ଥତାନ୍ତ୍ରିକ ଶଂଖୁ ରହୁଥିବା ନିର୍ଜନ ଅଂଚଳରେ ଚନ୍ଦ୍ରବର୍ମାଙ୍କ ସହ ହଠାତ୍ କାପାଳିନୀର ସାକ୍ଷାତ୍
ହେଲା । ଶଂଖୁକୁ ଦମନ କରିବାର ଉପାୟ ଉଭୟେ ଚିନ୍ତା କଲେ । ସୂର୍ଯ୍ୟୋଦୟ ବେଳେ ଗୋଟିଏ
ପାହାଡ ଉପରେ ଥିବା ଯେଉଁ ଶିଳା ଉପରେ ଠିଆ ହୋଇ ଶଂଖୁ ମନ୍ତ୍ର ପଢୁଥାଏ, ସେହି ଶିଳା
ଦେହରେ ଦଉଡି ବାନ୍ଧି ରଖାଗଲା । ଶଂଖୁ ଆସି ତାହା ଉପରେ ଠିଆ ହେବା ମାତ୍ରେ ଦଉଡି ଝିଙ୍କି ଦିଆଗଲା । ତା’ପରେ…
ତାନ୍ତ୍ରିକ ଶଂଖୁ “ସର୍ବନାଶ! ସର୍ବନାଶ!” ବୋଲି ଚିତ୍କାର କରି ନିଜ ମନ୍ତ୍ରଦଣ୍ଡକୁ ନିଜ ମନ୍ତ୍ର-ଗୃହ ଆଡେ ଫିଙ୍ଗି ଦେଲା । ମନ୍ତ୍ର-ଗୃହ ଭୀଷଣ ଶବ୍ଦ କରି ଶୂନ୍ୟକୁ ଡେଇଁ ପଡି ଉଡିଗଲା । ସେ ଦୃଶ୍ୟ ଦେଖିବା ମାତ୍ରେ କାପାଳିନୀର ଚେତା ବୁଡିଗଲା । ଚନ୍ଦ୍ରବର୍ମା ସେ ଆଶ୍ଚର୍ଯ୍ୟ ଘଟଣା ଦେଖି କାବା ହୋଇଗଲେ । ଚାହୁଁ ଚାହୁଁ ମନ୍ତ୍ର-ଗୃହ ଯାଇ ସରୋବରରେ ପଡିଲା । କାପାଳିନୀର ପୁଣି ଚେତା ଫେରି ଆସିଲା । ତା’ପରେ ସେ ଧିରେ ଧିରେ ଆଖି ଖୋଲିଲା । ସେତେବେଳକୁ ଯାଇ ଚନ୍ଦ୍ରବର୍ମା ତା’ ବିଷୟରେ ସଚେତ ହେଲେ । କାପାଳିନୀ ଉଠି ବସିବାର ଚେଷ୍ଟା କରି ନିରସ କଣ୍ଠରେ କହିଲା, “ଚନ୍ଦ୍ରବର୍ମା!”
ଚନ୍ଦ୍ରବର୍ମାଙ୍କ ଏକାଗ୍ରତା ଭଙ୍ଗ ହେଲା । ସେ ଦେଖିଲେ ପଥର ଦେହରେ ଭରା ଦେଇ କାପାଳିନୀ କୌଣସି ମତେ ଉଠି ଠିଆ ହେବାର ଚେଷ୍ଟା କରୁଛି । ସେ ତାକୁ ଉଠି ଠିଆ ହେବାରେ ସାହାଯ୍ୟ କଲେ ।
କାପାଳିନୀକୁ ପାଖରେ ପାଇ ଚନ୍ଦ୍ରବର୍ମା ଟିକେ ଆଶ୍ୱସ୍ତ ହେଲେ । ଶଂଖୁକୁ ତଳେ ପକାଇବା ଯୋଜନାରେ ବ୍ୟସ୍ତ ରହି କାପାଳିନୀର ଅବସ୍ଥା କିପରି ଅଛି ସେ ବିଷୟରେ ଚିନ୍ତା କରିବାକୁ ସେ ସମୟ ପାଇ ନଥିଲେ ।