ଗୋଟିଏ ଜଙ୍ଗଲରେ ଭରତ ପକ୍ଷୀଟିଏ ରହୁଥିଲା । ସେ ସଦାବେଳେ ସମସ୍ତଙ୍କର ଉପକାର କରେ । ଏମିତି ଭାବରେ ତା’ର ଜୀବନକାଳ କଟିଗଲା ଓ ସେ ମରିଗଲା । ତାର ପୁଣ୍ୟଫଳ ଏତେ ଥିଲା ଯେ ଦେବଲୋକରୁ ବିମାନ ଆସି ତାକୁ ସ୍ୱର୍ଗକୁ ନେଇଗଲେ ।
ସେଠାରେ ଦେବତାମାନେ ପକ୍ଷୀଟିକୁ ବଡ ଆଦର ଯତ୍ନ କରି କହିଲେ, “ଆମେ ତୁମ ଉପରେ ସନ୍ତୁଷ୍ଟ କ’ଣ ବର ମାଗିବ ମାଗିନିଅ ।” ପକ୍ଷୀ କହିଲା, “ଟିକିଏ ପରେ ।”
ବହୁତ ଦିନ ଧରି ସ୍ୱର୍ଗରେ ରହି ରହି, ଥରେ ତା’ର ପୃଥିବୀ ଉପରକୁ ଯିବାକୁ ଇଚ୍ଛା ହେଲା । ସେ ନିଜର ଇଚ୍ଛା ଦେବତାମାନଙ୍କ ପାଖରେ ଉପସ୍ଥାପିତ କଲା । ଦେବତାମାନେ ମିଳିମିଶି ତାକୁ ଏହି ବରଦାନ ଦେଲେ ଯେ ସେ ଯୁଆଡକୁ ଚାହେଁ ଯାଇପାରିବ, ଯାହା ଚାହିଁବ ପାଇ ପାରିବ । ଯେଉଁରୂପ ନେବାକୁ ଚାହିଁବ ନେଇ ପାରିବ ।
ତା’ପରେ ଛୋଟ ଭରତ ପକ୍ଷୀଟି ଉଡିଉଡି ମର୍ତ୍ତ୍ୟକୁ ଚାଲି ଆସିଲା । ସେଠାରେ ସେ ଏକ ସୁନ୍ଦରୀ ଝିଅର ରୂପ ନେଇ ଗୋଟିଏ ଛୋଟ କୁଡିଆ ବନାଇ ରହିଲା । ସେହି ଘରର ଚାରିପାଖରେ ସୁନ୍ଦର ଫୁଲ ସବୁ ଫୁଟିଥାଏ ଓ ପାଖରେ ଗୋଟିଏ ସୁନ୍ଦର ସରୋବର ଥାଏ ।
ଦିନେ ଭରତାମ୍ମାକୁ ତା’ର ପିଲା ବେଳର କଥା ମନେ ପଡିଲା । ସେ ସହରକୁ ତା ଅଜା ପାଖକୁ ଯାଇଥାଏ । ସହରର ଜାକଜମକ କଥା ସବୁ ତା’ର ମନେ ପଡିଲା; ଭାବିଲା ସହରକୁ ଯାଇ ଥରେ ତାର ଅଜାକୁ ଦେଖା କରି ଆସିବ ।
ଦିନେ ସେ ଖିଆପିଆ କରି, ଭଲ ପୋଷାକ ପିନ୍ଧି ଘରର ସବୁ ଝରକା କବାଟ ବନ୍ଦ କରି ତାଲା ଦେଇ ଚାବିଟି ଝରକା ଉପରେ ରଖି ସହରକୁ ଯିବାକୁ ବାହାରିଲା ।
ଠିକ୍ ଏହି ସମୟରେ “ଭରତାମ୍ମା, ଭରତାମ୍ମା” ବୋଲି କିଏ ପଛରୁ ଡାକିଲା । ସେ ବୁଲିପଡି ଦେଖିଲା ଗୋଟିଏ ହରିଣ ଛୁଆ ଦୌଡି ଦୌଡି ଆସି ସେଠାରେ ଠିଆ ହୋଇ ପଡି ଭୟରେ ଥରୁଛି । ଭରତାମ୍ମା ପଚାରିଲା, “କ’ଣ ହେଲା କିରେ । ଡରରେ କାହିଁକି ଥରୁଛୁ?”
“ଭରତାମ୍ମା, ଆମ ଜଙ୍ଗଲରେ ଶିକାରୀ ଆସିଛି ଯେ ତା ଆଖିରେ ଯେଉଁ ପଶୁ ପଡୁଛି ତାକୁ ସେ ମାରୁଛି । ମୋର ତ ପିଛା କରୁଥିଲା ମୁଁ କୌଣସି ମତେ ଗଛ ବୁଦା ଭିତରେ ଲୁଚି ଲୁଚି ଡିଆଁମାରି ଆସି ଏଠି ପହଁଚିଗଲି ଭାବିଲି ତୁମ ପାଖରେ ନିର୍ଭୟରେ ରହିବି । ମୋତେ ତୁମ ଘରେ ଲୁଚାଇ ରଖି ପାରିବ?”