ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦେଢଶହ ବର୍ଷର ଅପେକ୍ଷା

ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା ।

                ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଅଞ୍ଜନ ଲଗାଇ ବାହାରିଲେ ପୋତାଧନ ଦେଖାଯାଏ । ସେ କୌତୁହଳୀ ହୋଇ ସେଭଳି ଅଞ୍ଜନ ପ୍ରସ୍ତୁତ କଲେ । ବର୍ଷକ ପରେ ଅମାବାସ୍ୟା ଓ ଶନିବାର ଏଦୁହେଁ ଏକତ୍ର ପଡିବାରୁ ସେ ଆଖିରେ ଉକ୍ତ ଯାଦୁ ଅଞ୍ଜନ ଲଗାଇ ବାହାରି ପଡିଲେ ।

                ସେତେବେଳକୁ ସୂର୍ଯ୍ୟାସ୍ତ ସମୟ । ଗାଁ ରାସ୍ତାରେ ବିଶେଷ କେହି ଚଳପ୍ରଚଳ ହେଉ ନଥିଲେ । ଆଚାର୍ଯ୍ୟ ବାଟ ଚାଲିଲାବେଳେ କାହାରି ଘର ଆଡକୁ ବା ହତା ଭିତରକୁ କେବେବି ଅନାନ୍ତି ନାହିଁ । କିନ୍ତୁ ସେଦିନ ସେ ବାମ ଡାହାଣ ଚାରିଆଡେ ଅନାଇ ଦେଖୁଥାନ୍ତି । ଗାଁ ମଝି ମନ୍ଦିର ଆଗରେ ଗୋଟିଏ ପୁରୁଣା ପୋଖରୀ ଥାଏ । ସେଠି ଠିଆ ହୋଇପଡି ସେ ଭଲ ଭାବରେ ମାଟି ଉପରକୁ ଦୃଷ୍ଟିପାତ କଲେ । ପ୍ରଥମେ ତ ସେ କିଛିବି ଦେଖିପାରିଲେ ନାହିଁ । ମାତ୍ର ତା’ପରେ ଧିରେ ଧିରେ ତାଙ୍କୁ ଦେଖାଗଲା, ମାଟି ତଳେ କେଉଁଠି ପଇସାଟିଏ ପୋତି ହୋଇ ରହିଛି ତ ଆଉ କେଉଁଠି ସୁଉକିଟିଏ ବା ଟଙ୍କାଟିଏ । ସେ ବୁଝିପାରିଲେ, ଭକ୍ତମାନଙ୍କ ହାତରୁ ଏସବୁ ଖସି ପଡିଛି । କିମ୍ବା ମେଳା ବେଳେ କୌଣସି କୌଣସି ଦୋକାନୀଙ୍କ ତହବିଲ୍ରୁ କିଛି ପଇସା ଦୈବାତ୍ ପଡିଯାଇ ମାଟି ଭିତରେ ତାହା ରହି ଯାଇଛି । ତେବେ ସେସବୁ ଗୋଟାଇବାକୁ ତାଙ୍କର ଆଉ ଆଗ୍ରହ ହେଲା ନାହିଁ । ତେବେ ସେ ଅଞ୍ଜନର ଗୁଣ ସମ୍ପର୍କରେ ସେ ନିଶ୍ଚିତ ହୋଇ ଆଗକୁ ଚାଲିଲେ ।

                ଗାଁ ବାହାରେ ଖଣ୍ଡିଏ ଜମି ଉପରେ ତାଙ୍କ ଆଖି ପଡିଲା । ସେ ସତକୁ ସତ ଦେଖି ପାରିଲେ, ସେ ଜମିତଳେ ଗୋଟିଏ ସୁନାଭର୍ତ୍ତି ପେଡି ପୋତା ହୋଇଛି । ସେ ଜମିଖଣ୍ଡିକ ଜମିଦାରଙ୍କର । ତେଣୁ ସେ ଠିକ୍ କଲେ, ପରଦିନ ଯାଇ ଜମିଦାରଙ୍କୁ ସେ ପୋତାଧନର ଖବର ଦେବେ । ସ୍ଥାନଟି ଠିକ୍ ନିରୂପଣ କରିବା ନିମନ୍ତେ ସେ ସେଠାରେ ଖଣ୍ଡିଏ ବାଡି ପୋତିଦେଲେ ।

                ଠିକ୍ ମଝି ରାତିରେ ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା । ସେ ଦେଖିଲେ, ତାଙ୍କ ଖଟ ପାଖରେ ଗୋଟିଏ ବାୟବୀୟ ମୂର୍ତ୍ତି ଠିଆ ହୋଇଛି । ଏହା ଦେଖି ସେ ଚମକି ଉଠିଲେ । ମୂର୍ତ୍ତିଟି କହିଲା, “ଆଚାର୍ଯ୍ୟ! ତମେ ଆଜି ସେ ଜମି ଉପରେ ବାଡି କାହିଁକି ପୋତିଲ?”

                ଆଚାର୍ଯ୍ୟ ଏ ପ୍ରଶ୍ନର ଉତ୍ତରରେ କ’ଣ କହିବେ ବୋଲି କିଛି ଠଉରାଇ ନପାରି ଶେଷରେ ସେ ନୀରବ ରହିଲେ । ସେ ଅସ୍ପଷ୍ଟ ମୂର୍ତ୍ତି କହିଲା, “ମୁଁ ଜାଣେ, ସେଠି ଥିବା ପୋତାଧନ ତମ ଆଖିରେ ପଡିଛି । ସେ ଧନ କିନ୍ତୁ ମୋ ବଂଶଧର ମାଧବ ମିଶ୍ର ପାଇବା ଉଚିତ୍ । ଆଜିକୁ ପ୍ରାୟ ଦେଢଶହ ବର୍ଷ ଧରି ମୁଁ ଅପେକ୍ଷା କରିଛି – ମୋର କୌଣସି ବଂଶଧର ତାହା ପାଇଲେ ମୁଁ ଶାନ୍ତି ପାଇବି । କାରଣ ତାହା ମୋର ଉପାର୍ଜିତ ଧନ!”

ଆଚାର୍ଯ୍ୟ ଉଠି ବସି ରାମନାମ ସ୍ମରଣ କରି କହିଲେ, “ଶୁଣ, ମାଧବ ମିଶ୍ରର ଜେଜେବାପା ଋଣଗ୍ରସ୍ତ ହୋଇଯାଇ ସବୁ ଜମି ବିକ୍ରିବଟା କରିଦେଲେ । ସେ ଜମି ବର୍ତ୍ତମାନ ଜମିଦାରଙ୍କର । ମାଧବ ସେ ଧନ କିପରି ପାଇବ? ତା’ଛଡା ମାଧବ ସେ ଧନ ପାଇଗଲେ ଯେ ତମେ ଶାନ୍ତି ପାଇଯିବ, ଏଭଳି କଥା ନୁହେଁ । ମୋର ଯେତିକି ଶାସ୍ତ୍ରଜ୍ଞାନ ଅଛି, ସେଥିରୁ ମୁଁ କହିବି, ସେ ଅର୍ଥ କୌଣସି ଏକ ପୂଣ୍ୟ କାର୍ଯ୍ୟରେ ଲାଗିଲେ ଯାଇ ତମେ ଶାନ୍ତି ପାଇବ । ତମେ ମାଧବର କେଉଁ ପୂର୍ବପୁରୁଷ ତା ତ ମୁଁ ଜାଣେନା । କିନ୍ତୁ ସେ ବଂଶ ପୁରୋହିତ ବଂଶ । ତମେ ପୁରୋହିତ ଭାବରେ ଏତେ ସୁନା ଅର୍ଜନ କରିଥିଲ, ସେକଥା ତ ମୁଁ କଦାପି ମଧ୍ୟ ବିଶ୍ୱାସ କରିପାରିବି ନାହିଁ । ଯଦିବା ଅର୍ଜନ କଲ, ତେବେ ତାକୁ କାହିଁକି ଲୁଚାଇଲ?”

ଏହାଶୁଣି ସେ ବାୟବୀୟ ରୂପ ନୀରବ ରହିଲା ।

ଆଚାର୍ଯ୍ୟ କହିଲେ “ବେଶ୍ । ମୁଁ ଏପରି ବ୍ୟବସ୍ଥା କରିବି, ଯାହା ଦ୍ୱାରା ସେ ଅର୍ଥରେ ବହୁତ ପୁଣ୍ୟକାର୍ଯ୍ୟ ହେବ, ତା’ ସଙ୍ଗେ ସଙ୍ଗେ ମାଧବ ବି ଖୁବ୍ ଖୁସିରେ ରହିବ । ଅପେକ୍ଷା କର ।”

ଏହାପରେ ସେ ବାୟବୀୟ ରୂପ ଅନ୍ତର୍ହିତ ହୋଇଗଲା ।

ପରଦିନ ଆଚାର୍ଯ୍ୟ ଯାଇ ଜମିଦାରଙ୍କୁ କହିଲେ, “ମହାଶୟ, ମୁଁ ଗୋଟିଏ ଶିବମନ୍ଦିର ଗଢିବାକୁ ମନସ୍ଥ କରିଛି ।”

ଜମିଦାର ବୈଦ୍ୟରାଜ ତ ସେ ଆଚାର୍ଯ୍ୟଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ । ସେ କହିଲେ, “ଏହା ତ ଅତି ଆନନ୍ଦର କଥା । ଏବେ କୁହନ୍ତୁ ଆପଣ ମୋଠୁଁ କେତେ ଚାନ୍ଦା ଆଶା କରୁଛନ୍ତି?”

ଆଚାର୍ଯ୍ୟ କହିଲେ “ମହାଶୟ, ଅର୍ଥ ଆକାରରେ ଚାନ୍ଦା ଆଦୌ ଦରକାର ନାହିଁ । ମୋତେ ଖାଲି ଜମି ଖଣ୍ଡିଏ ଦିଅନ୍ତୁ ।” ତା’ପରେ ସେ ପୋତାଧନ ଥିବା ଜମିଖଣ୍ଡିକ ମାଗିଲେ । ଜମିଦାର ବିନା ଦ୍ୱିଧାରେ ସେଥିରେ ସମ୍ମତ ହେଲେ ।

କବିରାଜ ସମିତିଟିଏ ଗଢି ତା’ ନାମରେ ଜମିଟି ଲେଖାଇନେବା ପରେ ପୋତାଧନ ଥିବା ସ୍ଥାନ ଖୋଳି ତହିଁରୁ ଧନ ବାହାର କଲେ ଓ ସେଥିରେ ସେ ଏକ ମନ୍ଦିର ଗଢିଲେ । କିନ୍ତୁ ସେଥିରେ ସେ ମାଧବ ମିଶ୍ରଙ୍କୁ ଆଜୀବନ ପୂଜକ ଭାବରେ ନିଯୁକ୍ତ କଲେ । ଏଣେ ମାଧବ ମିଶ୍ରଙ୍କ ଆନନ୍ଦ କହିଲେ ନ ସରେ ।

ମନ୍ଦିର ପ୍ରତିଷ୍ଠା ହେବା ପରେ ପରେ ଦିନେ ରାତିରେ ସେ ମୂର୍ତ୍ତିଟି ଆସି ଆଚାର୍ଯ୍ୟଙ୍କୁ କହିଲା, “ଆଚାର୍ଯ୍ୟ, ତମକୁ ଅନେକ ଅନେକ ଧନ୍ୟବାଦ । ଆଜି ମୋତେ ମୁକ୍ତି ମିଳିଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ