ମାଧବ ଓ ମଙ୍ଗଳ ଦୁଇ ବନ୍ଧୁ ଥିଲେ । ବହୁ ଦିନରୁ ସେ ଉଭୟଙ୍କର କୌଣସି ଦେଖା ସାକ୍ଷାତ ହୋଇ ନ ଥାଏ । ଦିନେ ମାଧବକୁ ଦେଖା କରିବା ପାଇଁ ମଙ୍ଗଳ ଯାଇ ତାଙ୍କ ଗ୍ରାମରେ ପହଁଚିଲେ । ମାଧବ ଜଣେ ସ୍ୱଚ୍ଛଳ କୃଷକ । ତା’ ସହିତ ପିତାଙ୍କର ଚାଉଳ, ଗହମ ବ୍ୟବସାୟରୁ ମଧ୍ୟ ଭଲ ଆୟ ହେଉଥାଏ ।
ମାଧବଙ୍କର ଗୋଟିଏ ମାତ୍ର ପୁତ୍ର । ପାଠପଢାରେ ତା’ର ତ ଆଦୌ କୌଣସି ରୁଚି ନ ଥାଏ । ଛୋଟ ଛୋଟ ଦାୟିତ୍ୱ ମଧ୍ୟ ସେ ଠିକ୍ ରୂପେ ତୁଲାଇପାରେ ନାହିଁ । ମଙ୍ଗଳ ଭାବିଲେ, ପିଲାଟି ସ୍ୱଳ୍ପବୁଦ୍ଧି ସଂପନ୍ନ ଅଟେ ।
ତେଣୁ ସେ କଥା ଛଳରେ ବନ୍ଧୁ ମାଧବଙ୍କୁ କହିଲେ, “ତୁମର ପୁଅ ତ ଆଉ ଏତେ ଚାଲାଖ ଚତୁର ନୁହେଁ । ଜଣେ ଉତ୍ତମ ଶିକ୍ଷକଙ୍କ ଅଧୀନରେ ତା’ର ବିଦ୍ୟାଶିକ୍ଷା ପାଇଁ କିଛି ବ୍ୟବସ୍ଥା କର । ହୁଏତ ଏହା ଫଳରେ ତା’ର କିଛି ପରିବର୍ତ୍ତନ ହୋଇପାରେ । କାହିଁକିନା ଶେଷରେ ତାକୁହିଁ ତ ତୁମର ସବୁ ସମ୍ପତ୍ତିବାଡିର ଦେଖାରଖା କରିବାକୁ ହେବନା । ମୋର ଯାହା ମନେ ହେଉଛି, ତା’ ପ୍ରତି ତୁମେ ଆଦୌ ଧ୍ୟାନ ଦେଉନାହଁ ।”
ମଙ୍ଗଳଙ୍କର ସୁପରାମର୍ଶ ମାଧବଙ୍କ ମନକୁ ଏତେଟା ପାଇଲା ନାହିଁ । ସେ କହିଲେ, “ମଙ୍ଗଳ, ଖାଲି ପାଠଶାଠ ପଢିଗଲେ ଯେ ଜଣେ ଚାଲାଖ ଚତୁର ହୋଇଯିବ, ତାହା ମୋଟେ ଠିକ୍ ନୁହେଁ । ମୋ ବାପା ମୋତେ କେତେ ପାଠ ପଢେଇଥିଲେ? ମୋ ପୁଅ ଏମିତି ବୋକା ମନେ ହେଉଥିଲେ ବି ତା’ର ବୁଦ୍ଧିକୁ କେହି ହେଲେ ମଧ୍ୟ ସରି ହେବେ ନାହିଁ । ଚାହଁତ ତୁମେ ତା’ର ପରୀକ୍ଷା ନେଇପାର ।”
ମଙ୍ଗଳ ମାଧବଙ୍କ ପୁତ୍ରକୁ ନିଜ ପାଖକୁ ଡାକି ପଚାରିଲେ, “ପୁଅ, ଦେଖି କହିଲୁ, ଏବେ କେଉଁ ଋତୁ? ଗ୍ରୀଷ୍ମ, ବର୍ଷା କି ଶୀତ?”
ପୁଅ କହିଲା “ଏବେ କେଉଁ ଋତୁ ମୁଁ ତ ତାହା କହିପାରିବି ନାହିଁ । ଦୋକାନରେ, ଯେଉଁଠାରେ ବି ଦେଖ ଖାଲି ଆମ୍ବ ବିକ୍ରି ହେଉଛି ।”
ଏପରି ଉତ୍ତର ଶୁଣି ମଙ୍ଗଳ ଅଳ୍ପହସି କହିଲେ, “ଆଚ୍ଛା କହିଲ, ଆମ୍ବ କେଉଁଠାରୁ ଆସେ?”
ତୁରନ୍ତ ଉତ୍ତର ମିଳିଲା, “ଟୋକେଇରୁ ।”
ଠିକ୍ ତା’ପରେ ମାଧବ କହିଲେ, “ମଙ୍ଗଳ ତୁମେ ସତ କହୁଥିଲ, ମୋ ପୁଅ ଟିକେ ବୋକା । ବିଚରାକୁ ଏହା ଜଣାନାହିଁ ଯେ ଆମ୍ବ ଟୋକେଇରୁ ନୁହେଁ ହାଟରୁ ଆସେ ।”
“ବାଃ, ପୁଅଠାରୁ ବଳି ବାପ!” ଏତିକି କହି ମଙ୍ଗଳ ବି ହସି ଉଠିଲେ ।