ଅବନୀ ନାମକ ଏକ ଯୁବକ ଜଣେ ସୁନାରୂପା ବ୍ୟବସାୟୀଙ୍କ ପାଖରେ ରହି ଚାକିରୀ କରୁଥାଏ । ହଠାତ୍ ସେ ବ୍ୟବସାୟୀଙ୍କର ଇଚ୍ଛା ହେଲା କି ସେ ସମୁଦ୍ରରେ ବାଣିଜ୍ୟ କରିବେ । ଯଦ୍ୱାରା ଦେଶବିଦେଶରେ ଜିନିଷ ବିକ୍ରି କରି ସେ ଖୁବ୍ ଅଳ୍ପ ସମୟରେ ବିପୁଳ ଧନ ପ୍ରାପ୍ତ କରିପାରିବେ । ତେଣୁ ସେ ଏ ବ୍ୟବସାୟ ଛାଡି ନିଜର ଧନସମ୍ପତ୍ତି ଓ ପିଲାପିଲିଙ୍କୁ ନେଇ ଅନ୍ୟ ସହରକୁ ଚାଲିଗଲେ । ସେଠାରୁ ଯିବାବେଳେ ସେ ଅବନୀ ହାତରେ ଏକହଜାର ଟଙ୍କା ଦେଇ କହିଲେ, “ତମେ ବହୁଦିନ ଧରି ବଡ ବିଶ୍ୱାସର ସହିତ ମୋ ପାଖରେ କାମ କରିଛ । ଏତକ ଟଙ୍କାରେ ତମେ ଯେ କୌଣସି ବ୍ୟବସାୟ ଆରମ୍ଭ କରିବ ସେଥିରେ ତୁମର କ୍ରମେ ଉନ୍ନତି ହେବ । ଏବେ ତମେ ବ୍ୟସ୍ତ ହୋଇ ଅନ୍ୟ କୋଉଠି ଚାକିରୀ ଖୋଜିବା ଆଉ ଦରକାର ନାହିଁ । ତୁମେ ବିବାହ ନ କରିଥିଲେ ମୁଁ ତୁମକୁ ମୋ ସହିତ ନିଶ୍ଚୟ ନେଇ ଯାଇଥା’ନ୍ତି ।”
ଅବନୀର ଏତେଦିନର କାମ ବନ୍ଦ ହେବାରୁ ମନ ଦୁଃଖ କରି ତା’ଘରକୁ ସେ ଫେରିଲା । ତା’ ସ୍ତ୍ରୀ ରମା ତାକୁ ସାନ୍ତ୍ୱନା ଦେଇ କହିଲା, “ଦୁଃଖ କରନାହିଁ, ସେ ତ ତୁମକୁ ଏତେଗୁଡିଏ ଟଙ୍କା ଦେଇ ଯାଇଛନ୍ତି । ଏହାକୁ ମୂଳଧନ କରି ଆମେ କିଛି ବ୍ୟବସାୟ କରିବା । ଭଗବାନ୍ ଚାହିଁଲେ ଆମର ଧନର ଅଭାବ ରହିବ ନାହିଁ ।”
ତହୁଁ ଅବନୀ କହିଲା “ମୁଁ ନିଜେ କିଛି ବ୍ୟବସାୟ କରିବି ଏକଥା ଭାବିଲାବେଳକୁ ମୋତେ ଭାରି ଦୁଃଖ ଲାଗୁଛି ଓ ହସ ବି ଲାଗୁଛି । ବାଟରେ ଆସିବା ବେଳେ ଏ ବିଷୟରେ ମୁଁ ବହୁତ ଭାବିଲି କିନ୍ତୁ କୌଣସି କୂଳକିନାରା ପାଇଲି ନାହିଁ । ତମେ ମୋତେ ଏ କ୍ଷେତ୍ରରେ ଯଦି କିଛି ସାହାଯ୍ୟ କରନ୍ତ ତେବେ ଭାରି ଭଲ ହୁଅନ୍ତା ।”
ସ୍ୱାମୀ କଥା ଣୁଣି ରମା କହିଲା, “ତମେ ସୋମପୁରରୁ ସୁନ୍ଦର ଜରିଧଡି ଥିବା ଶାଢୀ ସବୁ କିଣିଆଣ । କିଛି ଧଳା ଶାଢୀ ମଧ୍ୟ ନେଇ ଆସ । ଦେଖିବ ରଙ୍ଗ ଯେପରି ସେଥିରୁ ଧୋଇ ନଯାଏ । ମୁଁ ସେଥିରେ ନାନା ପ୍ରକାର ଫୁଲପୁତ୍ର ଆଙ୍କିଦେବି ନହେଲେ ସିଲେଇ କରିଦେବି ଯେ ସେହି ଶାଢୀ ଗୁଡିକର ମୂଲ୍ୟ ବହୁତ ବଢିଯିବ । ତା’ପରେ ସେସବୁକୁ ତୁମେ ନେଇ ସହରରେ ବିକ୍ରି କରିବ । ସେଥିରୁ ବେଶ୍ କିଛି ଲାଭ ହେବ ।”