ଯୁବରାଜ ସୁରସିଂହ ଯେତେବେଳେ ପିତାଙ୍କ ମୃତ୍ୟୁ ପରେ ଯଶୋଦାପୁର ରାଜ୍ୟର ସିଂହାସନରେ ବସିଲେ, ସେତେବେଳେ ତାଙ୍କୁ ତାଙ୍କ ବୃଦ୍ଧ ମନ୍ତ୍ରୀଙ୍କ ଉପରେ ବିଶେଷ ଭାବରେ ନିର୍ଭର କରିବାକୁ ପଡିଲା । ମନ୍ତ୍ରୀଙ୍କୁ ସୁରସିଂହଙ୍କ ପିତା ବିଶେଷ ଶ୍ରଦ୍ଧା କରୁଥିଲେ । ମନ୍ତ୍ରୀ ଯେ ଜଣେ ସୁଦକ୍ଷ ଶାସକ, ଏଥିରେ ବି ସନ୍ଦେହ ନଥିଲା । କିନ୍ତୁ ମନ୍ତ୍ରୀଙ୍କର ବଡ ଦୋଷ ହେଲା, ସେ କବିମାନଙ୍କୁ ମୋଟେ ପସନ୍ଦ କରୁ ନଥିଲେ ।
ପରଲୋକଗତ ରାଜା କିନ୍ତୁ କବି ଓ ପଣ୍ଡିତମାନଙ୍କ ପ୍ରତି ବିଶେଷ ଶ୍ରଦ୍ଧାଶୀଳ ଥିଲେ । ସେ ମଧ୍ୟେ ମଧ୍ୟେ କବି-ସମ୍ବିଳନୀ ଆହ୍ୱାନ କରୁଥିଲେ ଓ ମୁଗ୍ଧ ହୋଇ କବିତା ଆବୃତ୍ତି ଶୁଣୁଥିଲେ । ମନ୍ତ୍ରୀ ଏସବୁ ମୋଟେ ପସନ୍ଦ କରୁ ନଥିଲେ । କିନ୍ତୁ ରାଜାଙ୍କ ସଉକ୍ ଉପରେ କିଛି କହିବେ, ସେଭଳି ସାହସ ତାଙ୍କର ନଥିଲା । ପୁରୁଣା ରାଜାଙ୍କ ମୃତ୍ୟୁ ପରେ ମନ୍ତ୍ରୀଙ୍କ ସାହସ ବହୁତ ବଢିଗଲା ।
ସେ ନୂଆ ରାଜା ସୁରସିଂହଙ୍କୁ କହିଲେ, “ମହାରାଜ, ଆପଣଙ୍କ ପିତା କବିମାନଙ୍କୁ ନାନା ପ୍ରକାର ପୁରସ୍କାର ବା ଉପଢୌକନ ଆଦି ଦେଇ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଥିଲେ । ଆପଣ ସେପରି କରନ୍ତୁ ନାହିଁ । କାରଣ, ସେଥିରେ କିଛିବି ଲାଭ ନାହିଁ । କବିମାନେ ରାଜ୍ୟର ଏମିତି କେଉଁ ହିତ କରିପକାଇବେ?”
ରାଜା ମନ୍ତ୍ରୀଙ୍କ ସହ ଏ ବିଷୟରେ ଏକମତ ନହେଲେ ସୁଦ୍ଧା ସେ ତାଙ୍କୁ କିଛିବି କହିପାରୁ ନଥିଲେ । ରାଜାଙ୍କ ଏଭଳି ନୀରବତାକୁ ମନ୍ତ୍ରୀ ସମ୍ମତି ରୂପେ ଧରିନେଲେ । ସେ ଏପରି ତାଚ୍ଛଲ୍ୟପୂର୍ଣ୍ଣ ଭାବରେ କବିମାନଙ୍କ ବିଷୟରେ ମନ୍ତବ୍ୟ ଦେବାକୁ ଲାଗିଲେ ଯେ କବିମାନେ ହତୋତ୍ସାହ ହୋଇଗଲେ ଓ ବିରକ୍ତ ହେଲେ । ଫଳରେ ଦରବାରକୁ କବିମାନଙ୍କ ଆଗମନ ଆସ୍ତେ ଆସ୍ତେ ବନ୍ଦ ହୋଇଗଲା ।
ଦିନେ ରାଜା ଓ ମନ୍ତ୍ରୀ ବସିଛନ୍ତି, ଠିକ୍ ସେହି ସମୟରେ ଜଣେ ତରୁଣ ଆସି ରାଜାଙ୍କୁ ଅଭିବାଦନ ଜଣାଇ କହିଲା, “ମହାରାଜ! ମୋ ପିତାମହ ଦୟାଶର୍ମା ଆପଣଙ୍କ ପିତାମହଙ୍କ ଦରବାରରେ ରାଜକବି ଥିଲେ । ମୋ ପିତା ଜୟ ଶର୍ମା ଅସୁସ୍ଥତା ବଶତଃ ଆପଣଙ୍କ ସେବା କରିପାରିଲେ ନାହିଁ । ଫଳରେ ଆମ ପରିବାର ରାଜ ସାହାଯ୍ୟରୁ ବଂଚିତ ହୋଇ ଅତ୍ୟନ୍ତ ଦୁଃସ୍ଥ ଅବସ୍ଥାରେ ରହିଛି । ଦେବୀ କୃପାରୁ ମୁଁ ମୋ ପିତାମହଙ୍କ ଭଳି କବିତା ଲେଖୁଛି । ମୋତେ ରାଜାଶ୍ରୟ ମିଳୁ ।”
ଦୟାଶର୍ମାଙ୍କ କବି ପ୍ରତିଭା ଯୋଗୁଁ ଯଶୋଦାପୁର ରାଜ୍ୟର ମର୍ଯ୍ୟାଦା ବଢିଥିଲା । ତାଙ୍କ ବଂଶ ଦୁଃସ୍ଥ ଅବସ୍ଥାରେ ଅଛନ୍ତି ଏହା ଜାଣି ସେ ରାଜା ବଡ ଦୁଃଖ ଅନୁଭବ କଲେ । ସେ କିଛି କହିବାକୁ ଯାଉଛନ୍ତି, ସେତିକିବେଳେ ମନ୍ତ୍ରୀ କହିଲେ, “ଯୁବକ! ତମ ପିତାମହ ଅବଶ୍ୟ ବହୁତ ଗୁଣୀ ବ୍ୟକ୍ତି ଥିଲେ । କିନ୍ତୁ ତୁମର ବଳ ଅଛି । ତୁମେ କିଛି ଶାରିରୀକ ପରିଶ୍ରମ କରି ଜୀବିକା ଉପାର୍ଜନ କରିବା ଉଚିତ୍ । କବିତା ଲେଖି କ’ଣ ପାଇବ?”
ଯୁବକ ଆଶ୍ଚର୍ଯ୍ୟ ହୋଇ କହିଲେ, “ମହାଶୟ, ଜୀବିକା ନିର୍ବାହ ସକାଶେ ଯେ କୌଣସି କାମ କରିବାକୁ ମୁଁ ପ୍ରସ୍ତୁତ । କିନ୍ତୁ ଯେଉଁ ଦିଗରେ ଯାହାର ଦକ୍ଷତା ଅଛି, ସେହି ଦିଗରେ କାର୍ଯ୍ୟ କରି ଜୀବିକା ନିର୍ବାହ ତା’ ପାଇଁ ଉତ୍ତମ ନୁହେଁ କି? କାବ୍ୟ କବିତା ଚର୍ଚ୍ଚା ବିନା ମନୁଷ୍ୟର ବିକାଶ କିପରି ଘଟିବ? ସେ ଦିଗରେ ମୋତେ ରାଜା ଓ ରାଜ୍ୟର କିଛି ସେବା କରିବାକୁ ସୁଯୋଗ ମିଳିଲେ ମୁଁ ଅତ୍ୟନ୍ତ ଆନନ୍ଦିତ ହେବି । ଯଦି ତାହା ସମ୍ଭବ ନୁହେଁ, ତେବେ ମୁଁ ଶାରିରୀକ ପରିଶ୍ରମ ପାଇଁ ମଧ୍ୟ କୁଣ୍ଠିତ ନୁହେଁ ।”