ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଇ ଦ୍ୱୀପ

ବିଜୟ ନାମକ ଏକ ଯୁବକ ଜଣେ ଧନୀ ସୌଦାଗରଙ୍କ ପାଖରେ କର୍ମଚାରୀ ରୂପେ କାମ କରୁଥିଲା । ବିଜୟର ବୁଦ୍ଧି ଓ ପରିଶ୍ରମ ଯୋଗୁଁ ସେ ସୌଦାଗର ଜଣକ ବିପୁଳ ଲାଭ କଲେ । ସେ ବିଜୟ ଉପରେ ଅତ୍ୟନ୍ତ ପ୍ରୀତ ହୋଇ ଦିନେ ତାକୁ ସେ ଡାକି କହିଲେ, “ବିଜୟ! ତୁମେ ଆଉ ମୋର କର୍ମଚାରୀ ହୋଇ ରହିବ ନାହିଁ । ନିଜେ ଜଣେ ସୌଦାଗର ରୂପେ ଉନ୍ନତି କର ।” ଏହା କହି ସେ ବିଜୟକୁ ଗୋଟିଏ ବୋଇତ ଏବଂ ଏକ ଲକ୍ଷ ମୁଦ୍ରା ଦେଲେ ।

ବିଜୟ ସୌଦାଗରଙ୍କୁ କୃତଜ୍ଞତା ଜଣାଇ ବାଣିଜ୍ୟ ନିମନ୍ତେ ଜଳଯାତ୍ରା ଆରମ୍ଭ କଲା । କିନ୍ତୁ ସମୁଦ୍ରରେ ଭୀଷଣ ଝଡ ହେଲା । ଫଳରେ ତା’ ବୋଇତ ବୁଡିଗଲା । କୌଣସି ମତେ ସେ ଯାଇ ଗୋଟାଏ ଦ୍ୱୀପରେ ଲାଗିଲା । ସେ ଅତ୍ୟନ୍ତ କ୍ଳାନ୍ତ ହୋଇଥାଏ । ତେଣୁ କୂଳରେ ପହଁଚିବା ମାତ୍ରେ ସେ ନିଜ ଚେତା ହରାଇଲା ।

ଯେତେବେଳେ ତା’ର ଚେତା ଫେରି ଆସିଲା, ସେତେବେଳେ ସେ ଦେଖିଲା ତାକୁ ଅନେକ ଲୋକ ଘେରି ରହିଛନ୍ତି । ଗୋଟାଏ ସୁକୁମାର ଶେଯରେ ସେ ଶୋଇଛି । ଚେତା ଫେରିବା ମାତ୍ରେ ତାକୁ ସୁବର୍ଣ୍ଣ ପାତ୍ରରେ ଦୁଧ ଓ ଫଳମୂଳ ପରଶି ଦିଆଗଲା । ତା’ପରେ ଗୋଟାଏ ହାତୀରେ ବସାଇ ତାକୁ ଗୋଟିଏ କୋଠା ଆଡେ ନିଆଗଲା । କୋଠା ଦେଖି ବିଜୟ ବୁଝିଲା ଯେ ତାହା ଏକ ରାଜପ୍ରାସାଦ । ସେ ଭାବିଲା କୌଣସି କାରଣରୁ ତାକୁ ରାଜାଙ୍କ ସହ ଭେଟ କରାଇବାକୁ ନିଆ ଯାଉଛି ।

କିନ୍ତୁ ପ୍ରାସାଦ ଭିତରେ ତାକୁ ରାଜକୀୟ ପୋଷାକ ଦିଆଗଲା ଏବଂ ତା’ପରେ ତାକୁ ରାଜ-ସିଂହାସନରେ ବସାଇ ମୁକୁଟ ପିନ୍ଧାଇ ଦିଆଗଲା ।

ବିଜୟର ବିସ୍ମୟ କଥା କହିଲେ ନ ସରେ । ଏହା ସ୍ୱପ୍ନ ନା ସତ୍ୟ? କେଇଘଂଟା ପୂର୍ବରୁ ସମୁଦ୍ରରେ ଡୁବି ତା’ ପ୍ରାଣ ଯିବାକୁ ବସିଥିଲା । ବର୍ତ୍ତମାନ ତାକୁ ରାଜା ରୂପେ ଲୋକେ ଅଭିଷିକ୍ତ କରୁଥିବାର ମନେ ହେଉଛି! ଏହା କିପରି ସମ୍ଭବପର ହେଲା? ଲୋକେ ତାକୁ କାହିଁକି ରାଜା ରୂପେ ବରଣ କରୁଛନ୍ତି? ଏହା କିପରି ଅଦ୍ଭୁତ ଦେଶ?

ସେ ଅମାତ୍ୟ ଭଳି ଦିଶୁଥିବା ଲୋକଙ୍କୁ ପଚାରିଲା “ମୁଁ ତମ ପାଇଁ ଅଜଣା; ତମେମାନେ ମୋ ପାଇଁ ଅଜଣା । ଏସବୁର ଅର୍ଥ?”

ସେମାନେ ଜଣାଇଲେ କି ସେ ଦ୍ୱୀପର ପରମ୍ପରା ଅନୁସାରେ ପ୍ରତି ପାଂଚବର୍ଷରେ ଥରେ ନୂଆ ରାଜା ବରଣ କରା ହୁଏ । ଦ୍ୱୀପବାସୀଙ୍କ ଭିତରୁ କେହି ରାଜା ହେଲେ ସେ ନିରପେକ୍ଷ ହେବନାହିଁ ବୋଲି ପାଂଚବର୍ଷ ପରେ ପ୍ରଥମ ବିଦେଶୀ ଯିଏ ସେଠି ପହଁଚେ, ତାକୁ ରାଜା କରା ହୁଏ ।

ବିଜୟ ବୁଝିଲା ଯେ ପୁରୁଣା ରାଜାଙ୍କ ଶାସନକାଳ ଶେଷ ହେବା ପରେ ସେ ଦ୍ୱୀପରେ ପ୍ରଥମ ବିଦେଶୀ ହିସାବରେ ସେ ଆସି ସେଠାରେ ପହଁଚି ଯାଇଥିଲା ।

ରାତିରେ ବିଜୟ ମନ୍ତ୍ରୀଙ୍କୁ ପଚାରିଲା, “ପାଂଚବର୍ଷ ପରେ ନୂଆ ରାଜା ବରଣ ହେବା ପୂର୍ବରୁ ପୁରୁଣା ରାଜାର କ’ଣ ହୁଏ?”

ମନ୍ତ୍ରୀ କହିଲେ, “ମହାରାଜ! ରାଜା ହେବା ମାତ୍ରେ ସମସ୍ତେ ଏତେ ଖୁସି ହୋଇଯା’ନ୍ତି ଯେ ଏ ପ୍ରଶ୍ନ କେବେବି କେହି କରନ୍ତି ନାହିଁ । ଆପଣ ଯେତେବେଳେ ଏ ପ୍ରଶ୍ନ କରିଛନ୍ତି, ଆପଣଙ୍କୁ ଉତ୍ତର ନ ଦେଇ ମୋର ଆଉ କୌଣସି ଉପାୟ ନାହିଁ । ଏ ଦ୍ୱୀପକୁ ଲାଗି ଅନ୍ୟ ଏକ ଦ୍ୱୀପ ଅଛି । ତାହା ଘନ ଜଙ୍ଗଲରେ ଭରା । ପୁରୁଣା ରାଜାଙ୍କୁ ସେହି ଦ୍ୱୀପରେ ନେଇ ଛାଡି ଦେବା ହେଲା ବିଧି ।”

ବିଜୟ ରାଜା ହେବାର କେଇଦିନ ପରେ ସେ ପାଖ ଦ୍ୱୀପକୁ ଗଲା । ସେଠିକା ଅବସ୍ଥା ଦେଖି ସେ ବୁଝିଲା ଯେ ସେଠାରେ ବଂଚି ରହିବା ସମ୍ପୂର୍ଣ୍ଣ ଅସମ୍ଭବ । ଅର୍ଥାତ୍ ସବୁ ପୁରୁଣା ରାଜାମାନେ ସେଠାରେ ମୃତ୍ୟୁ ବରଣ କରିଥିବେ! ପାଂଚବର୍ଷ ରାଜୁତି କରିବା ପରେ ପରେ ମୃତ୍ୟୁ! ଅଳ୍ପଦିନ ଭିତରେ ବିଜୟ ସେ ଦ୍ୱୀପରୁ ବଣ ଜଙ୍ଗଲ ସବୁ ସାଫ୍ କରି ସେଠାରେ ଉଦ୍ୟାନ ଓ ଫଳ ବଗିଚା ମାନ ଉପୁଜାଇଲା । ସୁନ୍ଦର ଘରଟିମାନ ମଧ୍ୟ ସେ ନିର୍ମାଣ କଲା । ସେ ଦ୍ୱୀପର ଉନ୍ନତି ସଙ୍ଗେ ସଙ୍ଗେ ମୂଳ ଦ୍ୱୀପର ମଧ୍ୟ ଯେପରି ସବୁ ପ୍ରକାର ଉନ୍ନତ ହେବ, ସେ ଦିଗରେ ଚେଷ୍ଟାରେ ସେ ମୋଟେ ତୃଟି କଲା ନାହିଁ ।

ପାଂଚବର୍ଷ ବିତିଗଲା । ସେ ଦିନେ ଦରବାରରେ ଘୋଷଣା କଲା, “ଏଥର ମୁଁ ସେ ଅନ୍ୟ ଦ୍ୱୀପକୁ ଚାଲିଲି । ତମେମାନେ ନୂଆ ରାଜାକୁ ଅପେକ୍ଷା କର ।”

ଅମାତ୍ୟମାନେ ନୀରବ ରହିଲେ । ବିଜୟ ଅନ୍ୟ ଦ୍ୱୀପକୁ ଚାଲିଗଲା । ସଙ୍ଗେ ସଙ୍ଗେ ମୂଳ ଦ୍ୱୀପର ସହସ୍ରାଧିକ ବାସିନ୍ଦା ସେ ଦ୍ୱୀପକୁ ଉଠିଗଲେ ଓ କହିଲେ, “ଆପଣ ଏ ଦ୍ୱୀପରେ ରାଜୁତି କରନ୍ତୁ । ଆମେ ଏଠାରେ ଆପଣଙ୍କ ପ୍ରଜା ହୋଇ ରହିଲୁ ।”

ଏହା ପରେ ଅମାତ୍ୟମାନେ ଯାଇ ସେଠାରେ ପହଁଚିଲେ ଓ ବିଜୟଙ୍କୁ କହିଲେ, “ଆପଣ ମୂଳ ଦ୍ୱୀପକୁ ଫେରି ଚାଲନ୍ତୁ । ସେଇଠୁ ଦୁଇ ଦ୍ୱୀପ ଉପରେ ରାଜୁତି କରିବେ । ଆମର ନୂଆ ରାଜା ଆଉ ଲୋଡା ନାହିଁ ।” ଶେଷରେ ତାହାହିଁ ହେଲା । ବିଜୟ ସେଠାରେ ଆଜୀବନ ରାଜା ହୋଇ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ