ବହୁଦିନ ତଳର କଥା । ପର୍ସିଆର ଗୋଟିଏ ଗ୍ରାମରେ ଜଣେ ଫକୀର ରହୁଥିଲେ । ତାଙ୍କର ଶାରିରୀକ ଗଠନ ସୁସ୍ଥ ଓ ବଳିଷ୍ଠ ଥିଲା । କିନ୍ତୁ ସେ ବୁଦ୍ଧିହୀନ, ମୂର୍ଖ ଥିଲେ । ଡଉଲ ଡାଉଲ ଚେହେରା, ମଜଭୁତ ହାତଗୋଡ ଥାଇ ମଧ୍ୟ, ପରିଶ୍ରମ କରି ପେଟ ପୋଷିବା ପାଇଁ ତାଙ୍କର ଇଚ୍ଛା ନ ଥିଲା । ଏଣୁ ଗୁଜୁରାଣ ମେଂଟାଇବା ପାଇଁ ସେ ଭିକ୍ଷା-ବୃତିକୁ ଆଦରି ନେଇଥାନ୍ତି । ଗୋଟିଏ ବର୍ଷ ସେହି ଗ୍ରାମରେ ଭୟଙ୍କର ମରୁଡି ପଡିଲା । ଗ୍ରାମବାସୀମାନଙ୍କର ଭିକ୍ଷା ଦେବାପରି ସାମର୍ଥ୍ୟ ରହିଲା ନାହିଁ । ଫକୀର ବୁଝିପାରିଲେ ଯେ, ଏହି ଗ୍ରାମରେ ଭିକ୍ଷାବୃତି ଅବଲମ୍ବନ କରି, ତାଙ୍କର ଜୀବନ-ନିର୍ବାହ ଆଉ ହୋଇପାରିବ ନାହିଁ । ତେଣୁ ପରଦିନ ସକାଳେ ସେ ଅନ୍ୟ ଏକ ଗ୍ରାମ ଅଭିମୁଖେ ବାହାରି ପଡିଲେ ।
ପଥରେ ଏକ ଜଙ୍ଗଲ ପଡିଲା । ଜଙ୍ଗଲ ଅତିକ୍ରମ କରିବା ସମୟରେ, ଫକୀର ଗୋଟିଏ ହସ୍ତପାଦହୀନ ଶିଆଳ ଦେଖିଲେ । ଏହି ବିକଳାଙ୍ଗ ଶିଆଳଟିକୁ ଦେଖି ଫକୀର ବିସ୍ମିତ ହୋଇ ନିଜେ ନିଜକୁ କହିପକାଇଲେ, “ବାଃ, ସତରେ ଭଗବାନଙ୍କର ସୃଷ୍ଟି ବଡ! ଏଇ ହାତଗୋଡ ନଥିବା ଶିଆଳ, ଏ ଜଙ୍ଗଲରେ କ’ଣ କରୁଛି? କିପରି ବଂଚୁଛି? କେଉଁଠାରୁ ଆହାର ପାଉଛି?” ଠିକ୍ ଏହି ସମୟରେ ଗୋଟିଏ ବାଘ, ହରିଣଟିଏ ମାରି ତାକୁ ଘୋଷାରି ଘୋଷାରି ସେଇ ଦିଗରେ ଆସିଲା । ବାଘକୁ ଦେଖୁ ଦେଖୁ ଫକୀର ଏକ ବୁଦା ଆଢୁଆଳରେ ଯାଇ ଲୁଚିଗଲା ।
ବାଘ, ମନଭରି ଆହାର ଖାଇଲା । ହରିଣର ଅବଶିଷ୍ଟ ମୃତଶରୀର ସେହି ସ୍ଥାନରେ ଛାଡି ସେ ଚାଲିଗଲା । ବାଘ ଛାଡିଯାଇଥିବା ମାଂସକୁ, ସେଇ ବିକଳାଙ୍ଗ ଶିଆଳ ଖାଇ ନିଜର କ୍ଷୁଧା ମେଂଟାଇଲା ।
ଏହା ଦେଖି ସେ ଫକୀର, ତାଙ୍କ ଅନ୍ତରରେ ଏକ ସତ୍ୟକୁ ଉପଲବ୍ଧି କଲେ । ସମସ୍ତ ଜୀବଜଗତର ପୋଷାକ ହେଉଛନ୍ତି ଭଗବାନ୍ – ଯେ’କି ଠିକ୍ ସମୟରେ ଏହି ଶିଆଳ ପାଇଁ ମଧ୍ୟ ଆହାର ଖଞ୍ଜି ଦେଇଛନ୍ତି ।
“ଯେଉଁ ଭାବରେ ଭଗବାନ ଏହି ଶିଆଳ ପାଇଁ ଆହାର ଯୋଗାଉଛନ୍ତି, ସେହି ଭାବରେ ମୋର ଦାୟିତ୍ୱ ସେ କାହିଁକି ନେଉ ନାହାଁନ୍ତି? ତାଙ୍କୁ କ’ଣ ମୋ ଚିନ୍ତା ଘାରୁନାହିଁ । ନା’ ସେ ଯାହା ବି ହେଉ ଏଣିକି ମୁଁ ଆଉ କାହା ଆଗରେ ହାତ ପତେଇ ଭିକ୍ଷା ମାଗିବି ନାହିଁ । ଏହି ଶିଆଳ ପରି ମୁଁ ମଧ୍ୟ ଭଗବାନଙ୍କ ଉପରେ ନିର୍ଭର କରି ରହିବି । ଗୋଟିଏ ସ୍ଥାନରେ ଚଳପ୍ରଚଳ ନ ହୋଇ ପଡିରହିବି । ମୋର ପ୍ରତିଦିନର ଆବଶ୍ୟକତା, ଭଗବାନ ନିଶ୍ଚୟ ପୂରଣ କରିବେ ।” ଫକୀର ମନରେ ଏହା ସ୍ଥିର କରି, ନିକଟବର୍ତ୍ତୀ ଗ୍ରାମ ଅଭିମୁଖେ ଚାଲିଲେ ।
ସେହି ଗ୍ରାମରେ ପହଁଚି, ସିଧା ମସ୍ଜିଦ୍ ପାଖକୁ ସେ ଗଲେ । ସେଠାରେ ଠିଆହୋଇ ରହିବାରୁ, ଜଣେ ଲୋକ ତାଙ୍କୁ ପରାମର୍ଶ ଦେଇ କହିଲେ, “ବାବୁ, ଏଠାରେ କେହି ରହନ୍ତି ନାହିଁ । ଅନ୍ୟ କେଉଁସ୍ଥାନକୁ ଯାଇ ଭିକ୍ଷା ମାଗ ।” ଫକୀର ପଚାରିଲେ “ଘର ଯେତେବେଳେ ଅଛି, ତେବେ କେହି ନା କେହି ତ ସେଠାରେ ନିଶ୍ଚୟ ରହୁଥିବେ । ଏଠାରେ ଯିଏ ରୁହନ୍ତି, ତାଙ୍କ ହୃଦୟରେ କ’ଣ ଦୀନ-ଦୁଃଖୀମାନଙ୍କ ପ୍ରତି କରୁଣା ନାହିଁ?” ତା’ପରେ ସେହି ଲୋକ ଜଣକ ବିରକ୍ତି ହୋଇ କହିଲେ, “ଜାଣିଛ, ଏଠାରେ କିଏ ରହନ୍ତି? ଯେଉଁ ପ୍ରଭୁ ତୁମର, ମୋର, ସକଳ ଜଗତର ସୃଷ୍ଟିକର୍ତ୍ତା, ଯିଏ ଏହି ଜୀବଜଗତର ପାଳନକର୍ତ୍ତା, ସେହି ପରମେଶ୍ୱରଙ୍କର ଏହା ନିବାସସ୍ଥଳୀ । ତାଙ୍କର ଏପରି ନିନ୍ଦାଗାନ ନ କରି, ଏ ସ୍ଥାନ ଯଥାଶୀଘ୍ର ଛାଡି ଚାଲିଯାଅ ।”