ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି ।
କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ ନାଗେଶ୍ୱରଙ୍କ ପତ୍ନୀ ନିଜ ପତିଙ୍କୁ ଅନୁରୋଧ କରି ବର୍ଦ୍ଧନ ଓ ତାଙ୍କ ପତ୍ନୀ ସମେତ ପୁରା ପରିବାରକୁ ନିଜ ଘରକୁ ଡକାଇ ଆଣିଲେ । ଭଲ ଡାକ୍ତରଙ୍କୁ ଦେଖାଇ ତାର ଚିକିତ୍ସା କରାଇଲେ । ରୋଗୀର ସେବାଯତ୍ନରେ ଆଦୌ ଟିକେବି ହେଳା କଲେ ନାହିଁ । ଦେଖୁ ଦେଖୁ ବର୍ଦ୍ଧନ ତିନିମାସ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ ।
ବର୍ଦ୍ଧନ ଓ ତାଙ୍କ ପତ୍ନୀ ନାଗେଶ୍ୱର ଓ ତାଙ୍କ ପତ୍ନୀଙ୍କୁ ଗଦ୍ଗଦ୍ କଣ୍ଠରେ କୃତଜ୍ଞତା ଜଣାଇ ସପରିବାରେ ନିଜ ଗ୍ରାମକୁ ଫେରିଗଲେ ।
ଦିନେ ନାଗେଶ୍ୱର ତାଙ୍କ ପତ୍ନୀ ସାବିତ୍ରୀଙ୍କୁ କହିଲେ, “ନିଜର ନଣନ୍ଦ ଓ ତା’ର ପରିବାରକୁ ଏତେ ଦୟା ଓ ଆଦର ଭାବ ଦେଖାଉଥିବା ମହିଳା ମୁଁ ଆଜିଯାଏଁ କୋଉଠି ହେଲେବି ଦେଖି ନାହିଁ । ତୁମେ ନିଜର ଭାଇଠାରୁ ବଳି ଅଧିକ ସେବା ବର୍ଦ୍ଧନକୁ କରି ତା’କୁ ଆରୋଗ୍ୟ କରାଇଲ । ତୁମର ଏପରି ଦୟାଗୁଣ ମୋ ମନରେ ଅନେକ ଗର୍ବ ଓ ଆନନ୍ଦ ଆଣି ଦେଉଛି ।”
ପତିଙ୍କ କଥାରେ ସାବିତ୍ରୀ ହସରେ ଫାଟି ପଡି କହିଲେ, “ତୁମେ କେବଳ ମୋ ଠାରେ ଦୟାଗୁଣ ଦେଖି ପାରିଲ । କିନ୍ତୁ ମୋର ଚିନ୍ତାଧାରା କେତେ ଯେ ଦୂରଦୃଷ୍ଟି ସମ୍ପନ୍ନ, ତାହା ତୁମେ ଜାଣି ପାରିଲ ନାହିଁ ।”
ନାଗେଶ୍ୱର ଏଥିରୁ କିଛି ବୁଝି ନ ପାରି ବୋକାଙ୍କ ପରି ଚାହିଁ ରହିଲେ ।
ସାବିତ୍ରୀ ବିସ୍ତାର ପୂର୍ବକ କହିଲା “ବୁଝିଲ, ତମର ଭଉଣୀ ସୌଭାଗ୍ୟବତୀ ରୁହନ୍ତୁ, ଏହା ହିଁ ମୋର ଇଚ୍ଛା । ଜଣେ ସାଧାରଣ ପରିବାରର ଝିଅ ପତିଙ୍କୁ ହରାଇଲେ, ପରିବାର ସହିତ ବାପା ଘରେ ଆସି ସେ ଆଶ୍ରୟ ନେବ । ଏହା ବ୍ୟତୀତ ତା’ର ଆଉ କୌଣସି ଚାରା ନାହିଁ । ତୁମ ଭିଣୋଇଙ୍କର କିଛି ହାନିଲାଭ ହୋଇଥିଲେ, ଭଉଣୀର ପରିବାରର ବୋଝ ଆମ ଉପରେ ହିଁ ପଡି ଥାଆନ୍ତି । ଏହି କଥା ଭାବି ମୁଁ ତୁମର ଭିଣୋଇଙ୍କୁ ଡକାଇ ଉତ୍ତମ ଚିକିତ୍ସାର ସମସ୍ତ ପ୍ରକାର ବନ୍ଦୋବସ୍ତ କରାଇଲି । ଏହା ହିଁ ମୋର ଦୂରଦୃଷ୍ଟି, ନୁହେଁ ତ ଆଉ କ’ଣ?”