ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନାଗ କଥା

ରାତିରେ ଶୋଇଛନ୍ତି ବୁଢା ବ୍ରାହ୍ମଣ । ହଠାତ୍ ସେ ତାଙ୍କ ସ୍ୱପ୍ନରେ ଦେଖିଲେ ଏକ ବିରାଟ ନାଗସାପ ଫଣାଟେକି ଠିଆ ହୋଇଛି ଓ ତାଙ୍କୁ ଡାକି କହୁଛି, “ବ୍ରାହ୍ମଣ ଶୁଣ! ମୋ ତଂଟିରେ କଂଟାଟିଏ ଲାଗି ଯାଇଛି, ତେଣୁ ମୋତେ ଭାରି କଷ୍ଟ ହେଉଛି, କାଢିଦିଅ, ଚଂଚଳ ଆସ ଆଉ ଡେରି କରନି ।”

                ଏତିକିରେ ସେ ବ୍ରାହ୍ମଣଙ୍କ ନିଦ ଭାଙ୍ଗିଗଲା । ତା’ପରେ ସେ ଉଠି ପଡିଲେ । ଚାରିଆଡ ଖୋଜି ପକେଇଲେ ଆଲୁଅ ଲଗେଇ । କାଇଁ କୋଉଠି କିଛି ନାହିଁ ତ? ଛଟପଟରେ ରାତି କଟିଲା । ପରଦିନ ରାତିରେ ପୁଣି ସେଇ ସ୍ୱପ୍ନ । ବ୍ରାହ୍ମଣ ଏଥର ସ୍ୱପ୍ନରେ ନିରେଖି ଦେଖିଲେ ଇଏ କୋଉ ଜାଗା? କୋଉଠି ଏ ନାଗରାଜା ଠିଆ ହୋଇ ସାହାଯ୍ୟ ଚାହୁଁଛନ୍ତି? ତାଙ୍କୁ ଲାଗିଲା ପରିଚିତ ଜାଗା । ତାଙ୍କରି ବାଡିପଟ ଖୋଲା ପଡିଆ କଡରେ ମସ୍ତବଡ ଏକ ଅଶ୍ୱତ୍ଥ ଗଛ । ତାରି ମୂଳରେ ନାଗରାଜା ଫଣା ବିସ୍ତାର କରି ଠିଆ ହୋଇଛନ୍ତି । ନିଦ ଭାଙ୍ଗିଲା । ଆଉ ଶୋଇ ହେଲା ନାହିଁ ।

ସକାଳ ନ ହେଉଣୁ ସେ ଉଠି ଗଲେ ଅଶ୍ୱତ୍ଥ ଗଛ ମୂଳକୁ । ଆଶ୍ଚର୍ଯ୍ୟ କଥା, ବିରାଟ ଏକ ନାଗ ଠିଆ ହୋଇଛି ଫଣା ଟେକି । ବ୍ରାହ୍ମଣ ଏଥର ସେ ସ୍ୱପ୍ନକୁ ସତ ମଣିଲେ  । ନାଗ ଆଖିକୁ ଚାହିଁଲେ ସ୍ଥିର ଦୃଷ୍ଟିରେ । ସେ ଆଖି ତାଙ୍କୁ କ’ଣ ସତେ କହିଲା – ବ୍ରାହ୍ମଣ ଭାବିଲେ ଯଦି ଏତେ କଥା ସତ ହେଲାଣି ତେବେ ଆଗକୁ ମଧ୍ୟ ନିଶ୍ଚୟ ସତ ହେବ । ତେଣୁ ସେ ବୁଢା ବ୍ରାହ୍ମଣ ଜଣକ ସାହସ କରି ନାଗର ପାଟିମେଲା କଲେ । ସତରେ କଂଟାଟିଏ ଲାଗିଥିଲା ତା ତଂଟିରେ । ଧୀରେ କାଢିଦେଲେ କଂଟାଟିକୁ । ଏଥର ସେ ନାଗ ଆଶ୍ୱସ୍ତ ହେଲା ଓ ବ୍ରାହ୍ମଣଙ୍କୁ ସତେ କି କହିଲା – “ତୋ ବଂଶରେ କାହାରିକୁ ବି ନାଗ ଦଂଶିବେ ନାହିଁ । ଏ ମୋର ବଚନ । ଠିକ୍ ସେମିତି କହିଦବୁ ତୋ ବଂଶରୁ ଯେମିତି କେହି ମଧ୍ୟ ନାଗ ହତ୍ୟା ନ କରେ ।”

ବ୍ରାହ୍ମଣ ଫେରିଲେ । ସମସ୍ତଙ୍କୁ କହିଲେ ଏହି କଥା । ତା’ପରେ ଏହି ଘଟଣା ଏକ କିମ୍ବଦନ୍ତୀ ହୋଇଗଲା ତାଙ୍କ ବଂଶର ।

ପୁଅମାନେ ବଡ ହେଲେ । ନାତିମାନେ ବି ଆସିଲେ । ବ୍ରାହ୍ମଣ ତ ଚାଲିଗଲେଣି ।

ନାଗସାପଟି ଦିନେ ଦେଖା ଦେଲା ସେହି ଘର ପାଖେ । ନାତି ବାଡିଖଣ୍ଡେ ଧରି ତାକୁ ମାରିବାକୁ ବାହାରିଲାରୁ ବ୍ରାହ୍ମଣୀ ତା’ ବାଟ ଆଗୁଳିଲେ । ଧରି ପକେଇଲେ ତା’ ହାତ । ମନେ ପକେଇଦେଲେ ସେ କିମ୍ବଦନ୍ତୀ ବିଷୟ, “ନାଇଁ ଏକଥା ହବନି । ଜେଜେ ପରା କହିଯାଇଥିଲେ ମନେ ନାହିଁ ।”

ଏହା ଶୁଣି ନାତି ନାଗସାପର ଗତି ବିଧି ଉପରେ ଆଖି ରଖି କହିଲା – “ହଁ ଜେଜେ ମା’ ମୋର ମନେ ଅଛି । ଆମକୁ ଜେଜେ କହିଯାଇଛନ୍ତି ସିନା, ହେଲେ ନାଗରାଜା ଯଦି ତାଙ୍କ ନାତିଙ୍କୁ ସେ କଥା କହିବାକୁ ଭୁଲିଯାଇଥିବେ ତେବେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ