ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଃଖର ଅଶ୍ରୁ

 ଗୋଟିଏ ରାଜ୍ୟରେ ଥିଲେ ଜଣେ ରାଜା । ସେ ଥିଲେ ଭାରି ଖିଆଲି । ଥରେ ତାଙ୍କ ମୁଣ୍ଡରେ ସବାର ହେଲା ଗୋଟିଏ ନିଶା । ସେ କେମିତି ଏ ବିଶ୍ୱର ସବୁଠାରୁ ଭଲ ରାଜା ହେବେ । ତେବେ ତାହା କେମିତି ସମ୍ଭବ ହେବ, ସେ ବାବଦରେ କୌଣସି ଲୋକ ତାଙ୍କୁ ବିଶେଷ କିଛି ସୂତ୍ର ପ୍ରଦାନ କରି ପାରିଲେ ନାହିଁ । ରାଜା ଯେତେ ନମ୍ର, ଭଦ୍ର ବା ଦୟାଶୀଳ ହେବାକୁ ଚାହିଁଲେ ବି ବେଶୀ ସମୟ ସେଭଳି ରହି ପାରିଲେ ନାହିଁ । କିଛି ଦିନ ପରେ ପୁଣି ତାଙ୍କର ପୁରୁଣା ପ୍ରକୃତି ବାହାରିଲା । ଏଇ ସମୟରେ ଜଣେ ସନ୍ନ୍ୟାସୀ ତାଙ୍କ ରାଜ୍ୟକୁ ଆସିଲେ । ରାଜା ତାଙ୍କୁ ନିଜର ଅଭିପ୍ରାୟ ଜଣାଇ ଉପାୟ ଜାଣିବାକୁ ଚାହାଁନ୍ତେ ସନ୍ନ୍ୟାସୀ କହିଲେ ରାଜା, ଦମ୍ଭ ଧରି ଛିଡା ହୋଇ ରହିଲେ ତୁମର ଇଚ୍ଛା ପୂରଣ ହେବ । ଏହା କହି ସେ ଚାଲିଗଲେ । ରାଜା କିନ୍ତୁ, ସନ୍ନ୍ୟାସୀଙ୍କ କଥାର ମର୍ମ ବୁଝିପାରିଲେ ନାହିଁ ।

         କିଛି ଦିନ ପରେ ରାଜାଙ୍କ ଉପରେ ପଡିଲା ଏକ ଦାରୁଣ ଦୁଃଖ । ଉଦ୍ୟାନରେ ବୁଲୁଥିବା ବେଳେ ରାଜାଙ୍କ ଏକ ମାତ୍ର ପୁତ୍ର ସର୍ପ ଦଂଶନରେ ପ୍ରାଣ ହରାଇଲେ । ଯୁବରାଜଙ୍କ ଅକାଳ ମୃତ୍ୟୁରେ ରାଜା ପୁରା ଭାଙ୍ଗି ପଡିଲେ । ରାଜା ଏବଂ ରାଣୀଙ୍କୁ ଯେତେ ପ୍ରବୋଧନା ଦିଆଗଲେ ବି ସେମାନଙ୍କ ଆଖିରୁ ଲୁହ ଝରିବା ବନ୍ଦ ହେଲା ନାହିଁ । ଧୀରେ ଧୀରେ ସମୟ ଅତିକ୍ରାନ୍ତ ହେଲା । କୁହାଯାଏ ସମୟ ହେଉଛି ମହୌଷଧି । କ୍ରମେ ରାଜା ପ୍ରକୃତିସ୍ଥ ହେଉଥିଲେ । କିନ୍ତୁ ପୂର୍ବର ଖିଆଲି ଭାବ ମରି ଯାଉଥିଲା । ଅନ୍ୟର ଆଖିରେ ଲୁହ ଦେଖିଲେ ରାଜାଙ୍କ ପାଟିରୁ ଆପଣା ଛାଏଁ ଆହା ବୋଲି ବାହାରି ଯାଉଥିଲା । ଅନ୍ୟର ଦୁଃଖ ଦେଖିଲେ ରାଜାଙ୍କ ହୃଦୟ ବିଳପି ଉଠୁଥିଲା । ଧୀରେ ଧୀରେ ରାଜାଙ୍କ ଭିତରେ ଧୈର୍ଯ୍ୟର ଭାବ ଜମାଟ ବାନ୍ଧୁଥିଲା । ଯୁବକ ପୁତ୍ରର ଅକସ୍ମାତ ମୃତ୍ୟୁ ପରେ ରାଜାଙ୍କର ଭୋଗ ବିଳାସ ପ୍ରତି ଆସକ୍ତି ବି କମି ଯାଉଥିଲା ।

         ଏ ଘଟଣାର ଅନେକ ଦିନ ପରେ ଦିନେ ସନ୍ନ୍ୟାସୀ ପୁଣି ଆସିଲେ । ଏଥର ସେ ପରିବର୍ତ୍ତିତ ରାଜାଙ୍କୁ ଦେଖିଲେ । ରାଜାଙ୍କୁ ସେ କହିଲେ – “ରାଜନ୍, ତୁମେ ଏବେ ଏ ବିଶ୍ୱର ସବୁଠାରୁ ଭଲ ରାଜା । ତୁମ ପୁଅର ମୃତ୍ୟୁ ହେବ ବୋଲି ମୁଁ ଆଗରୁ ଜାଣିପାରିଥିଲି ଏବଂ ସେଥିପାଇଁ ଦମ୍ଭର ସହିତ ଛିଡା ହେବା କଥା କହିଥିଲି । ମନେରଖନ୍ତୁ ରାଜା ! ହୃଦୟର ମଟାଳ ମାଟିକୁ ଦୁଃଖର ଅଶ୍ରୁ ନ ଧୋଇଲେ, ସେଠି ମାନବିକତାର ବୀଜ ଅଙ୍କୁରିବ ନାହିଁ । ରାଜା ମଧ୍ୟ ସେଦିନ ସନ୍ନ୍ୟାସୀଙ୍କ କଥାର ମର୍ମ ବୁଝିପାରିଥିଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ