ତା’ପର ଦିନ ରାତ୍ର ପାହିବା ମାତ୍ରେ ଗଙ୍ଗା କୂଳରୁ ବିଦାୟ ନେଇ ସେମାନେ ଯମୁନା ତୀର୍ଥକୁ ବାହାରିଲେ । ରାସ୍ତାରେ ଯାଉ ଯାଉ ସଂଧ୍ୟା ହୋଇ ଆସିଲା । ଚତୁର ବ୍ୟଙ୍ଗକାର କହିଲେ – ଆରେ ବାବା ବୋଲକରା ସଂଧ୍ୟା ତ ହୋଇଯିବ । ନିକାଂଚନ ରାସ୍ତାରେ ଗତି କରିବା କଥାକୁ କଥାକାର ନା କହିଛନ୍ତି । ସେଥି ଲାଗି ମୁଁ କହୁଥିଲି କି ଆମ ଆଗରେ ଦେଖା ଯାଉ ଥିବା ସ୍ଥାନରେ ଯାଇ ପହଁଚି ଗଲେ ସେଠାରେ ଯେବେ ରହିବାର ସୁଯୋଗ ଥିବ ତାହା ହେଲେ ଆମେ ସେଠାରେ ରହି ଯିବା । ତାହା ନହେଲେ ଆମକୁ ପୁଣି କିଛି ବାଟ ଆଗକୁ ଯିବାକୁ ହେବ ।
ଅବୋଲକରା କଥାଟାକୁ ଶୁଣି ସାରି କହିଲା – ଭୁଲ୍ କଥା, ଚାଲନ୍ତୁନା । ଏହା କହି ବୋଲକରା ଡଗ ଡଗ ହୋଇ ଆଗକୁ ପାଦ ପକାଇ ଚାଲିଲା ।
ଖରା ରତ ରତ ହେଉଛି, ଆଉ ଅଳ୍ପ ସମୟ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୋଇ ଯିବେ । ଏମାନଙ୍କ ଚଲା ପଥରେ ମନ୍ଦିର ଗୋଟିଏ ପଡିଲା । ଚତୁର କଥାକାର ଯାଇ ସେଠାରେ ପହଁଚିବା ମାତ୍ରେ ମନ୍ଦିରର କୋଠା ଘର ବାରଣ୍ଡାରେ ବସି ଥିବା କେତେକ ବୟସ୍କ ବ୍ୟକ୍ତି ସେହି ଉପଦେଷ୍ଟାଙ୍କୁ ଦେଖି ଖୁବ୍ ସମ୍ମାନ ଦେଲେ । ଠାକୁରାଣୀଙ୍କ କୋଠା ଘରେ ରହି ଯିବାକୁ ପ୍ରସ୍ତାବ ଦିଅନ୍ତେ ଲୋକ ମାନେ ଆଦର କରି କହିଲେ – ରୁହନ୍ତୁ, ଏହି ଠାରେ ଆଜି ରାତିଟା ବିତାନ୍ତୁ । ଏହା ପରେ ନିର୍ଜନ ଅରଣ୍ୟାଦିରେ ରାସ୍ତା ପଡିବ । ଚଲା ପଥରେ ଯିବାଟା ଆପଣଙ୍କ ଲାଗି ମଙ୍ଗଳ ଦାୟକ ହେବ ନାହିଁ ।
ଲୋକଙ୍କ କଥାରେ ଚତୁର ବ୍ୟଙ୍ଗକାର ବୋଲକରାକୁ କହିଲେ – ହେଲା ଆଜି ରାତ୍ରିକ ଏଠାରେ ଅବସ୍ଥାନ କରିବା – ତେଣୁ ତୁ ଗଣ୍ଠିଲି ପତ୍ର ଥୋଇ ଦେଇ ଗଲୁ ଗାଁ ଦୋକାନରୁ କିଛି ସଉଦା ଆଣ ।
ଶିତଳା ଠାକୁରାଣୀଙ୍କ କୋଠା ଘରେ ଗଣ୍ଠିଲି ଥୋଇ ବୋଲକରା ବାହାରି ଗଲା ସଉଦା ଆଣିବାକୁ । ଇଏବି ଥିଲା ସେଦିନ ବୋଲକରା ଲାଗି ସଂପୂର୍ଣ୍ଣ ନୂଆ ଜାଗା । ପାଖ ଗ୍ରାମକୁ ଯିବା ରାସ୍ତାରେ ଦେଖିଲା ଯେ ସାତ ଗୋଟି ମନୁଷ୍ୟର ମୂର୍ତ୍ତି ପାହାଡ ଉପରେ ସ୍ଥାପନ କରା ଯାଇଛି । ତା’ର ଚତୁଃ ପାଶ୍ୱର୍ରେ ପଥର ଗୁଡାଏ ପାଚେରି ପରି ସଜ୍ଜା ଯାଇଛି । ତାହା ଦେଖି ବୋଲକରା ଖୁବ୍ ଆଶ୍ଚର୍ଯ୍ୟ ହେଲା । ୟେତ କେହି ଦେବ ଦେବୀ ନୁହଁନ୍ତି, ସେମାନଙ୍କର ପୂଜା ବିଧି ତ କାହିଁ କରା ଯାଉ ନାହିଁ, ହେଲେ ଏତେ ଯତ୍ନ ସହକାରେ ଏଗୁଡିକ ଏଠାରେ ରଖା ଯାଇଛି କାହିଁକି?