ରାମଶର୍ମା, ନାରାୟଣ ଓ ଭବନାଥ ତିନିଜଣ ଚିକିତ୍ସା ଶାସ୍ତ୍ର ଅଧ୍ୟୟନ ଶେଷ କରି ଗ୍ରାମକୁ ଫେରିଲେ । ତିନିଜଣ ପରସ୍ପରର ବହୁତ ଘନିଷ୍ଟ ଥିଲେ, ତେଣୁ ସେମାନେ ସ୍ଥିର କଲେ ଯେ ତିନିଜଣ ମିଶି ଗୋଟିଏ ଚିକିତ୍ସାଳୟ ଖୋଲିବେ । ଯାହା ନିୟମ ଆରମ୍ଭରୁ କରିଦେବେ, ତାହାକୁ ସମସ୍ତେ ମାନିବେ ।
ରୋଗୀ ପ୍ରଥମେ ତିନିଟଙ୍କା ଦେଲେ ଯାଇ ଭିତରେ ପ୍ରବେଶ କରିବ । ଦିନେ ରାମଶର୍ମାଙ୍କ ସ୍ତ୍ରୀ ସୁଜାତାର ହଠାତ୍ ମଥାବ୍ୟଥା ହୋଇ ଜର ହେଲା । ସେ ଚିକିତ୍ସାଳୟରେ ପହଁଚି ନିଜର ଅସୁବିଧା କଥା କହିଲେ । ପ୍ରବେଶ ଦ୍ୱାରରେ ଭବନାଥ ଥିଲେ । ଭବନାଥ କହିଲେ, “ଆମର ନିୟମ ହେଉଛି, ପ୍ରବେଶ କରିବା ପାଇଁ ତିନିଟଙ୍କା ଦରକାର; ତା’ପରେ ଚିକିତ୍ସା ଓ ତା’ପରେ ଯାଇ ଔଷଧ । ସେ କୌଣସିମତେ ନଛାଡିବାରୁ ସୁଜାତା କହିଲେ, “ମନେ ହେଉଛି ତୁମେ ମୋତେ ଚିହ୍ନିପାରି ନାହଁ ।”
ଭବନାଥ କହିଲେ “ଠିକ୍ ଚିହ୍ନିଛି । କିନ୍ତୁ ମୁଁ ନିରୁପାୟ । ତିନିଟଙ୍କା ଦିଅ ଓ ଭିତରକୁ ଯାଅ ।” ବିଚାରୀ ସୁଜାତା ଘରକୁ ଫେରି ତିନିଟଙ୍କା ନେଇ ଚିକିତ୍ସାଳୟରେ ପ୍ରବେଶ କରି ସିଧା ସ୍ୱାମୀ ରାମଶର୍ମାଙ୍କ କକ୍ଷକୁ ଯାଇ ଅଭିଯୋଗ କରି କହିଲେ, “ଇଏ କି କଥା? କେଉଁଠିକାର ନିୟମ? ମଣିଷ ବଡ ହଇରାଣ ହେଲାଣି ।”
ସ୍ତ୍ରୀଙ୍କ କଥା ଶୁଣି ରାମଶର୍ମା ଅଳ୍ପ ହସି କହିଲେ, “ଦେଖ, ସେଇ ତିନିଟଙ୍କାରୁ ମୋର ଟଙ୍କାଏ ଭାଗ । ପୁଣି ଏପରି ସମସ୍ତିଙ୍କୁ ଛାଡି ଦେଲେ ଫଳ କ’ଣ ହେବ? କିଛି ଟଙ୍କା ମିଳିବ ନାହିଁ । ନିୟମଟା ବଜାୟ ରଖିଲେ ସମସ୍ତିଙ୍କ ପାଇଁ ଭଲ । ତୁମେ ଟିକେ ବୁଝିବାକୁ ଚେଷ୍ଟା କର ।”
ସୁଜାତା ଏଥର ସବୁକଥା ବୁଝିଗଲେ । ରାମଶର୍ମାଙ୍କ ନିୟମ ରକ୍ଷା କରିବା ବୁଦ୍ଧିକୁ ସେ ମନେ ମନେ ବହୁତ ପ୍ରଶଂସା କଲେ ।