ଆଚାର୍ଯ୍ୟ ଜଗନ୍ନାଥ ଦେବ ଥରେ ତାଙ୍କ ଶିଷ୍ୟ ସହ ମଳୟବତୀ ନଗରୀ ଆଡେ ଯାଉଥାନ୍ତି । କାହିଁକିନା ନଗରୀର ରାଜସଭାରେ ବେଦବିଦ୍ ପଣ୍ଡିତମାନଙ୍କର ସଭା ହେବାର ଥାଏ । ସେ ସେଥିରେ ସଭାପତିତ୍ତ୍ୱ କରିବା କଥା ।
ଆଚାର୍ଯ୍ୟ ତାଙ୍କ ଯୁବା ବୟସରେ ଥରେ ମଳୟବତୀ ଯାଇଥିଲେ । ମଳୟବତୀ ସେ ରାଜ୍ୟର ରାଜଧାନୀ । କିନ୍ତୁ ରାଜାଙ୍କ ପାଖରେ ବା ରାଜଧାନୀରେ ଆଚାର୍ଯ୍ୟଙ୍କର କିଛି କାମ ନଥାଏ । ସେ କେବଳ ଶିକ୍ଷାଦାନ ଓ ଗବେଷଣାରେ ମଗ୍ନ ଥାନ୍ତି । ଗୋଟିଏ ଗାଁରେ ତାଙ୍କ ଗୁରୁକୂଳ । ତେବେ ତାଙ୍କ ଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପ୍ତ ହୋଇ ଯାଇଥାଏ । ଏଣୁ ରାଜାବି ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥାନ୍ତି ।
ମଳୟବତୀ ବେଶ୍ ଦୂରରେ । ବାଟ ଚାଲୁ ଚାଲୁ ଗୁରୁ ଶିଷ୍ୟ ଗୋଟିଏ ବଣରେ ଯାଇ ପଶିଲେ । ବଣର ଶେଷ ଭାଗରେ ସେମାନେ ପହଁଚି ଦେଖିଲେ ବାଟ ସେଠାରେ ଦ୍ୱିଧାବିଭକ୍ତ ହୋଇ ଦୁଇ ବିପରୀତ ଦିଗକୁ ଯାଇଛି । କେଉଁ ବାଟରେ ଗଲେ ମଳୟବତୀରେ ପହଁଚିବା ସମ୍ଭବପର ହେବ, ତାହା ଏ ଦୁହେଁ ବୁଝିପାରୁ ନଥାନ୍ତି ।
ପାଖରେ ଗୋଟିଏ ବରଗଛ ମୂଳରେ ଦୁଇଜଣ ଯୁବକ ବସି ପଶା ଖେଳୁଥିଲେ । ଗୁରୁ ଶିଷ୍ୟ କିଛି ସମୟ ସେମାନଙ୍କ ଆଡେ ଅନାଇ ରହିଲେ । ସେମାନେ କିନ୍ତୁ ଏ ପଥିକ ଦୁହିଁଙ୍କ ଆଡେ ଯମାରୁ ଦୃଷ୍ଟିପାତ କଲେ ନାହିଁ । ଖେଳରେ କିଛି ସମସ୍ୟା ଯୋଗୁଁ ସେ ଦୁହେଁ କଳି କରୁଥିଲେ । ଅପେକ୍ଷା କରି ଗୁରୁ ସେମାନଙ୍କୁ ସମ୍ବୋଧନ କରି ପଚାରିଲେ, “ଆଚ୍ଛା, ମଳୟବତୀ ଯିବାକୁ ହେଲେ ଆମକୁ କେଉଁ ବାଟରେ ଯିବାକୁ ହେବ?”
ଜଣେ ଯୁବକ କହିଲା “ଆପଣମାନେ ଡାହାଣ ବାଟରେ ଯାଆନ୍ତୁ!”
ଦ୍ୱିତୀୟ ଯୁବକ କହିଲା “ନା, ନା । ଆପଣମାନେ ବାମ ରାସ୍ତା ଧରନ୍ତୁ ।”
ଗୁରୁ ଶିଷ୍ୟ ଏଥର ବଡ ସମସ୍ୟାରେ ପଡିଲେ । ଶିଷ୍ୟ ରାଗିଯାଇ ସେ ଯୁବକ ଦୁଇଜଣଙ୍କୁ କିଛି କଡା କଥା କହିବାକୁ ଉଦ୍ୟତ ହେଉଥିଲା । ଗୁରୁ ତାହା ବୁଝିପାରି ତାକୁ ରୋକିଦେଇ ପଶାଖେଳାଳୀମାନଙ୍କୁ ପଚାରିଲେ, “ଆଚ୍ଛା ଭାଇ, ମଳୟବତୀର ରାଜାଙ୍କ ନାମ କ’ଣ?”
ପ୍ରଥମ ଯୁବକଟି କହିଲା “ଉତ୍ତମ ଦେବ ।”
ଦ୍ୱିତୀୟ ଯୁବକଟି କହିଲା “ନା, ନା! ତାଙ୍କ ନାମ ସୁଢଳ ଚନ୍ଦ୍ର ।”
“ଧନ୍ୟବାଦ ।” ଏହା କହି ଆଚାର୍ଯ୍ୟ ଡାହାଣ ରାସ୍ତା ଧରିଲେ ଓ ଶିଷ୍ୟ ତାଙ୍କୁ ଅନୁସରଣ କଲା । ବଣ ଅତିକ୍ରମ କରି ସେମାନେ ସିପ୍ରା ନଦୀ କୂଳରେ କାଳୀ ମନ୍ଦିର ସାମନାରେ ଯାଇ ପହଁଚିଲେ । ନଦୀ ଆରପାରିରେ ମଳୟବତୀ ନଗରୀ । ମନ୍ଦିରର ପୁରୋହିତ ସେମାନଙ୍କୁ ପ୍ରସାଦ ସେବନ କରିବାକୁ ଅନୁରୋଧ କରିବାରୁ ସେ ଦୁହେଁ ସେଠାରେ ଅପେକ୍ଷା କଲେ । ଦୁହିଁଙ୍କୁ ନଦୀ ପାରି କରାଇବା ପାଇଁ ରାଜାଙ୍କ ନୌକା ଅପେକ୍ଷା କରିଥାଏ ।
ଶିଷ୍ୟ ପଚାରିଲା “ଗୁରୁଦେବ! ଆମେ ଯଦି ସେ ଅନ୍ୟ ଯୁବକଟିର କଥା ଶୁଣିଥାନ୍ତେ, ତେବେ ବର୍ତ୍ତମାନ କାହିଁ କେତେ ଦୂରରେ ଯାଇ ପହଁଚିଥାନ୍ତୁ ସେକଥା କିଏ ବା ଜାଣେ! କିନ୍ତୁ ଆପଣ କିପରି ଡାହାଣ ରାସ୍ତା ଧରିବାର ସିଦ୍ଧାନ୍ତ ନେଲେ?”
ଆଚାର୍ଯ୍ୟ ବୁଝାଇ ଦେଲେ “ବତ୍ସ! ପ୍ରଥମ ଜଣକ ସ୍ତତଃସ୍ପୁର୍ତ ଭାବରେ ଉତ୍ତର ଦେଇଥିଲା । ସେତେବେଳେ ସେ ଦୁହେଁ କଳି କରିବାରୁ ପ୍ରଥମ ଜଣକ ଯାହା ବି କିଛି କହିଲା, ଦ୍ୱିତୀୟ ଜଣକ ତା’ର ବିପରୀତ କଥାହିଁ କହିଲା । ମୁଁ ତ ସେଇଥିପାଇଁ ରାଜାଙ୍କ ନାମ ପଚାରିଲି । ପ୍ରଥମ ଜଣକ ଠିକ୍ ଉତ୍ତର ଦେଲା । ରାଜାଙ୍କ ନାମ ବାସ୍ତବିକ ଉତ୍ତମଦେବ । ତେଣୁ ବୁଝିପାରିଲି, ପ୍ରଥମ ଜଣକ ଯାହା କହୁଛି, ତାହା ସେ ଜାଣିକରି କହୁଛି । ହେଲେ ଦ୍ୱିତୀୟ ଜଣକ ଖାଲି ତା’ର ବିରୋଧ କରିବା ପାଇଁ କହୁଛି ।”