ଗୋଟିଏ ଗାଁରେ ରାମୁ ନାମକ ଚାଷୀଟିଏ ରହୁଥାଏ । ବାହା ହେବାର ଖୁବ୍ ଅଳ୍ପଦିନ ପରେ ତା’ର ପତ୍ନୀ ବିୟୋଗ ଘଟିଲା । ବିଚାରା ଏବେ ସେ ଏକେଲା ତା’ଘର ଚଳାଉ ଥାଏ । ସେହି ଗାଁରେ ରୂପା ବୋଲି ଅନାଥ ଗରିବ ଝିଅଟିଏ ଥାଏ । କାମଦାମ କରି ସେ ତା’ ନିଜ ପେଟ ପୋଷେ ।
ରୂପା ରାମୁ ଘରେ ସବୁ ପ୍ରକାର କାମ ପାଇଟି କରେ । ଏମିତିକି ତା’ କ୍ଷେତକୁ ମଧ୍ୟ ଯାଇ ସେ କାମ କରେ ଓ ସଂଧ୍ୟାକୁ ଘରକୁ ଫେରିଯାଏ । ଦିନେ ମନରେ ସାହସ କରି ରୂପା ରାମୁକୁ ପଚାରିଲା, “ତୁମର ସବୁ କାମ ତ ମୁଁ ହିଁ କରୁଛି, ତେବେ ତୁମେ ମୋତେ କାହିଁକି ବାହାହୋଇ ପଡୁନାହଁ?”
ରୂପାର ଏଭଳି କଥା ଶୁଣି ରାମୁ ହସି ଦେଇ କହିଲା, “ଆରେ ବାହା ହେବାର କଥା ଥିଲେ ତ ମୁଁ କେବେଠାରୁ ବାହା ହୋଇ ସାରନ୍ତିଣି; ଏବେ ପର୍ଯ୍ୟନ୍ତ ମୁଁ କାହିଁକି ଅବିବାହିତ ହୋଇଥା’ନ୍ତି?”
ଏକଥା ଶୁଣି ରୂପା ବିଚରା ସରଳ ଭାବରେ ପଚାରିଲା, “ତେବେ ମୋତେ ବାହା ହେବାରେ ତୁମର କ୍ଷତି କ’ଣ? କ’ଣ ମୋ ଭିତରେ ଏମିତି କିଛି ଖରାପ ସ୍ୱଭାବ ଅଛି ଯାହାକି ତୁମକୁ ଆଦୌ ପସନ୍ଦ ଲାଗୁନାହିଁ ।”
ଏମିତି କାମ ମଝିରେ ରୂପା ରାମୁକୁ ପ୍ରଶ୍ନ ପରେ ପ୍ରଶ୍ନ କରିଚାଲେ । ତେଣୁ ସେ ରାମୁ ଭାରି ହଇରାଣ ହୋଇଯାଏ । ଦିନେ ରୂପା ତା’ କାମ ଶେଷ କରିବା ପରେ ଅତ୍ୟନ୍ତ କ୍ଳାନ୍ତ ହୋଇ ଖରାବେଳେ ଗଛମୂଳେ ଯାଇ ଶୋଇ ପଡିଥାଏ । ଏହି ସୁଯୋଗ ଦେଖି ରାମୁ ପୁଳାଏ କଳାରଙ୍ଗ ଆଣି ରୂପାର ମୁହଁରେ ଓ ଦେହରେ ବୋଳିଦେଲା । କିଛି ସମୟ ପରେ ରୂପା ନିଦରୁ ଉଠି ନିଜ ଦେହ ଦେଖି ଭାବିଲା, “ମୁଁ କ’ଣ ରୂପା? ନା ମୁଁ ଏକ ପିଶାଚୀ ହୋଇଯାଇଛି?” ତା’ପରେ ସେ ନିଜ ସନ୍ଦେହ ମୋଚନ କରିବାକୁ ରାମୁ ପାଖକୁ ଯାଇ ତାକୁ ପଚାରିଲା, “ରୂପା କ’ଣ ତମ ଘରେ ଅଛି କି?”
ରାମୁ ତ ତାକୁ ହଇରାଣ କରିବାକୁ ଚାହୁଁଥାଏ; ତେଣୁ ସେ କହିଲା, “ହଁ ସେ ତ ମୋ ଘରେ ଅଛି ।”
ରାମୁର କଥା ଶୁଣି ରୂପାର ଏଥର ପୂର୍ଣ୍ଣ ବିଶ୍ୱାସ ହୋଇଗଲା ଯେ ସେ ପିଶାଚୀ ହୋଇଯାଇଛି । ତେଣୁ ସେ ଜଙ୍ଗଲକୁ ଗଲା । ଜଙ୍ଗଲରେ ଦୁଇଜଣ ଚୋର ଯାଉଥିଲେ, ସେମାନେ ରୂପାର ଏପରି ବିକଟାଳ ରୂପ ଦେଖି ସେଇଠି ଠିଆ ହୋଇ ଖାଲି ଭୟରେ ଥରିଲେ ।
ରୂପା ମଧ୍ୟ ସେମାନଙ୍କ ପଛରେ ଦୌଡି ଦୌଡି କହିଲା, “ଆରେ ହେଇ, ଚୋରୀ କରିବାକୁ ଯାଉଛ ନା? ଯଦି ଯାଉଛ ତ ମୋତେ ବି ତୁମେମାନେ ସାଥିରେ ନେଇ ଚାଲ, ମୁଁ ଏଥିରେ ତୁମକୁ ନିଶ୍ଚୟ ସାହାଯ୍ୟ କରିବି ।”