ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧୂସର ଦୁର୍ଗ

ଚନ୍ଦ୍ରବର୍ମା ଶତ୍ରୁ ବାହିନୀର ମୁକାବିଲା କରିବା ନିମନ୍ତେ ଯେଉଁ ବ୍ୟୁହ ରଚନା କରୁଥିଲେ, ହଠାତ୍ ଅଧିକ ସଂଖ୍ୟକ ଶତ୍ରୁସୈନ୍ୟ ପହଁଚିଯିବା ଫଳରେ ସେ ବ୍ୟୁହ ବିଫଳ ହେଲା । ଚନ୍ଦ୍ରବର୍ମା ଓ ସୁବାହୁ ପଳାଇ ଯିବାକୁ ଉଦ୍ୟତ ହେଲେ । କେତେଜଣ ଶତ୍ରୁ ସୈନିକ ସେମାନଙ୍କୁ ଅନୁଧାବନ କଲେ । ସେମାନଙ୍କ କବଳରୁ ନିଷ୍କୃତି ପାଇବା ନିମନ୍ତେ ଚନ୍ଦ୍ରବର୍ମା ଓ ସୁବାହୁ ପାହାଡ ତଳେ ରହୁଥିବା ନଦୀ ଭିତରକୁ ଲମ୍ପ ଦେଲେ । ତା’ପରେ –

ଚନ୍ଦ୍ରବର୍ମା ନଦୀରେ ପଡି ପ୍ରଥମେ କିଛି ଗଭୀରକୁ ଚାଲିଗଲେ । ତା’ପରେ ପ୍ରବଳ ଗତିରେ ସେ ସନ୍ତରଣ କରିବାକୁ ଲାଗିଲେ । ସୁବାହୁ ତାଙ୍କ ସହ ନଦୀ ଗର୍ଭକୁ ଡେଇଁଛନ୍ତି ନା ଶତ୍ରୁ କବଳରେ ପଡିଛନ୍ତି, ଏ ବିଷୟରେ ସେ ନିଃସନ୍ଦେହ ହୋଇ ପାରୁ ନଥିଲେ ।

                କେତେ ସମୟ ବିତିଗଲା ସେ ଜାଣନ୍ତି ନାହିଁ । ତାଙ୍କର ଯେତେବେଳେ ଚେତା ଫେରିଲା, ସେ ଦେଖିଲେ ଗୋଟିଏ ଘନ ଜଙ୍ଗଲ ଭିତରେ ସେ ପଡିଛନ୍ତି । ସେ ଉଠି ବସିଲେ ଓ କ’ଣ କ’ଣ ଘଟିଥିଲା ତାହା ସ୍ମରଣ କରିବାକୁ ଚେଷ୍ଟା କଲେ । ସବୁ ମନେ ପଡିଲା । ସେ ବୁଝିଲେ ଯେ ନଦୀରେ ଜୁଆର ଆସିଥିଲା ବେଳେ ସେ ଅନେକ ଦୂର ଭାସି ଜୁଆର ଛାଡିଯିବା ବେଳକୁ କୂଳରେ ରହିଯାଇଛନ୍ତି । ସେ ମରିଯାଇ ପାରିଥାନ୍ତେ । କିନ୍ତୁ ତାହା ଯେ ହୋଇନାହିଁ, ଏହା ତାଙ୍କର ଭାଗ୍ୟର କଥା ।

                ଏହାପରେ ଭୟଙ୍କର ଜଙ୍ଗଲ ଭିତରେ ସେ ଯେ ଏକାକୀ, ଏ ବିଷୟରେ ସେ ସଚେତ୍ ହେଲେ । କ୍ଷୁଧା ଶାନ୍ତ ହୋଇଯିବା ପରେ ନିଜର କର୍ତ୍ତବ୍ୟ କ’ଣ ସେକଥା ସେ ଚିନ୍ତା କରିବାକୁ ଲାଗିଲେ । ସେ ଯେ ଶତ୍ରୁ କବଳରୁ ଖସି ଆସି ପାରିଲେ, ଭୀଷଣ ନଦୀ ଗର୍ଭରୁ ବଞ୍ଚିଗଲେ, ଏସବୁ ତ ନିଶ୍ଚୟ ସୌଭାଗ୍ୟର କଥା, କିନ୍ତୁ ଯେଉଁ ଭଳି ଭୟଙ୍କର ଜଙ୍ଗଲ ଭିତରେ ବର୍ତ୍ତମାନ ସେ ଆସି ପଡିଛନ୍ତି, ଏହା କ’ଣ ଦୁର୍ଭାଗ୍ୟ ନୁହେଁ? ଏ ଜଙ୍ଗଲରେ ଖାଲି ପଶୁପକ୍ଷୀ ଅଛନ୍ତି ନା ମଣିଷ ବି ଅଛନ୍ତି, ଏହା ଜାଣିବା ବି କାଠିକର ।

ସେ ଜଙ୍ଗଲ ଭିତରେ କିଛି ଦୂର ଅଗ୍ରସର ହୋଇ ଅବସ୍ଥା ବୁଝିବାକୁ ନିଶ୍ଚୟ କଲେ ଓ ସେହି ଅନୁସାରେ ଆଗକୁ ଚାଲିଲେ । କିଛିଦୂର ଯାଇଛନ୍ତି, ହଠାତ୍ ଦୂରରୁ କିଛି ଶବ୍ଦ ଶୁଭିଲା । ପରେ ପରେ ସିଟି ଶବ୍ଦରେ ଜଙ୍ଗଲ ଗୁଞ୍ଜରି ଉଠିଲା ।

ସେ ଯେତେବେଳେ ବୁଝିଲେ କି ସେସବୁ ଶବ୍ଦ କୌଣସି ମଣିଷଙ୍କର ବା ଜନ୍ତୁ ଜାନୁଆରଙ୍କର ନୁହେଁ, ଖାସ୍ ଗଛ ଭିତରୁ ସେ ଶବ୍ଦ ବାହାରୁଛି, ସେତେବେଳେ ସେ ଯେ ଗୋଟାଏ ଯାଦୁ ଜଙ୍ଗଲ ଭିତରେ ଆସି ପହଁଚିଛନ୍ତି, ଏ ବିଷୟରେ ତାଙ୍କର କୌଣସି ସନ୍ଦେହ ରହିଲା ନାହିଁ । ଗଛ ଗୁଡିକର ଶାଖା ପ୍ରଶାଖା ତଳକୁ ନଇଁ ଆସି ତାଙ୍କର ଗତିରୋଧ କରିବାକୁ ଚେଷ୍ଟା କଲେ । ସେ ଯୁଆଡେ ଯିବାକୁ ଚାହିଁଲେ, ସେହି ଦିଗରେ ଗଛମାନେ ତାଙ୍କୁ ବାଧା ଦେବା ଭଳି ଲାଗିଲା ।

ସେ କ’ଣ କରିବେ ପ୍ରଥମେ ବୁଝି ପାରିଲେ ନାହିଁ । ନିଜ ପାଖରେ ଏକମାତ୍ର ସହାୟ ଯାହା ଥିଲା, ତାହା ହେଲା ତାଙ୍କ ତରବାରୀ । ସେ ତରବାରୀଟି ବାହାର କରି ନିଜ ସାମ୍ନାରେ ଢଳି ଆସିଥିବା ଗୋଟାଏ ବଡ ଶାଖାରେ ଚୋଟେ ପକାଇଲେ । ସଙ୍ଗେ ସଙ୍ଗେ ସେହି ଗୁଞ୍ଜରଣ ଧ୍ୱନି ଦଶଗୁଣ ବଢିଗଲା । ଖାଲି ସେତିକି ନୁହେଁ, ସେ ବଣ ଭିତରେ ନିଆଁ ବି ଜଳି ଉଠିଗଲା । ତାଙ୍କ ଆଗରେ ସତେ ଅବା ଗୋଟିଏ ଆଗ୍ନେୟ ଗିରି ଠିଆ ହୋଇଥାଏ ଏବଂ ସେଇଥିରୁ ଅଗ୍ନି ବାହାରୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ