ଏକଦା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଗରୀବ ଅଥଚ ଚତୁର ଭିକାରୀ ବ୍ରାହ୍ମଣ ଥିଲେ । ସେ ତାଙ୍କର ପାଂଚ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ଏହି ଚିନ୍ତାରେ ବ୍ୟଥିତ ହୋଇ ପଡିଲେ । ଜ୍ଞାନ ଚର୍ଚ୍ଚା ମାଧ୍ୟମରେ କିଛି ରୋଜଗାର କରିବା ନିମିତ ବାରମ୍ବାର ଚେଷ୍ଟାକରି ବିଫଳ ହେଲେ । ଭିକ୍ଷା ବୃତି କରି ଚଳିବା ଛଡା ତାଙ୍କର ଆଉ କୌଣସି ଉପାୟ ନଥିଲା । ପାଂଚ ପ୍ରାଣୀ କୁଟୁମ୍ବଙ୍କୁ ଚଳିଲା ଭଳି ଭିକ୍ଷା ସଂଗ୍ରହ କରି ଘରକୁ ଫେରିବା ବାଟରେ ଦୈନିକ ଏକ ଅଦ୍ଭୁତ ଘଟଣା ଦେଖୁଥିଲେ । ବ୍ରାହ୍ମଣ ଲକ୍ଷ୍ୟ କଲେ ପ୍ରତ୍ୟହ ଭିକ୍ଷା କରି ସଂଗ୍ରହ କରିଥିବା ଚାଉଳସବୁ ଘରକୁ ଫେରିବା ବେଳକୁ କାଠ ପାଲଟି ଯାଉଛି । ଏହାଦ୍ୱାରା ତାଙ୍କର ପାଂଚପ୍ରାଣୀ କୁଟମ୍ବଙ୍କୁ ଅଧିକାଂଶ ଦିନ ଭୋକ ଉପାସରେ ରହିବାକୁ ପଡୁଥିଲା ।
ଦିନେ ବ୍ରାହ୍ମଣୀ ବିକ୍ରମାଦିତ୍ୟଙ୍କ ଖ୍ୟାତି ଜାଣିବାକୁ ପାଇ ତାଙ୍କ ଠାରୁ ଦାନ ଆଣିବା ପାଇଁ ବ୍ରାହ୍ମଣକୁ କହିଲେ । ବ୍ରାହ୍ମଣ ବ୍ରାହ୍ମଣୀ କଥାରେ ରାଜି ହୋଇ ଆଉ ଡେରିନକରି ରାତି ଅଧରୁ ଯାଇ ବିକ୍ରମାଦିତ୍ୟଙ୍କ ରାଜନଅରର ସମ୍ମୁଖସ୍ଥ ଦ୍ୱାରରେ ବସି ପଡିଲେ । ପ୍ରତ୍ୟୁଷରୁ ବିକ୍ରମାଦିତ୍ୟ ଦ୍ୱାର ଖୋଲି ଯାହାଙ୍କୁ ଦର୍ଶନ କରନ୍ତି ତାଙ୍କୁ ପ୍ରଚର ଦାନ କରନ୍ତି । ବ୍ରାହ୍ମଣ ସେଇ ଲୋଭରେ ଅଧ ରାତିରୁ ଯାଇ ରାଜନଅର ସମ୍ମୁଖରେ ବସିଥିଲା । ପରଦିନ ପ୍ରତ୍ୟୁଷରୁ ବ୍ରାହ୍ମଣକୁ ଦେଖି ବିକ୍ରମାଦିତ୍ୟ ସୁନା, ରୂପା ସହ ଗୋଟିଏ ଦୁହାଁଳିଆ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଲେ । ବ୍ରାହ୍ମଣଟି ସୁନା, ରୂପା ଓ ଦୁହାଁଳିଆ ଗାଈ ଧରି ମହା ଆନନ୍ଦରେ ଘରକୁ ଫେରୁଥିବାବେଳେ ବାଟରେ ଥିବା ଏକ ଜଙ୍ଗଲ ମଧ୍ୟରେ ଚୋରମାନେ ବ୍ରାହ୍ମଣଠାରୁ ସମସ୍ତ ଧନ ସମ୍ପତ୍ତି ଚୋରି କରି ନେଇଗଲେ ।
ବ୍ରାହ୍ମଣ ମନଦୁଃଖରେ ଘରକୁ ନଫେରି ରାଜା ବିକ୍ରମାଦିତ୍ୟଙ୍କ ନଅର ଆଡକୁ ପୁଣି ଚାଲିଲେ । ପରଦିନ ସକାଳୁ ରାଜା ପୁଣି ସେହି ଭିକାରୀ ବ୍ରାହ୍ମଣକୁ ଦେଖି ବିରକ୍ତ ହେଲେ ମଧ୍ୟ ଅଳ୍ପକିଛି ସ୍ୱର୍ଣ୍ଣମୁଦ୍ରା ଦାନ ସ୍ୱରୂପ ପ୍ରଦାନ କଲେ । ଏଥର ମଧ୍ୟ ପୂର୍ବପରି ଦସ୍ୟୁମାନେ ବ୍ରାହ୍ମଣଠାରୁ ସବୁ ଲୁଟି ନେଲେ ।