ପଶ୍ଚିମଘାଟ ପର୍ବତମାଳାର ପାଦ ଦେଶରେ ଶଙ୍ଖଗ୍ରାମ ନାମକ ଏକ ପଲ୍ଲିରେ ଜୟକୁମାର ନାମକ ଯୁବକ ଥାଏ । ତା’ର ଗୋଟିଏ ନୌକା ଥାଏ । ସେହି ନୌକାରେ ସେ ଲୋକଙ୍କୁ ନଦୀ ପାରି କରାଏ । କିଏ ଗୋଟାଏ ପଇସା ଦିଏ ତ ପୁଣି କିଏ ତାକୁ ମୁଠିଏ ଚାଉଳ ଦିଏ । ଯାତ୍ରୀ ନଥିବା ବେଳେ ସେ ନୌକାରୁ ଜାଲ ପକାଏ । ମୋଟାମୋଟି ଜୟକୁମାର ସେଥିରେ ଚଳୁଥାଏ ।
ଦିନେ ସେ ଦେଖିଲା, ତା’ ନୌକାର ତଳି ପଟାଟି ଧିରେ ଧିରେ ଘୋରି ହୋଇ ଗଲାଣି । କିଛିଦିନ ପରେ ପଟା ନ ବଦଳାଇଲେ ବିପଦ ହେବ ଜାଣି ସେ ଖଣ୍ଡିଏ ଭଲ କାଠର ସନ୍ଧାନରେ ବଣରେ ପଶିଲା ।
ସେ ବଣ ଯେପରି ବିସ୍ତୃତ, ଠିକ୍ ସେହିପରି ଘଂଚ ମଧ୍ୟ । ଜୟକୁମାର ଗୋଟିଏ ଉପଯୁକ୍ତ ଗଛ ଖୋଜି ଖୋଜି ଦୂରକୁ ଦୂରକୁ ଅଗ୍ରସର ହେଉଥାଏ । କେତେବେଳେ ସଞ୍ଜ ହେଲାଣି, ସେ ବିଷୟରେ ତା’ର ହେତୁ ନଥାଏ । ହଠାତ୍ ସେ ବୁଝିଲା କି ସେ ବଣ ଭିତରେ ଏତେ ଦୂର ଆସିଗଲାଣି ଯେ ଭୋର ହେବା ପୂର୍ବରୁ ବାଟ ଠାବ କରି ବାହାରକୁ ବାହାରିଯିବା କାଠିକାର ପାଠ ।
ତଥାପି ସେ ଏଣେତେଣେ ଦୌଡାଦୌଡି କରି ବାଟ ପାଇବାର ଚେଷ୍ଟା କଲା । ଫଳରେ ସେ ଆହୁରି ଅଧିକ ହାଲିଆ ହୋଇଗଲା । ତେଣେ ଅଳ୍ପ ଦୂରରୁ ଗୋଟାଏ ବାଘର ରଡି ଶୁଭିଲା । ସେ ରଡିରେ ତା’ ହାଲୁକ ଶୁଖିଗଲା । କେମିତି ହେଲେ ନିରାପଦରେ ରାତିଟି ସେ ବିତାଇବ ସେହି ଚିନ୍ତାରେ ବ୍ୟାକୁଳ ହେଲା ।
ବର୍ତ୍ତମାନ ତା’ ଆଗରେ ପ୍ରଶ୍ନ ହେଲା, ସେ କେଉଁଠାରେ ଆଶ୍ରୟ ପାଇବ! ଗୋଟିଏ ଗଛ ଉପରକୁ ଉଠିଯାଇ ଯେତେଦୂର ଆଖି ପାଇଲା ସେ ଅନାଇ ଦେଖିଲା, କାହିଁ ଗାଁ ଗଣ୍ଡା କେଉଁଠି ମଧ୍ୟ ଦେଖାଯାଉ ନାହିଁ । ଏଣେ ଅନ୍ଧାର ବି ଘନ ହୋଇ ଆସୁଥାଏ । ତା’ପରେ ସେ ଭୀଷଣ ଚିନ୍ତାରେ ପଡିଲା । ଦୈବାତ୍ ତା’ଆଖି ଗୋଟାଏ ବାଉଁଶ ଝାଡ ପାଖକୁ ଚାଲିଗଲା । ସେ ଦେଖିଲା କ୍ଷୀଣ ଭାବରେ ଧୂଆଁ ଉପରକୁ ଉଠୁଛି ।