ପ୍ରାଚୀନ କାଳର କଥା । ମହର୍ଷି ଜମଦଗ୍ନି, ପତ୍ନୀ ରେଣୁକା ଏବଂ ତାଙ୍କର ପୁତ୍ରମାନଙ୍କ ସହିତ ଯେଉଁଠି ଆଶ୍ରମ ନିର୍ମାଣ କରି ରହୁଥିଲେ, ସେହି ଆଶ୍ରମ ପାଖରେ ସରସ୍ୱତୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ସହିତ ଆଶ୍ରମବାସୀ ଖୁବ୍ ପରିଚିତ ହୋଇ ଉଠିଲେ । ସେତେବେଳେ ସେଠାକାର ରାଜା ଥିଲେ ସହସ୍ର ବାହୁ । ସେ ଅତ୍ୟନ୍ତ ବଳବାନ ତଥା ଅହଙ୍କାରୀ ରାଜା ଥିଲେ । ଅତଏବ ସେ ପ୍ରଥମରୁ ଅନ୍ୟର ସୁଖକୁ ଆଦୌ ସହି ପାରୁ ନଥିଲେ । ପୁନଶ୍ଚ ସେ ଜଣେ ଅତ୍ୟାଚାରୀ ରାଜା ହୋଇଥିବା ହେତୁ ପ୍ରଜାମାନେ ତାଙ୍କର ସମସ୍ତ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଉଥିଲେ ।
ରାଜା ସହସ୍ରବାହୁଙ୍କ ରାଜ୍ୟରେ ସରସ୍ୱତୀ ନଦୀ ପ୍ରବାହିତ ହେଉଥିବା ହେତୁ ତା’ ପାଶ୍ୱର୍ରେ ଥିବା ଜମଦଗ୍ନି ଋଷିଙ୍କ ଆଶ୍ରମ ମଧ୍ୟ ତାଙ୍କ ରାଜ୍ୟ ଅଧୀନରେ ରହିଥିଲା । ନଦୀ ଉପକଣ୍ଠରେ ଥିବା ଆଶ୍ରମର ଚତୁଃପାଶ୍ୱର୍ସ୍ଥ ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନମୁଗ୍ଧକର । ମହର୍ଷିଙ୍କର ଗୋଟିଏ କାମଧେନୁ ଗାଈ ଆଶ୍ରମ ମଧ୍ୟରେ ରହୁଥିଲା । ମହର୍ଷି ଜମଦଗ୍ନି ସେହି ଗାଇକୁ ଅଧିକ ଆଦର କରୁଥିବା ବେଳେ ତା’ର ଯତ୍ନ ମଧ୍ୟ ନେଉଥିଲେ । ଆଶ୍ରମର କାର୍ଯ୍ୟଧାରା ସମଗ୍ର ଜଗତର କଲ୍ୟାଣ କରିବା ଉଦ୍ଧେଶ୍ୟରେ ହିଁ କରୁଥିଲା ।
ଦିନେ ରାଜା ସହସ୍ରବାହୁ ଆଶ୍ରମରେ କାମଧେନୁ ଗାଈ ରହୁଥିବା ବିଷୟ ଜାଣିବା ପରେ ତାହା ରାଜ ପ୍ରାସାଦକୁ ନେଇ ଆସିବାକୁ ଚାହିଁଲେ । କାରଣ ରାଜ୍ୟ ସ୍ଥିତ ଯେତେକ ଐଶ୍ୱର୍ଯ୍ୟ ରହିଛି ତା’ର ମୁନିବ ହେଉଛନ୍ତି ରାଜା । ତେଣୁ ଦେଖିବାକୁ ଗଲେ ରାଜ୍ୟରେ ଥିବା ଆଶ୍ରମ ତଥା ସେହି ପରିସର ମଧ୍ୟରେ ଥିବା ସମସ୍ତ ଧନ ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ୍ୟର ରାଜା । ଅତଏବ କାମଧେନୁ ଗାଈ ଆଶ୍ରମରେ ରହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ।