ଜଟାଧର ପ୍ରଥମ ଥର ପାଇଁ ସହରକୁ ଆସି ଥାଆନ୍ତି । ରହିବା ପାଇଁ ସେ ଧର୍ମଶାଳାକୁ ଗଲେ । ସେଠାରୁ ହୋହଲ୍ଲା ଶୁଭୁଥାଏ । କିଛି ଲୋକ ତାସ୍ ଖେଳୁଥାନ୍ତି । ଆଉ କିଛି ଲୋକ ମଦ୍ୟପାନ କରୁଥାନ୍ତି । ସେ ବିସ୍ମିତ ହୋଇ ଭାବିଲେ ଯେ, ଏହା ‘ଧର୍ମଶାଳା, ନା ମଦ୍ୟପଙ୍କର ଏକ ଆଡ୍ଡାସ୍ଥଳୀ ।’ ଏହି ସମୟରେ କିଏ ଜଣେ ଚିତ୍କାର କଲା, “ଆରେ, ମହାବୀର ଆସିଗଲା ।”
ବାସ୍, ତା’ପରେ ସବୁ ମଦୁଆ, ଜୁଆଡୀ ଯିଏ ଯୁଆଡେ ପାରିଲେ ଧାଇଁ ପଳେଇଲେ । ଏତିକିବେଳେ ବିପରୀତ ଦିଗରେ ବନ୍ଦଥିବା ଏକ କବାଟକୁ କିଏ ଜଣେ ଜୋର୍ରେ ଲାତ ମାରିଲା, ଫଳରେ ସେ କବାଟ ଭାଙ୍ଗି ତଳେ ପଡିଗଲା ।
ଏଣେ ଜଟାଧର ସ୍ତବ୍ଧ ହୋଇ ଏସବୁ ଦେଖୁଥାନ୍ତି । ଦେଖିଲେ ଛଫୁଟ ଲମ୍ବା, ହୃଷ୍ଟପୃଷ୍ଟ ଚେହେରାର ଜଣେ ଲୋକ ଆସି ସେଠାରେ ଠିଆ ହେଲା । ତା’ର ମୋଟା ନିଶ, ନାଲି ଆଖି ଦେଖି ସେ ଡରିଯାଇଥାନ୍ତି । ଭିତରେ ସେ ଜଟାଧାରୀଙ୍କୁ ଦେଖି ପାଟି କଲା, “ଶୋଷ, ଭୀଷଣ ଶୋଷ, ହେଇ ସେଠି ସୁରେଇ ଅଛି, ଶୀଘ୍ର ପାଣି ଦେ ।”
‘ବାପାରେ, ମରିଗଲି ଆଜି । ଶେଷରେ ଏହାରି ହାତରେ ପଡିବାର ମୋର ଯୋଗ ଥିଲା ।’ ଜଟାଧର ଏପରି ନିଜକୁ ନିଜେ କହି ସୁରେଇ, ସେ ମୋଟା ଲୋକକୁ ଦେଲେ ।
ସୁରେଇକୁ ସିଧା ମୁହଁରେ ଲଗେଇ ସେ ସବୁ ପାଣି ପିଇଗଲା । ଜଟାଧର ଭାବିଲେ, ଲୋକଟି ସହିତ ମିତ୍ରତା କରିବା ମଙ୍ଗଳକର ହେବ । ତେଣୁ କୋମଳସ୍ୱରରେ ସେ ତା’କୁ ପଚାରିଲେ, “ଆପଣଙ୍କର ଆଉ ପାଣି ଦରକାର କି? କିଛି ଭୋଜନର ବ୍ୟବସ୍ଥା କରିବି?”
“ପିଇବା ଦରକାର, ଖାଇବା ବି ଦରକାର । କିନ୍ତୁ ଏ କାଲ! ତୁ କ’ଣ ଶୁଣିପାରୁନାହୁଁ, ଏବେ ସିପାହୀ ଅଧିକାରୀ ଆସି ଏଠି ପହଁଚିଯିବେ । ଆରେ, ହେଇ ତ ଆସିଗଲେ ।” ଏତିକି କହୁ କହୁ ସେ ସେଠାରୁ ଶୀଘ୍ର ଚମ୍ପଟ ମାରିଲା ।
ଦଶଜଣ ହତିଆରଧାରୀ ସିପାହୀଙ୍କ ସହିତ, ଜଣେ ଖର୍ବାକୃତି ସିପାହୀ ଅଧିକାରୀ ସେଠାରେ ଆସି ପହଁଚିଲେ । ସେ ଧୀରେ କହିଲେ, “ଓଃ ସବୁ ମଦୁଆଙ୍କୁ ମୋ ଆସିବା ଖବର ତେବେ ଆଗରୁ ମିଳିଯାଇଛି । ସେଥିପାଇଁ ଯିଏ ଯୁଆଡେ ପଳାଇଛନ୍ତି । ଠିକ୍ ଅଛି, ସମସ୍ତଙ୍କର ପିଛା କର । ମୁଁ ଏ ଭିତରେ ଧର୍ମଶାଳାର ମାଲିକଙ୍କୁ ଗିରଫ କରୁଛି ।”
“ଚେହେରାର ବଳ ନୁହେଁ, ପଦବୀର ବଳରେ ପ୍ରକୃତ ଶକ୍ତି ରହିଛି । ନଚେତ୍, ଏତେ ମୋଟା ତାଗ୍ଡା ଲୋକ ଏହି କ୍ଷୁଦ୍ର, ଦୁର୍ବଳ ଲୋକଙ୍କୁ ଡରି ଏମିତି ଧାଇଁ ପଳାଇ ଥାନ୍ତେ?” ଏହି ସତ୍ୟଟି ବୁଝିପାରି, ଜଟାଧର ମୁରୁକି ହସିଲେ ।