ବିଜୟପୁରରେ ଜଣେ ବ୍ୟକ୍ତି ବସି ପାଟି କରୁଥାଏ । “ନାମ ବିକ୍ରି କରିବି । ମହାଶୟମାନେ କିଣି ନିଅନ୍ତୁ । ଏହା ବହୁମୂଲ୍ୟବାନ୍ ନାମ ।” ଏପରି ଚିତ୍କାର କରି ସେ ଲୋକମାନଙ୍କୁ ନିଜପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଥାଏ ।
ସେ ଲୋକଟିର ନାମ ପ୍ରତାପ । ଘରେ ତା’ର ଶଯ୍ୟାଶାୟୀ ସ୍ତ୍ରୀ, ଓ ବିବାହଯୋଗ୍ୟା ଝିଅଟିଏ । ଏଣୁ ଧନ ତା’ର ନିହାତି ଦରକାର । ଯୁବକ ଥିବା ବେଳେ ସେ ଲୋକଟି ରାଜାଙ୍କ ସୈନ୍ୟ ବିଭାଗରେ ଥିଲା । ଯୁଦ୍ଧରେ ତା’ର ଗୋଡ ଭାଙ୍ଗି ଯିବାରୁ ସେ ଅକର୍ମଣ୍ୟ ହୋଇ ଘରେ ବସିଥାଏ । ତା’ର ଦୁର୍ଭାଗ୍ୟ ଯେ କୌଣସି କାରଣରୁ ରାଜାଙ୍କର ବିଷଦୃଷ୍ଟି ତା’ ଉପରେ ଥିଲା ।
ହାଟରେ ଏପରି ଅଜବ କଥା କହି ଯେତେ ଚିତ୍କାର କଲେ ମଧ୍ୟ କେହି ଜଣେ ହେଲେ ବି ଆକୃଷ୍ଟ ହୋଇ ତା’ ପାଖକୁ ଆସିଲେ ନାହିଁ । ସେ ହାଟରେ ଜଗା ନାମକ ଚୋରଟିଏ ବୁଲୁଥାଏ । ସେ ଭାବିଲା “ଯାଏ ଦେଖେ ଘଟଣା କ’ଣ?” ପ୍ରତାପକୁ ସେ କହିଲା, “ହେ ବୁଢା, ପୃଥିବୀରେ ପୁଣି ଏମିତି ମଣିଷ ଅଛନ୍ତି ଯିଏ ଧନ ଦେଇ ନାମ କିଣିବ?”
ପ୍ରତାପ କହିଲା, “କିନ୍ତୁ ଯେଉଁ ନାମ ମୁଁ ବିକ୍ରି କରୁଛି, ତାହା ଏମିତି ସେମିତି ନୁହେଁ; ଏହାର ମୂଲ୍ୟ ବହୁତ ।”
ତାଙ୍କ କଥାଶୁଣି ଜଗା କହିଲା, “ଆଚ୍ଛା କୁହତ ଦେଖି ସେ ନାମରେ ଏମିତି କି ବୈଶିଷ୍ଟ୍ୟ ରହିଛି?”
ପ୍ରତାପ କହିଲା “ପ୍ରତ୍ୟେକ ନାମ ପାଇଁ ପ୍ରଥମେ ପଚିଶ ହଜାର ଟଙ୍କା ଦେବାକୁ ହେବ । ତା’ପରେ ଯାଇ ମୁଁ କହିବି ।”
ଜଗା ତା କଥା ଶୁଣି ହସି ପକାଇ କହିଲା, “ଯେପର୍ଯ୍ୟନ୍ତ କେହି ତୁମ ନାମର ମୂଲ୍ୟ ବିଷୟ ଜାଣି ନପାରିବେ ସେପର୍ଯ୍ୟନ୍ତ ତୁମେ କାଣୀ କଉଡିଟିଏ ବି ପାଇବ ନାହିଁ । ମୋ ଉପରେ ବିଶ୍ୱାସ ରଖି ନାମଟିଏ କହିଦିଅ । ଯଦି ଏଥିରେ ମୋର କିଛି ଲାଭ ହୁଏ, ତେବେ ମୁଁ ନିଶ୍ଚୟ ସେଥିରୁ ଅଧେ ଧନ ତୁମକୁ ଦେବି ।”
ପ୍ରତାପ ତା’ ମନେ ମନେ କିଛି ସ୍ଥିର କରି କହିଲା, “ତୁମ ଉପରେ ବିଶ୍ୱାସ କରି ମୁଁ ଗୋଟିଏ ନାମ ତୁମକୁ କହିଦେଉଛି । ତମେ ମୋତେ ମୋର ଭାଗ ଧନ ଦେଇ ଦେଲେ, ମୁଁ ତୁମକୁ ପୁଣି ଆଉ ଏକ ନାମ କହିବି ।”
ତାଙ୍କକଥା ଶୁଣି ଜଗା କହିଲା “ତାହେଲେ ଠିକ୍ ଅଛି ।”
ପ୍ରତାପ କହିଲା “ତେବେ ଶୁଣ । ଗତବର୍ଷ ଆମ ରାଜ୍ୟର ସୀମାରେ ଥିବା ବଣ ଭିତରେ ଏକ ମଣିଷଖିଆ ବାଘ ମାତିଲା । ତାକୁ ମାରିବା ପାଇଁ ରାଜା ଲକ୍ଷେମୁଦ୍ରାର ପୁରସ୍କାର ଘୋଷଣା କଲେ । କିଛିଦିନ ପରେ ସେ ବାଘର ମୃତଦେହ ବଣରୁ ମିଳିଲା; କିନ୍ତୁ ଜଣାଗଲା ନାହିଁ ଯେ, ସେହି ବାଘକୁ କିଏ ମାରିଛି । ଶେଷକୁ ଖବର ନେବାରେ ଜଣାଗଲା ଯେ ଲୋକଟିର ନାମ ଚକ୍ରଧର; କିନ୍ତୁ ସେ ଲୋକଟି ଆଉ ମିଳିଲା ନାହିଁ । ତେଣୁ ନିଜକୁ ଚକ୍ରଧର କହି ତୁମେ ରାଜାଙ୍କ ନିକଟକୁ ଯାଇ ତାଙ୍କୁ ଦେଖାକର । ତୁମେ ନିଶ୍ଚୟ ଘୋଷିତ ପୁରସ୍କାର ପାଇ ପାରିବ ।”
ଏହାପରେ ସେ ଜଗା ବଡ ଖୁସିଟାଏ ହୋଇ ରାଜାଙ୍କୁ ଭେଟି ନିଜକୁ ଚକ୍ରଧର ବୋଲି ପରିଚୟ ଦେଲା ।
ରାଜାଙ୍କର ଟିକିଏ ସନ୍ଦେହ ହେବାରୁ ସେ ପଚାରିଲେ, “ଏତେ ଦିନ ହେଲା ତୁମେ କୁଆଡେ ଥିଲ? ତୁମର କ’ଣ ପୁରସ୍କାର ପ୍ରତି ଲୋଭ ନାହିଁ?”
ତହୁଁ ସେ ଜଗା କହିଲା “ନାହିଁ ମଣିମା; ମୋର ବୃଦ୍ଧ ମାତାପିତାଙ୍କୁ ମୁଁ ନେଇ ଯାଇଥିଲି । ମାତାପିତାଙ୍କ ସେବା ନିକଟରେ ଧନର ବା ମୂଲ୍ୟ କ’ଣ? ମୁଁ ଆପଣଙ୍କ ପାଖକୁ ବିଳମ୍ବରେ ଆସିବାର ତାହାହିଁ ଏକମାତ୍ର କାରଣ ।”
ରାଜାଙ୍କର ସନ୍ଦେହ ଦୂର ହେବାରୁ ସେ ଜଗାକୁ ପୁରସ୍କାର ଦେଇ ସମ୍ମାନିତ କଲେ । ସେ ଫେରିବା ବେଳେ ଭାବିଲା ଯେ ବୁଢା ପ୍ରତାପକୁ କାଣୀ କଉଡିଟିଏ ମଧ୍ୟ ଦେବ ନାହିଁ । କିନ୍ତୁ ପୁଣି ଭାବିଲା ଯେ କୌଶଳ କରି କିପରି ଦ୍ୱିତୀୟ ନାମଟି ମଧ୍ୟ ବିନା ପଇସାରେ ବୁଢାଠୁଁ ସେ ହସ୍ତଗତ କରିବ ।
ଦ୍ୱିତୀୟ ଦିନ ସେ ପ୍ରତାପକୁ ଦେଖା କରି କହିଲା, “ତମେ ସତ କହିଛ । ଏବେ ତମେ ଦ୍ୱିତୀୟ ନାମଟି ମୋତେ କହିଦିଅ । ତେବେ ନାମର ମୂଲ୍ୟ ପଚିଶ ହଜାର କାହିଁକି ତମେ ମୋଠୁଁ ଆହୁରି ଅଧିକା ମଧ୍ୟ ପାଇବ ।”
ପ୍ରତାପ କହିଲା “ଆମ ସର୍ତ୍ତ ଅନୁସାରେ ତମେ ତ ମୋତେ ଅଧେ ଧନ ଦେବା କଥା । ତୁମେ ନିଜ କଥା ଅନୁସାରେ କାମ ନକଲେ, ମୋର ଅବସ୍ଥା କ’ଣ ହେବ ଜାଣ ତ? ଶେଷ ଆଶ୍ରୟ ମୃତ୍ୟୁ ଅର୍ଥାତ୍ ଆତ୍ମ ହତ୍ୟା ।”
ପ୍ରତାପକୁ ଫୁସୁଲେଇବା ପାଇଁ ଜଗା ମଧୁର ଭାବରେ କହିଲା “କି କଥା କହୁଛ? ତମେ ମୋତେ ଏତେ ସାହାଯ୍ୟ କରିବ; ଆଉ ମୁଁ କୃତଘ୍ନ ହେବି । ଆଜିଠାରୁ ମୁଁ ତୁମ ପରିବାରର ଜଣେ ବୋଲି ଜାଣ ।”
ପ୍ରତାପର ବିଶ୍ୱାସ ହେବାରୁ ସେ କହିଲା, “ବହୁଦିନ ପୂର୍ବେ ଜଣେ ମହାମୁନି ହିମାଳୟରୁ ଏଠାକୁ ଆସିଥିଲେ । ସେ ରାଜାଙ୍କୁ ଆଶିର୍ବାଦ ଦେଇ କହିଲେ, “ତମେ ପଚାଶବର୍ଷ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବ । କୌଣସି ବିପଦ ରାଜ୍ୟ ଉପରେ ପଡିବ ନାହିଁ । ମୁଁ ପୁଣି ଆଉ ଥରେ କେବେ ଆସିବି ।” ଆମ ରାଜା ଏବେ ସର୍ବଦା ତାଙ୍କ ବାଟ ଚାହିଁ ରହିଛନ୍ତି । ତେଣୁ ତୁମେ ନିଜକୁ ସେହି ମହାମୁନି ବୋଲି ପରିଚୟ ଦିଅ । ଦେଖିବ ରାଜା ତୁମକୁ ଅପର୍ଯ୍ୟାପ୍ତ ଧନ ଦେବେ ।”
ଜଗା ଏକଥା ଶୁଣି ସଙ୍ଗେସଙ୍ଗେ ରାଜାଙ୍କ ପାଖକୁ ସନ୍ନ୍ୟାସୀ ରୂପରେ ଗଲା । ସେଠାରେ ପହଁଚି ନିଜକୁ ସେ ପୂର୍ବୋକ୍ତ ମହାମୁନି ଭାବରେ ପରିଚୟ ଦେଲା । ଏକଥା ଶୁଣି ରାଜା ମହାଆନନ୍ଦରେ ଗଦ୍ଗଦ ହୋଇ ସାରା ରାଜ୍ୟରେ ଉତ୍ସବ କରାଇଲେ ଓ ମୂଲ୍ୟବାନ୍ ପୁରସ୍କାର ଦେଇ ସନ୍ନ୍ୟାସୀଙ୍କୁ ବିଦା କଲେ । ଜଗା ସେହି ଧନ ପାଇ ଆରାମ୍ରେ ରହିଲା । ପ୍ରତାପ କଥା ଏକବାରେ ସେ ଭୁଲିଗଲା ।
କିଛିଦିନ ପରେ ଦିନେ ସେ ଭାବିଲା, “ଯାଇ ଦେଖେ, ପ୍ରତାପର ଅବସ୍ଥା କିପରି ।”
ଜଗା କହିଲା, “ଆରେ, ତମେ ତ ବଡ ଠକ । ତୁମେ କହିଥିଲ ତୁମ ପାଖରେ ମାତ୍ର ଦୁଇଟି ନାମ ଅଛି । “ଏବେ ପୁଣି ତ ତମେ ନାମ ବିକୁଛ?”
ପ୍ରତାପ କହିଲା “କିଏ ଏ କଥା କହୁଛି? ଜଗାଟି? ତୁମ ଠକାମୀ ତୁଳନାରେ ମୁଁ ବିଚାରା କି ଠକ? ମୋର ସ୍ତ୍ରୀ ଶଯ୍ୟାଶାୟୀ । ଯୁବତୀ ଝିଅ ବିବାହ ଅପେକ୍ଷାରେ ବସିଛି । ଅଥଚ ତମେ ସମସ୍ତ ଧନ ଠକାଇ ନେଇ ଆରାମରେ ଅଛ? ଶତଧିକ ତୁମକୁ ।”