
ଏହା ଶୁଣି ସେ ସୁନୀତି ଅକସ୍ମାତ ଚମକି ପଡି ପଛକୁ ଅନାଇ ଦେଖିଲା, ସେଠାରେ ଜଣେ ଗନ୍ଧର୍ବ ଯୁବକ ଛିଡା ହୋଇଛି । ଗନ୍ଧର୍ବ ଅଳ୍ପ ହସି କହିଲା, “ରାଜକନ୍ୟା! କିଛି ସମୟ ଧରି ମୁଁ ତ କେବଳ ତୁମକୁ ହିଁ ଦେଖୁଛି । ଅଦୃଶ୍ୟ ଭାବରେ ଆକାଶମାର୍ଗରେ ଯାଉ ଯାଉ ତମକୁ ଦେଖି ମୁଁ ଏଠାରେ ଅବତରଣ କଲି । ତମ ଭଳି ସୁନ୍ଦରୀ ମୁଁ ଆଉ କେଉଁଠାରେ ହେଲେ ବି ଦେଖି ନାହିଁ । ତମକୁ ବିବାହ କରିବାକୁ ମୋର ଭାରି ଇଚ୍ଛା ହେଉଛି ।”
ସୁନୀତି ସେ ଗନ୍ଧର୍ବକୁ ନିରୀକ୍ଷଣ କରି କହିଲା, “ଗନ୍ଧର୍ବବର! ତମେ ବଡ ଅପ୍ରତ୍ୟାଶିତ ଭାବରେ ତମ ପ୍ରସ୍ତାବଟି ଥୋଇଲ । ଟିକିଏ ଭାବିଚିନ୍ତି ସିନା ମୁଁ ଯାହା ଉତ୍ତର ଦେବି! ତେଣୁ ତମେ ଆଗାମୀ କାଲି ଠିକ୍ ଏତିକି ବେଳକୁ ହିଁ ଆସ । ମୁଁ ମୋ ମନକଥା ତୁମକୁ କହିବି ।”
ସୁନୀତିର ଏଭଳି ଅଭିପ୍ରାୟ ଶୁଣି ସେ ଗନ୍ଧର୍ବ ଅତି ଆନନ୍ଦରେ ସମ୍ମତ ହୋଇ ସେଠାରୁ କୁଆଡେ ଅଦୃଶ୍ୟ ହୋଇଗଲା ।
ସେଦିନ ରାଜକନ୍ୟା ସୁନୀତି ବହୁ ସମୟ ଧରି ଚିନ୍ତାମଗ୍ନ ରହିଲେ । ତେବେ ସେ କାହାକୁ କିଛି ବି କହିଲେ ନାହିଁ । ପରଦିନ ଯଥା ସମୟରେ ଗନ୍ଧର୍ବ ଆସି ପହଁଚିଲା । ସୁନୀତି କହିଲେ, “ମୁଁ ଏଯାଏଁ କିଛି ମଧ୍ୟ ସିଦ୍ଧାନ୍ତ ନେଇ ପାରି ନାହିଁ । ତମେ ଗୋଟାଏ କାମ କର । ଏ ପୁଷ୍କରିଣୀ ସେପଟେ ଲତାକୁଞ୍ଜ ଗହଳରେ ଯାଇ ଅପେକ୍ଷା କର । ଘଂଟାଏ ପରେ ଦେଖାଯିବ ।”
ଗନ୍ଧର୍ବ ଲତାକୁଞ୍ଜ ସେପାରିକୁ ଯାଇ ଯାହା ସେ ଦେଖିଲା, ସେଥିରେ ସେ ଅବାକ୍ ହୋଇଗଲା । ସେଠି ସେତେବେଳେ ସାନ ରାଜକନ୍ୟା ସୁରେଖା ବସି ଗୀତ ବୋଲୁଥିଲା ଓ ଫୁଲମାଳ ଗୁନ୍ଥୁଥିଲା । ଗନ୍ଧର୍ବ ନିର୍ନିମେଷ ନୟନରେ ତାକୁ କିଛି ସମୟ ପର୍ଯ୍ୟନ୍ତ ଅନାଇ ରହି ଡାକିଲା, “ସୁନ୍ଦରୀ!”