ମିତ୍ରପୁର ରାଜ୍ୟର ଶାସକ ଚନ୍ଦନଦେବଙ୍କର ଇଚ୍ଛା ଥିଲା ଯେ ତାଙ୍କ ରାଜ୍ୟରେ ସମସ୍ତ ବିଚାର ଯେପରି ନ୍ୟାୟପୂର୍ବକ ହୁଏ । କିନ୍ତୁ ମଣିଷତ ଆଉ ସମ୍ପୂର୍ଣ୍ଣ ନ୍ୟାୟ କେବେବି କାହାକୁ ଦେଇପାରିବ ନାହିଁ । ତେଣୁ କୌଣସି ଦୈବୀଶକ୍ତି ପ୍ରାପ୍ତ କରିବା ନିମନ୍ତେ ସେ ଘୋର ଜଙ୍ଗଲକୁ ଯାଇ ଧର୍ମଦେବୀଙ୍କୁ ପାଇବା ପାଇଁ ତପସ୍ୟା କଲେ ।
ଧର୍ମଦେବୀ ଆବିର୍ଭୂତା ହେଲେ । ରାଜା କହିଲେ, “ମା’ ମୋତେ ଏପରି ଏକ ନ୍ୟାୟପୀଠ ଦେବେ ଯେ ତା’ ଉପରେ ଠିଆ ହୋଇ ଯିଏବି ମିଛ କହିବ ସେହିକ୍ଷଣି ତା’ର ମୁହଁ ବିକୃତ ହୋଇଯିବ ।”
ରାଜାଙ୍କ ଏଭଳି କଥାରେ ଧର୍ମଦେବୀ ଅଳ୍ପ ହସି କହିଲେ, “ନ୍ୟାୟ ଓ ଧର୍ମ ମଣିଷ ଭିତରେହିଁ ଥାଏ, ନିଜ ଚେତନାରେ ଥାଏ । କୌଣସି ବାହ୍ୟ ଜିନିଷ ପ୍ରକୃତ ନ୍ୟାୟ ଦେବା ଭାରି କଠିନ । ମଣିଷ ନିଜର ଚାତୁରୀ ଦ୍ୱାରା ମଧ୍ୟ ତାକୁ ଠକେଇବାର ଉପାୟ କରିପାରେ । ତୁ ଯଦି ନିହାତି କହୁଛୁ ତ ମୁଁ ତାହା ନିଶ୍ଚୟ ଦେବି, କିନ୍ତୁ ତୁ ହିଁ ଦେଖିବୁ ତଦ୍ୱାରା ତୋର ଇଚ୍ଛା ଠିକ୍ ଭାବରେ ପୂରଣ ହେଉନାହିଁ ।”
ତା’ପରେ ସେ ଦେବୀ ସେ ରାଜାଙ୍କୁ ଗୋଟିଏ ବଡ ପିଢା ପରି ଜିନିଷ ଦେଇ ସେଠାରୁ ହଠାତ୍ କୁଆଡେ ଅଦୃଶ୍ୟ ହୋଇଗଲେ । କ୍ରମେ ରାଜାଙ୍କର ଓ ତାଙ୍କ ଶାସନର ଖ୍ୟାତି ଚାରିଆଡେ ବ୍ୟାପିଗଲା । କେହି କେହି ସେ ରାଜାଙ୍କୁ “ନ୍ୟାୟଦେବତା” ବୋଲି ମଧ୍ୟ କହିଲେ ।
ଥରେ ମନ୍ତ୍ରୀ ଓ ପାରିଷଦଙ୍କ ସମ୍ମୁଖରେ ରାଜା ଦୃଢତାର ସହିତ କହିଲେ, “ଏଣିକି ମୁଁ ଆଖି ବୁଜି ଶାସନ କରିପାରେ । ଏ ‘ନ୍ୟାୟପୀଠ’ ଯୋଗୁଁ ମୋ ଶାସନରେ ଅନ୍ୟାୟର କୌଣସି ବି ସମ୍ଭାବନା ନାହିଁ ।”
ଜଣେ ମନ୍ତ୍ରୀ ଏକଥା ଶୁଣି ଟିକିଏ ହସି କହିଲେ, “ମହାରାଜ, ଆପଣ ଯାହା କହିଲେ ତାହା କିଛିଟା ସତ । କିନ୍ତୁ ଏତେ ବେଶି ଅନ୍ଧବିଶ୍ୱାସର ସହିତ ଆପଣ ‘ନ୍ୟାୟପୀଠ’ ଉପରେ ନିର୍ଭର କରନ୍ତୁ ନାହିଁ, ଜଣେ ଚାହିଁଲେ କିନ୍ତୁ ଠକିଦେଇ ପାରିବ ।”
ରାଜା ଏ କଥାରେ ଟିକିଏ ରାଗି ଉଠି କହିଲେ, “ଏହା ଏକ ଦୈବୀ ଶକ୍ତିସମ୍ପନ୍ନ ପୀଠ; ତମେ ତାକୁ ଏପରି ଅବମାନନାସୂଚକ କଥା କହିବାକୁ କିପରି ଏତେ ସାହସ କରୁଛ? ଏହାର ସତ୍ୟତା ତିନିଦିନରେ ପ୍ରମାଣ ନ କରିପାରିଲେ ତୁମେ କିନ୍ତୁ କଠିନ ଦଣ୍ଡ ପାଇବ ।”
ସେହି ରାଜ୍ୟରେ ହେମକୁରଙ୍ଗୀ ନାମରେ ଜଣେ ସୁନ୍ଦରୀ ନର୍ତ୍ତକୀ ଥାଏ । ସେ ତା’ ନିଜର ସୌନ୍ଦର୍ଯ୍ୟ ନେଇ ଖୁବ୍ ଗର୍ବ କରୁଥାଏ ।
ମନ୍ତ୍ରୀ ତାଙ୍କ ମନ ମଧ୍ୟରେ ନାନା ବିଚାର କରି ଶେଷକୁ ଏକ ସାଧୁବାବାର ଛଦ୍ମବେଶ ନେଇ ହେମକୁରଙ୍ଗୀ ଘର ସାମନା ରାସ୍ତାରେ ତାଙ୍କ ଆସନ ପାତିଲେ । ସାଧୁବାବାଙ୍କର ଏକ ଅଲୌକିକ ଶକ୍ତି ଥାଏ ଯେ ଯିଏ ଯେତେ ଟଙ୍କା ଦେବ ସେ ତାକୁ ତାର ଦ୍ୱିଗୁଣ କରି ଫେରାଇଦେଉ ଥିଲେ । ହେମକୁରଙ୍ଗୀ ଭାବିଲା କେହି ନଥିବା ବେଳେ ସେ ଯାଇ ସାଧୁବାବାଙ୍କୁ ତା’ର ସବୁ ରତ୍ନଖଚିତ ଅଳଙ୍କାରମାନ ଦେବ । ରାତି ହେବାରୁ ସେ ଠିକ୍ ସେହିପରି କଲା । ସାଧୁବାବା ରତ୍ନଭୂଷଣ ସବୁ ତାଙ୍କ ନିଜ ପାଖରେ ରଖି ପରଦିନ ଆସି ଦୁଇଗୁଣ ଅଳଙ୍କାର ବା ସମ୍ପତ୍ତି ନେଇ ଯିବାକୁ ହେମକୁରଙ୍ଗୀକୁ କହିଲେ । ସେ ଯିବା ପରେ ସାଧୁ ନିଜର ମୋଟା ଆଶାବାଡିର କାଠଖୋପ ଭିତରେ ତାକୁ ସବୁ ଲୁଚାଇ ରଖିଲେ । କିନ୍ତୁ ସେଠାରୁ ସେ ଆଉ କୁଆଡେବି ଯାଇ ପାରିଲେ ନାହିଁ । କାହିଁକିନା ଦୂରରୁ ହେମକୁରଙ୍ଗୀର ଚାକରମାନେ ତାଙ୍କୁ ଜଗି ରହିଥା’ନ୍ତି ।
ପରଦିନ ହେମକୁରଙ୍ଗୀ ଯାଇ ତା’ର ଅଳଙ୍କାର ମାଗନ୍ତେ ସାଧୁଜୀ କହିଲେ, “ତୁମର ତ କୌଣସିବି ଜିନିଷ ମୋ ପାଖରେ ନାହିଁ!”
ହେମକୁରଙ୍ଗୀ ଦୁଃଖ ଓ କ୍ରୋଧରେ ସାଧୁଙ୍କୁ ଓ ଚାକରବାକର ସବୁ ଧରି ରାଜଦରବାରକୁ ଫେରାଦ ହେବାକୁ ଗଲା ।
ହେମକୁରଙ୍ଗୀର ସବୁକଥା ଶୁଣି ରାଜା ସେ ସାଧୁଙ୍କୁ ନ୍ୟାୟପୀଠ ଉପରେ ଠିଆ ହୋଇ ସବୁ ପ୍ରଶ୍ନର ଉତ୍ତର ଦେବାକୁ କହିଲେ । ସାଧୁ ତାଙ୍କର ଆଶାବାଡି ହେମକୁରଙ୍ଗୀ ହାତରେ ଧରାଇ ଦେଇ ‘ନ୍ୟାୟପୀଠ’ ଉପରେ ଯାଇ ଠିଆ ହେଲେ । ସେଠାରେ ଥାଇ ସାଧୁ କହିଲେ, “ହେମକୁରଙ୍ଗୀର ସମ୍ପତ୍ତିରୁ ଫଟା କଉଡିଟିଏ ବି ମୋ ପାଖରେ ନାହିଁ ।” ସାଧୁଙ୍କର କିଛି ହେଲା ନାହିଁ । ସେ ସେଠାରୁ ତଳକୁ ଆସିଗଲେ ।
ହେମକୁରଙ୍ଗୀ କ୍ରୋଧରେ ଫାଟି ପଡିଲା ଓ ନିଜେ ଯାଇ ସେ ନ୍ୟାୟପୀଠ ଉପରେ ଠିଆ ହୋଇ କହିଲା, “ମୋର ସବୁ ସମ୍ପତ୍ତି ସିଏ ନେଇ ଯାଇଛି ଆଉ ମୋତେ ସେସବୁ ଫେରସ୍ତ ଦେଇ ନାହିଁ ।” ହଠାତ୍ ଦେଖାଗଲା ହେମକୁରଙ୍ଗୀର ରୂପ ବିକୃତ ଦେଖାଯାଉଛି । କାରଣ ହେଉଛି ସେ ସାଧୁଙ୍କର ଆଶାବାଡିଟି ତାଙ୍କୁ ଫେରାଇବାକୁ ଭୁଲି ଯାଇଛି । ସେଇଟା ଏବେ ମଧ୍ୟ ତା’ ହାତରେ ଅଛି ଯାହା ଭିତରେ ତା’ର ସବୁତକ ଅଳଙ୍କାର ଅଛି । ସଭାଲୋକମାନେ ହସି ହସି ଗଡିଲେ । ଦୁଃଖ ଅପମାନ ଓ କ୍ରୋଧରେ ହେମକୁରଙ୍ଗୀ କାନ୍ଦିବାକୁ ଲାଗିଲା । ଏଇ ଅବସରରେ ସାଧୁ ନିଜର ନକଲ ନିଶଦାଢୀ ସବୁ ଖୋଲି ସମସ୍ତଙ୍କ ଆଗରେ ମନ୍ତ୍ରୀ ରୂପରେ ଦେଖାଦେଲେ ଓ ସମସ୍ତ ଘଟଣା ବୁଝାଇ କହିଲେ, “ମହାରାଜ, ଆପଣ ତ ଦେଖିଲେ ଆପଣଙ୍କ ‘ନ୍ୟାୟପୀଠ’ କିପରି ଅନ୍ୟାୟ ବିଚାର କଲା!”
ହେମକୁରଙ୍ଗୀକୁ ରାଜା ତା’ର ସମ୍ପତ୍ତି ଫେରାଇ ଦେଲେ ଓ ପ୍ରକୃତ ବିଚାର ପ୍ରତି ମନ୍ତ୍ରୀ ତାଙ୍କ ଆଖି ଖୋଲି ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଲେ ।
ତା’ପରେ ସେ ‘ନ୍ୟାୟପୀଠ’କୁ ଦୂରକୁ ନେଇଗଲେ । ଯେପରି ‘ନ୍ୟାୟପୀଠ’ ର ସୁନାମ ଚାରିଆଡେ ବ୍ୟାପିଥିଲା ଠିକ୍ ସେଇପରି ନ୍ୟାୟପୀଠର ଦୁର୍ନାମ ଚାରିଆଡେ ବ୍ୟାପିଗଲା । ରାଜାଙ୍କର ମଧ୍ୟ ଜ୍ଞାନ ଚକ୍ଷୁ ଖୋଲିଗଲା । ସେ ବୁଝିଲେ କାହିଁକି ଧର୍ମ ଦେବୀ ଏଇଟି ତାଙ୍କୁ ଦେବାକୁ ଏତେ କୁଣ୍ଠିତ ହେଉଥିଲେ ।